କଟକ: ନୂଆ ଭିଜିଲାନ୍ସ ନିର୍ଦ୍ଦେଶକ ହେଲେ ଯଶୋବନ୍ତ କୁମାର ଜେଠୱା । ଗତକାଲି ତାଙ୍କୁ ନିଯୁକ୍ତି ଦେଇଥିଲେ ରାଜ୍ୟ ସରକାର । ଆଜି ନିର୍ଦ୍ଦେଶକ ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି ଯଶୋବନ୍ତ କୁମାର ଜେଠୱା ।
1994 ମସିହା ବ୍ୟାଚର IPS ଅଧିକାରୀ ଜେଠୱା ଏହା ପୂର୍ବରୁ ଆଇନ ଶୃଙ୍ଖଳା ଅତିରିକ୍ତ ଡିଜି ଭାବେ କାର୍ଯ୍ୟ କରିଥିଲେ । ଏହା ସହିତ ସେ କ୍ରାଇମବ୍ରାଞ୍ଚର ଏଡିଜି ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇ ଥିଲେ । ଭିଜିଲାନ୍ସ ନିର୍ଦ୍ଦେଶକ ଭାବରେ ଦାୟିତ୍ବ ଗ୍ରହଣ ସମୟରେ ସେ ଦିବଂଗତ ନିର୍ଦ୍ଦେଶକ ଡକ୍ଟର ଦେବାଶିଷ ପାଣିଗ୍ରାହୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।
ତେବେ ଭିଜିଲାନ୍ସ ବିଭାଗର ପୂର୍ବତନ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ ଦୁର୍ନୀତି ନିବାରଣ କ୍ଷେତ୍ରରେ ଯେଉଁ ଉଲ୍ଲେଖ୍ୟନୀୟ କାର୍ଯ୍ୟ କରିଛନ୍ତି ସେହି ଧାରାକୁ ଆଗକୁ ବଢାଇ ନେବାକୁ କହିଛନ୍ତି ନୂଆ ନିର୍ଦ୍ଦେଶକ ଯଶୋବନ୍ତ ଜେଠୱା । ଏହା ସହିତ ଭିଜିଲାନ୍ସ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କୁ ନେଇ ରାଜ୍ୟରୁ ଦୁର୍ନୀତି ନିବାରଣ କ୍ଷେତ୍ରରେ କାର୍ଯ୍ୟ କରିବେ ବୋଲି କହିଛନ୍ତି ଜେଠୱା ।
ପ୍ରକାଶ ଥାଉ କି, ଜୁନ 19 ତାରିଖରେ ଦିବଂଗତ ଭିଜିଲାନ୍ସ ନିର୍ଦ୍ଦେଶକ ଡକ୍ଟର ଦେବାଶିଷ ପାଣିଗ୍ରାହୀଙ୍କ ମୃତ୍ୟୁ ହୋଇଥିଲା । କୋରୋନାରେ ଆକ୍ରାନ୍ତ ହୋଇଥିଲେ ଦେବାଶିଷ ପାଣିଗ୍ରାହୀ । 1991 ବ୍ୟାଚର IPS ଅଫିସର ହେଉଛନ୍ତି ଦେବାଶିଷ ପାଣିଗ୍ରାହୀ ।
କଟକରୁ ନରାୟଣ ସାହୁ,ଇଟିଭି ଭାରତ