ପୁରୀ: ଆଜି(ବୁଧବାର) ଶ୍ରାବଣ-କୃଷ୍ଣ ସପ୍ତମୀ ତିଥିରେ ଶ୍ରୀଜିଉଙ୍କ 'ବନକଲାଗି' ଅର୍ଥାତ 'ଶ୍ରୀମୁଖ ସିଂହାର' ନୀତି ଅନୁଷ୍ଠିତ ହେବ । ଶ୍ରୀଗୁଣ୍ଡିଚା ଯାତ୍ରା କରିବା ସମୟରେ ହେରାପଞ୍ଚମୀ ପୂର୍ବଦିନ ଆଡପମଣ୍ଡପରେ ମହାପ୍ରଭୁ ଶେଷଥର ପାଇଁ ବନକ ଲାଗି ହୋଇଥିଲେ । ମାତ୍ର ନିଳାଦ୍ରୀବିଜେ କରିବା ପରେ ଆଜି ମହାପ୍ରଭୁଙ୍କ ନିକଟରେ ବନକଲାଗି ନୀତି କରାଯିବ । ବନକ ଲାଗି ଅଥବା ଶ୍ରୀମୁଖ ସିଂହାର ଏକ ଗୁପ୍ତ ନୀତି ହୋଇଥିବାରୁ ବେଶ ଚାଲିଥିବା ସମୟରେ ଦର୍ଶନରୁ ବଞ୍ଚିତ ରହିବେ ଭକ୍ତ । ଆଜି ଅପରାହ୍ନ ୫ଟାରୁ ରାତି ୧୦ ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ ।
ମଧ୍ୟାହ୍ନ ଧୂପ ସହ ଦ୍ବିତୀୟ ଭୋଗମଣ୍ଡପ ବଢିବା ପରେ ଦତ୍ତମହାପାତ୍ର ସେବକମାନେ ଗର୍ଭଗୃହକୁ ପ୍ରବେଶ କରି ରତ୍ନବେଦୀରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ । ଏହା ଏକ ଗୁପ୍ତ ସେବା ଓ ସ୍ବତନ୍ତ୍ର ନୀତି ହୋଇଥିବାରୁ ନୀତି ସମୟରେ ଜୟବିଜୟ ଦ୍ବାର ବନ୍ଦ କରାଯାଇଥାଏ । ଏଣୁ ଭକ୍ତମାନେ ମହାପ୍ରଭୁଙ୍କ ଏହି ବେଶ ଦର୍ଶନ କରିପାରନ୍ତି ନାହିଁ । ଶ୍ରୀମନ୍ଦିରରେ ଦ୍ବିତୀୟ ଭୋଗମଣ୍ଡପ ଉଠିଲା ପରେ ଦତ୍ତମହାପାତ୍ର ସେବକମାନେ ରତ୍ନବେଦୀରେ ମହାପ୍ରଭୁଙ୍କର ବନକଲାଗି ନୀତି ସମ୍ପନ୍ନ କରିବେ ।
ହିଙ୍ଗୁଳ, ହରିତାଳ, ଶଙ୍ଖ, କସ୍ତୁରୀ ଓ କଳା ଆଦି ବିଭିନ୍ନ ପ୍ରକାର ପ୍ରାକୃତିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ । ବନକଲାଗି ନୀତିରେ ପାଳିଆ ପୂଜାପଣ୍ଡା, ପାଳିଆ ଖୁଣ୍ଟିଆ, ଗରାବଡୁ, ପାଳିଆ ପୁଷ୍ପମାଳ, ଚାଙ୍ଗଡା ମେକାପ, ମୁଦୁଲି ଆଦି ସେବକଙ୍କ ଯୋଗଦାନ ରହିଥାଏ । ନୀତି ଚାଲୁଥିବା ସମୟରେ ଅର୍ଥାତ ପ୍ରାୟ ଅପରାହ୍ନ ୫ଟାରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ଇଟିଭି ଭାରତ, ପୁରୀ