କଟକ: ନ୍ୟାସନାଲ ଗ୍ରୀନ ଟ୍ରିବୁନାଲ (NGT)ର ନିର୍ଦ୍ଦେଶ ପରେ ଏବେ କଟକ ବାଲିଯାତ୍ରା ଆୟୋଜନକୁ ଝଟକା ଲାଗିଛି । ମହାନଦୀ ପଠାରେ ଶହେ ଏକର ଯାଗାରେ ବାଲିଯାତ୍ରା ଆୟୋଜନ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ, କେବଳ ୩୪ ଏକର ଯାଗାରେ ବାଲିଯାତ୍ରା କରିବାକୁ ଅନୁମତି ଦେଇଛନ୍ତି । ବାକି ଯାଗାରେ NGT ଅନୁମତିରେ ଜିଲ୍ଲା ପ୍ରଶାସନ କୌଣସି କାର୍ଯ୍ୟକ୍ରମ କରିପାରିବ । ଶହେ ଏକର ଯାଗାରେ ବାଲିଯାତ୍ରା କରିବା ପାଇଁ ପ୍ରଶାସନ କେବେ ଯୋଜନା କରିନଥିଲା ବୋଲି ଜିଲ୍ଲାପାଳ କହିଛନ୍ତି ।
ଫଳରେ ଐତିହାସିକ ବାଲିଯାତ୍ରା ଆୟୋଜନକୁ ନେଇ ପୁଣି ଦ୍ବନ୍ଦ୍ବ ଉପୁଜିଛି । ଗ୍ରୀନ ଟ୍ରିବୁନାଲର ନିର୍ଦ୍ଦେଶ ଆସିବା ପରେ ପ୍ରଶାସନ ବାଲିଯାତ୍ରା ଆୟୋଜନକୁ ଶକ୍ତ ଧକ୍କା ଲାଗିଛି । ମହାନଦୀରୁ ବାଲି ଡ୍ରେଜିଂ ପରେ ଗଡ଼ଗଡି଼ଆ ପଠାରୁ ଯୋବ୍ରା ବ୍ୟାରେଜ ପର୍ଯ୍ୟନ୍ତ ନଦୀପଠାକୁ ମହାନଦୀରୁ ବାହାରିଥିବା ବାଲିରେ ପୋତି ଦିଆଯାଇଥିଲା । ଫଳରେ ପ୍ରଶାସନ ବିଭିନ୍ନ ପ୍ରକଳ୍ପ ଓ ବାଲିଯାତ୍ରା ଆୟୋଜନ ପାଇଁ ପ୍ରାୟ ୪ଶହ ୨୬ ଏକର ଯାଗା ପାଇପାରିଥିଲା । ତେବେ ଏ ନେଇ କିଛି ବୁଦ୍ଧିଜୀବୀ ଓ ଆଇନଜୀବୀ ଗ୍ରୀନ ଟ୍ରିବୁନାଲର ଦ୍ବାରସ୍ଥ ହୋଇଥିଲେ ।
ପ୍ରଶାସନ ନଦୀ ପଠା ପୋତି ଦେବା ଫଳରେ ମହାନଦୀ ଅବବାହିକାର ଜୈବ ବିବିଧତାକୁ ନଷ୍ଟ ହେଉଛି । ପରିବେଶ ସନ୍ତୁଳନ ବିଗୁଡୁଛି ଓ ପ୍ରଶାସନ ଏଭଳି ନଦୀପଠା ପୋତି ଦେବା ଫଳରେ ମହାନଦୀରେ ବଡ ବନ୍ୟା ଆସିଲେ ଗୁରୁତର ସମସ୍ୟା ସୃଷ୍ଟି ହେବ ବୋଲି NGTରେ ପିଟିସନ ଦାଖଲ ହୋଇଥିଲା । ଗତକାଲି ଚୂଡାନ୍ତ ଶୁଣାଣି କରି ଗ୍ରୀନ ଟ୍ରିବୁନାଲ ପ୍ରଶାସନ ପୁନରୁଦ୍ଧାର କରିଥିବା ୪ଶହ ୨୬ ଏକର ଯାଗା ମଧ୍ୟରୁ କେବଳ ୩୪ ଏକର ଯାଗାରେ ବାଲିଯାତ୍ରା ଆୟୋଜନକୁ ଅନୁମତି ଦେଇଛନ୍ତି ।
ଏହା ବି ପଢନ୍ତୁ- NGTଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ, କେବଳ ୩୪ ଏକର ଜମିରେ ହେବ ବାଲିଯାତ୍ରା
ବାକି ସ୍ଥାନରେ କୌଣସି ସ୍ଥାୟୀ ନିର୍ମାଣ କାମ କିମ୍ବା ବ୍ୟବସାୟିକ ଗତିବିଧିକୁ ବାରଣ କରାଯାଇଛି । ପୂର୍ବରୁ ପୁନରୁଦ୍ଧାର ହୋଇଥିବା ସ୍ଥାନର ଶହେ ଏକରରେ ବାଲିଯାତ୍ରା କରିବା ପାଇଁ ପ୍ରଶାସନ ପ୍ରସ୍ତୁତ ହେଉଥିଲା । ସେପଟେ ଗ୍ରୀନ ଟ୍ରିବୁନାଲ ନିର୍ଦ୍ଦେଶ ଆସିବା ପରେ ବାଲିଯାତ୍ରା ଆୟୋଜନକୁ ନେଇ ୟୁ-ଟର୍ଣ୍ଣ ମାରିଛନ୍ତି ଜିଲ୍ଲାପାଳ । ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ କହିଛନ୍ତି, "ପୂର୍ବରୁ ଯେଭଳି ୩୪ଏକର ଯାଗାରେ ବାଲିଯାତ୍ରା ଆୟୋଜିତ ହେଉଥିଲା, ସେତିକି ଯାଗାରେ ହିଁ ବାଲିଯାତ୍ରା ହେବ ।"
ଗ୍ରୀନ ଟ୍ରିବୁନାଲ ନିର୍ଦ୍ଦେଶ ମୁତାବକ ବାକି ଯାଗାରେ ମହନଦୀ ଅବବାହିକାରେ ଜୈବ ବିବିଧତା ବଜାୟ ରଖିବା ପାଇଁ କାର୍ଯ୍ୟକ୍ରମ ହାତକୁ ନିଆଯିବ । ଅନ୍ୟପଟେ ଆବେଦନକାରୀ ଓକିଲ ପ୍ରଦୀପ ପଟ୍ଟନାୟକ କହିଛନ୍ତି, ପ୍ରଶାସନ ନଦୀପଠାରୁ ବାଲି ସମ୍ପୂର୍ଣ୍ଣ ଭାବେ ଉଠାଇବା ନିବେଦନ କରି ସେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେବେ ।
ଇଟିଭି ଭାରତ, କଟକ