‘‘ନୀରବେ ପ୍ରସରେ କ୍ଷଣେ ଦିବ୍ୟ ଜ୍ୟୋତିଧାରା, ନୀରବେ ଆକାଶେ ଉଦେ ରବି ଶଶି ତାରା’’ । ସତରେ ଏ ଉତ୍କଳ ଆଜି ନୀରବି ଯାଇଛି । କାରଣ ମଣିଷ ପଣିଆର ନିଦର୍ଶନ ସାଜିଥିବା ବିନ୍ଧାଣୀଟେ ଯେବେ ଠୁ ଅପସରି ଗଲାଣି ସେବେଠାରୁ ଏ ଉତ୍କଳବାସୀ ତାଙ୍କୁ ଝୁରି ହେଉଛନ୍ତି।
ମୋ ପିଲା, ମୋ ପରିବାର ଭିତରେ ଆଜି ସୀମିତ ଆମ ଚିନ୍ତା, ଚେତନା ଆଉ ଆମ ଜୀବନ ଶୈଳୀ ଓ ଚାଲିଚଳନ। କିନ୍ତୁ ସେତେବେଳେ କଣ ଗୋପବନ୍ଧୁଙ୍କର ପରିବାର ନଥିଲା ? ସବୁସତ୍ତ୍ବେ ରୋଗାଗ୍ରସ୍ତ ପୁଅକୁ ଘରେ ଛାଡ଼ି ଯେତେବେଳେ ଅନାହାର, ଦୁର୍ଭିକ୍ଷ ଓ ବନ୍ୟା ପ୍ରପୀଡ଼ିତ ଲୋକମାନଙ୍କୁ ସାହାଯ୍ୟ କରିବାକୁ ଘରୁ ଗୋଡ଼ କାଢିଥିଲେ । ସେତେବେଳେ ପତ୍ନି ପଣତ କାନି ପତାଇ ନିଜ ପୁଅର ଜୀବନ ଭିକ୍ଷା କରିଥିଲା। କିନ୍ତୁ ସେହି ସମୟରେ ସେ ଲୋକଟିର ବାକ୍ୟ ଥିଲା ‘ଗୋଟିଏ ସନ୍ତାନକୁ ବଞ୍ଚାଇବାକୁ ଯାଇ, ମୁଁ କୋଟିଏ ସନ୍ତାନଙ୍କର ଜୀବନ ଯିବାକୁ ଦେବି ନାହିଁ।’ ସେଥିପାଇଁ ତ ସେ କୋଟି ହୃଦୟର ସ୍ପନ୍ଦନ। ଅଗଣିତ ଉତ୍କଳବାସୀଙ୍କ ମଥାର ମଣି। ଦୀନ, ହିନ ଦରିଦ୍ରର ଆଜୀବନ ବନ୍ଧୁ ‘ଗୋପବନ୍ଧୁ’।
1877 ମସିହା ଅକ୍ଟୋବର 9 ତାରିଖରେ ପୁରୀ ଜିଲ୍ଲା ସତ୍ୟବାଦୀର ସୁଆଣ୍ଡୋ ଗ୍ରାମରେ ତାଙ୍କର ଜନ୍ମ । ଏଭଳି ପୁତ୍ରକୁ ଜନ୍ମ ଦେଇଥିବା ବାପା ଦୈତାରୀ ଦାସ ଓ ମା’ ସ୍ବର୍ଣ୍ଣମୟୀ ଦେବୀ ମଧ୍ୟ ଭାଗ୍ୟବାନ । ସାକ୍ଷୀଗୋପାଳର ସତ୍ୟବାଦୀରେ ବନ ବିଦ୍ୟାଳୟ ହେଉ କିମ୍ବା ହଇଜା ରୋଗରେ ପୀଡ଼ିତ ଲୋକମାନଙ୍କ ପାଇଁ ପୁରୀ ସେବା ସମିତି। ଶିକ୍ଷା ଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ ଓ ସମାଜ ସଂସ୍କାର। ସମସ୍ତେ ଯେମିତି ସମାନ ସୁବିଧା ପାଇପାରିବେ ସେଥିପାଇଁ ପ୍ରତିଷ୍ଠା କରିଯାଇଛନ୍ତି ଅନେକ କୀର୍ତ୍ତିରାଜୀ। ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ତାଙ୍କର ଅବଦାନ ସର୍ବାଗ୍ରେ ଅତୁଳନୀୟ।
ରାଜନୀତିରେ ରୁଚି ରଖୁଥିବା ଏଇ ବ୍ୟକ୍ତି ଜଣଙ୍କ ଏକାଧାରାରେ ଓଡିଶାର ସାହିତ୍ୟ, ସାମ୍ବାଦିକତା, ଶିକ୍ଷାବ୍ୟବସ୍ଥା, ଗଣଆନ୍ଦୋଳନ ସହିତ ସାମଗ୍ରୀକଭାବେ ଓଡିଆ ଜାତିର ଟେକ ରଖିବାରେ ଥିବା ତାଙ୍କର ଅତୁଳନୀୟ ଅବଦାନ । ଲେଖନୀ ମୁନରେ ସାମଜର ବୈପ୍ଳବିକ ପରିବର୍ତ୍ତନ ଓ ଗରିବଙ୍କ ସ୍ବରକୁ ସରକାରଙ୍କ ପାଖରେ ପହଞ୍ଚାଇବାକୁ ପ୍ରତିଷ୍ଠା କରିଥିଲେ ‘ସତ୍ୟବାଦୀ’ ଭଳି ସାପ୍ତାହିକ ସମ୍ବାଦପତ୍ର ଯାହା ଆଜି ଦୈନିକ ‘ସମାଜ’ ରୂପରେ ଓଡିଶାର ଘରେ ଘରେ ବେଶ ପରିଚିତ।
ଉତ୍କଳର ସୁଖ-ଦୁଃଖ, ଭଲ-ମନ୍ଦ, ଆଶା- ନିରାଶା ଓ ଜଡ଼ତା- ଜାଗରଣ ମଧ୍ୟରେ ନିଜକୁ ହଜାଇ ଅବିରତ ଉଜ୍ବଳ, ସ୍ବାବଲମ୍ବୀ ଆଉ ସମୃଦ୍ଧ ଓଡ଼ିଶାର ସ୍ବପ୍ନ ଦେଖୁଥିବା ସେ ଦରଦୀ ବନ୍ଧୁଙ୍କୁ କିନ୍ତୁ ଗ୍ରାସ କରିଥିଲା ବୟସର ବାର୍ଦ୍ଧକ୍ୟ । ଆଉ 1928 ମସିହା ଆଜିର ତିଥିରେ କାଳଜୟୀ ମହାପୁରୁଷ ଗରିବର ବନ୍ଧୁ ଗୋପବନ୍ଧୁ ଇହଧ୍ୟାମ ତ୍ୟାଗ କରିଥିଲେ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ