କଟକ: ବିରଳ ଅସ୍ଥିମଜ୍ଜା ପ୍ରତିରୋପଣରେ ପୁଣି ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି SCB ମେଡିକାଲ କଲେଜ । ଅତି ସଫଳତାର ସହ ଷ୍ଟେମ ସେଲ ସଂଗ୍ରହ କରି ଏହାକୁ କ୍ରାଇଓପ୍ରିଜରଭେସନ ପଦ୍ଧତିରେ ସଂରକ୍ଷିତ କରି ରଖିବା ସହ ଆଜି ସଫଳତାର ସହ ଜଣେ ରକ୍ତ କର୍କଟ ରୋଗୀଙ୍କ ଦେହରେ ଅସ୍ଥିମଜ୍ଜା ପ୍ରତିରୋପଣ କରାଯାଇଛି । ରାଜ୍ୟ ବାହାରେ ଏଭଳି ପ୍ରତିରୋପଣ ପାଇଁ ୧୫ରୁ ୨୦ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବାବେଳେ, SCBରେ ଏଭଳି ପ୍ରତିରୋପଣ ରାଜ୍ୟ ସରକାରଙ୍କ ସହାୟତାରେ ବିନା ଖର୍ଚ୍ଚରେ ସମ୍ଭବ ହୋଇଛି ।
ସେହିଭଳି ୬୫ ବର୍ଷରୁ ଅଧିକ ବୟସ୍କଙ୍କ ଶରୀରରେ ସଫଳତାର ସହ ଅସ୍ଥିମଜ୍ଜା ପ୍ରତିରୋପଣ କରି ସାରା ଭାରତରେ SCB ରେକର୍ଡ ସୃଷ୍ଟି କରିଛି । ଆଜି SCBର ହେମାଟୋଲୋଜି ବିଭାଗରେ ଯେଉଁ ପ୍ରତିରୋପଣ ହୋଇଛି ତାହା ଅତ୍ୟନ୍ତ ବିରଳ ଧରଣର ଵୋଲି କହିଛନ୍ତି ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ଆର. କେ ଜେନା । ଡାକ୍ତର ଜେନାଙ୍କ କହିବା ଅନୁସାରେ ୫୧ଵର୍ଷ ଵୟସ୍କ ରମାକାନ୍ତ ପ୍ରଧାନ ରିଲାପ୍ସଡ୍ ହଜକିନସ୍ ଲିମ୍ଫୋମା ରୋଗରେ ଆକ୍ରାନ୍ତ ଥିଲେ। ଏହା ଏକ ପ୍ରକାର ରକ୍ତ କର୍କଟ ରୋଗ ।
ଥରେ ଚିକିତ୍ସିତ ହେଵା ପରେ ଏହା ପୁଣି ଥରେ ରମାକାନ୍ତଙ୍କ ଶରୀରରେ ଦେଖାଦେଇଥିଲା । ଚିକିତ୍ସା ସମୟରେ କେମୋଥେରାପି ଯୋଗୁଁ ରମାକାନ୍ତଙ୍କ ଶରୀରର ଷ୍ଟେମ ସେଲ ଗୁଡିକ ପ୍ରାୟତଃ ନଷ୍ଟ ହୋଇଯାଇଥିଲା । ତେଣୁ ଏହି ରୋଗ ପୁଣି ଦେଖାଦେବାରୁ ରମାକାନ୍ତଙ୍କ ଶରୀରରୁ ଷ୍ଟେମ ସେଲ ସଂଗ୍ରହ କରି ଏହାକୁ ସଂରକ୍ଷଣ କରି ମେଳ ଖାଉଥିବା ଅନ୍ୟ ଷ୍ଟେମ ସେଲ ସହ ପ୍ରତିରୋପଣ କରିବାକୁ ପଡିଥାଏ । ତେବେ ଏହାର ସଂଗ୍ରହ, ସଂରକ୍ଷଣ ଓ ପ୍ରତିରୋପଣ ଏକ କଷ୍ଟସାଧ୍ୟ କାର୍ଯ୍ୟ ।
କିନ୍ତୁ ଏସସିଵି ହେମାଟୋଲୋଜି ଵିଭାଗର ଅଭିଜ୍ଞ ଟେକନିସିଆନ ଓ ଡାକ୍ତରଙ୍କ ଯୋଗୁଁ ଷ୍ଟେମ ସେଲ୍ ସଫଳତାର ସଂଗ୍ରହ କରାଯାଇ ମାଇନସ ୮୦ ଡିଗ୍ରୀ ତାପମାତ୍ରାରେ ଏହାକୁ ସଂରକ୍ଷଣ କରି ରଖାଯାଇଥିଲା । ଯାହାକୁ କ୍ରାଇଓପ୍ରିଜରଭେସନ ବୋଲି କୁହାଯାଏ । ଆଜି ରମାକାନ୍ତଙ୍କ ଶରୀରରେ ଏହି ଅସ୍ଥିମଜ୍ଜା ପ୍ରତିରୋପଣ କରାଯାଇଛି । ଯାହାଦ୍ବାରା ମେଡିକାଲକୁ ଆଉ ଏକ ସଫଳତା ମିଳିଛି ।
ଇଟିଭି ଭାରତ, କଟକ