ପୁରୀ: ଭକ୍ତି ଆଗରେ ହାର ମାନିଛି ବୟସ । 105 ବର୍ଷ ବୟସରେ ହବିଷ୍ୟ ବ୍ରତ କରୁଛନ୍ତି ପୁରୀ ଜିଲ୍ଲା ସାକ୍ଷୀଗୋପାଳ ସ୍ଥିତ ଅଳଗୁମ୍ ପାଟଣା ଗ୍ରାମର ହାରାମଣି । କାର୍ତ୍ତିକ ବ୍ରତ ପାଳନ କରିବା ପାଇଁ ସେ ଶ୍ରୀକ୍ଷେତ୍ରର ସାନ ମଠରେ ରହି ହବିଷ୍ୟ ବ୍ରତ ପାଳନ କରୁଛନ୍ତି। ଶ୍ରୀକ୍ଷେତ୍ରରେ କାର୍ତ୍ତିକ ବ୍ରତ ପାଳନ କରିବା ପାଇଁ ହବିଷ୍ୟାଳୀଙ୍କ ଭିଡ ଜମିଛି। ପୁରୀ ଜିଲ୍ଲା ସାକ୍ଷୀଗୋପାଳ ସ୍ଥିତ ଅଳଗୁମ୍ ପାଟଣା ଗ୍ରାମର ୧୦୫ ବର୍ଷୀୟା ବୃଦ୍ଧା ହାରାମଣୀ ସାହୁ ବୟସକୁ ପଛରେ ପକାଇ ହବିଷ୍ୟ ବ୍ରତ କରୁଛନ୍ତି । ବୟସର ଅପରାହ୍ନରେ ପହଞ୍ଚିଥିଲେ ମଧ୍ୟ କାର୍ତ୍ତିକ ବ୍ରତ ପାଳନ କରିବା ପାଇଁ ସେ ଶ୍ରୀକ୍ଷେତ୍ରର ସାନ ମଠରେ ରହି ହବିଷ୍ୟ ବ୍ରତ ପାଳନ କରୁଛନ୍ତି।
ବୟସ ୧୦୦ ଟପିଥିଲେ ସୁଦ୍ଧା ମହାପ୍ରଭୁଙ୍କ ଭକ୍ତି ଆଗରେ ଯେମିତି ହାରାମଣିଙ୍କ ବୟସ ହାର ମାନିଯାଇଛି। ଦୀର୍ଘ ୬୦ ବର୍ଷ ଧରି ସେ ଶ୍ରୀକ୍ଷେତ୍ରକୁ ଆସି କାର୍ତ୍ତିକ ବ୍ରତ ପାଳନ କରି ଆସୁଛନ୍ତି। ଏତେ ବୟସରେ ମଧ୍ୟ କାଳିଆ ପ୍ରେମ ତାଙ୍କୁ ଏଭଳି ପାଗଳ କରିଛି ଯେ କାର୍ତ୍ତିକ ବ୍ରତ ପାଇଁ ଶ୍ରୀକ୍ଷେତ୍ରକୁ ନଆସି ସେ ରହିପାରନ୍ତି ନାହିଁ। ତେବେ ୧୦୫ ବର୍ଷ ବୟସରେ ହାରାମଣୀ ଠିକ୍ ଭାବେ ଚଲା ବୁଲା କରିପାରୁନଥିଲେ ମଧ୍ୟ ମହାପ୍ରଭୁଙ୍କ ପ୍ରତି ତାଙ୍କର ଏଭଳି ଗଭୀର ସମର୍ପଣ ମନଭାବ ତାଙ୍କ ସାଙ୍ଗରେ ରହି ହବିଷ୍ୟ ବ୍ରତ କରୁଥିବା ସାଥି ହବିଷ୍ୟାଳୀମାନଙ୍କୁ ମଧ୍ୟ ବେଶ୍ ଆନନ୍ଦିତ ଓ ଉତ୍ସାହ ପ୍ରଦାନ କରିଛି।
ତେବେ ମହାପ୍ରଭୁଙ୍କ ପ୍ରତି ହାରାମଣିଙ୍କ ଏଭଳି ଅତୁଟ ଭକ୍ତି ଓ ବିଶ୍ବାସ ଦେଖିଲେ ଆପେ ଆପେ ସମସ୍ତଙ୍କର ମଥା ନଇଁ ଯାଉଛି। ତେବେ ହାରାମଣିଙ୍କ କହିବା କଥା ମହାପ୍ରଭୁ ଭକ୍ତର ଦୁଃଖ ଶୁଣିପାରନ୍ତି । ମହାପ୍ରଭୁଙ୍କ ପ୍ରତି ଏହି ଅତୁଟ ଭକ୍ତି ଓ ବିଶ୍ବାସ ପଛରେ ହାରାମଣିଙ୍କ ରହିଛି ଏକ ଅଭୁଲା ଅନୁଭୂତି । ମହାପ୍ରଭୁଙ୍କୁ ସେ ପ୍ରାର୍ଥନା କରିବାରୁ ତାଙ୍କ ପୁଅର ବିବାହର ୧୮ ବର୍ଷ ପରେ ଏକ ସନ୍ତାନ ଜନ୍ମ ନେଇଥିଲ। ତେବେ ଏହା କାଳିଆ ଠାକୁରଙ୍କ ଯୋଗୁଁ ସମ୍ଭବ ବୋଲି କହିଛନ୍ତି ହାରାମଣି । କେବଳ ସେତିକି ନୁହେଁ ମରଣ ଶଯ୍ୟାରେ ଶୋଇଥିଲେ ମଧ୍ୟ କାଳିଆ ପାଇଁ କାର୍ତ୍ତିକ ବ୍ରତ କରିବେ ବୋଲି କହିଛନ୍ତି ହାରାମଣି । ତେବେ ସାନ ମଠରେ ହାରାମଣି ରହି କାର୍ତ୍ତିକ ବ୍ରତ ପାଳନ କରୁଥିବାରୁ କେବଳ ତାଙ୍କ ସାଙ୍ଗସାଥି ନୁହେଁ ମଠ ମହନ୍ତ ମଧ୍ୟ ହାରାମଣିଙ୍କ ମହାପ୍ରଭୁଙ୍କ ଏଭଳି ଭକ୍ତି ଦେଖି ଭାବ ବିହ୍ୱଳ ହୋଇପଡିଛନ୍ତି ।
ଏନେଇ ୧୦୫ ବର୍ଷୀୟ ହାରାମଣି ସାହୁ କହିଛନ୍ତି, "ବଞ୍ଚିଥିବା ସମୟରେ ଆଖିକୁ ଯେତେଦିନ ଦିଶିବ ସେତେଦିନ ନିଜ କର୍ମ ନିଜେ କରିବି । ଏ ଦୁଇ ବରଷ ହେଲା ଆଖିକୁ ଏତେ ଦିଶୁନାହିଁ । ମହାପ୍ରଭୁ ଭକ୍ତର ଦୁଃଖ ଶୁଣିପାରନ୍ତି । ମହାପ୍ରଭୁଙ୍କ ପ୍ରତି ଏହି ଅତୁଟ ଭକ୍ତି ଓ ବିଶ୍ବାସ ରହିଛି । ଧନ ଜନ କିଛି ମୋର ଦରକାର ନାହିଁ । ମରଣ ଶଯ୍ୟାରେ ଶୋଇଥିଲେ ମଧ୍ୟ କାଳିଆ ପାଇଁ କାର୍ତ୍ତିକ ବ୍ରତ କରିବେ । କେମିତି ଭଲରେ ମୋର ଦିନ ସରିବ ସେହିକଥା ଖାଲି କାଳିଆକୁ କହୁଛି ।"
ଇଟିଭି ଭାରତ, ପୁରୀ