କଟକ: ମାହାଙ୍ଗା ଡବଲ ମର୍ଡର ଘଟଣାରେ ଦୋଷୀଙ୍କୁ ଘଣ୍ଟ ଘଡ଼ାଉଛି ପୋଲିସ । ଘଟଣାକୁ ବର୍ଷେ ବିତି ଯାଇଥିଲେ ସୁଦ୍ଧା ଉଭୟ ପରିବାରକୁ ନ୍ୟାୟ ମିଳି ପାରିନାହିଁ । କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ସ୍ମୃତି ସଭାରେ ଯୋଗ ଦେଇ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ସ୍ମୃତି ସଭାରେ ଭିସି ଜରିଆରେ ଯୋଗ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଏହି ସ୍ମୃତି ସଭା ଅବସରରେ ନୃତ୍ତଙ୍ଗ ଗାଁ ମୁଣ୍ଡରେ କୂଳମଣୀ ବରାଳଙ୍କର ପୂର୍ଣ୍ଣବୟବ ପ୍ରତିମୂର୍ତ୍ତି ଉନ୍ମୋଚନ ହୋଇଛି । ତା ସହିତ ଏକ ସ୍ମୃତି ସ୍ମରଣୀକା ଉନ୍ମୋଚିତ ହୋଇଛି । ଏହି ସ୍ମୃତି ସଭାକୁ ନେଇ ଟ୍ବିଟ୍ କରି ମଧ୍ୟ ସୂଚନା ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।
ସେ ଟ୍ବିଟ୍ କରି ଲେଖିଛନ୍ତି ଯେ,"କୁଳମଣି ସ୍ମୃତି ସଂସଦ ପକ୍ଷରୁ ଆୟୋଜିତ ସ୍ୱର୍ଗତ କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କ ପ୍ରଥମ ବାର୍ଷିକ ସ୍ମୃତି ସଭାରେ ଭିସି ଜରିଆରେ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କଲି । ଗରିବ ମାନଙ୍କ ପ୍ରତି ହେଉଥିବା ଅନ୍ୟାୟ, ଅତ୍ୟାଚାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କରୁଥିବା ଏହି ଦିବଙ୍ଗତ ବିଜେପି ନେତାଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ ।"
ମାହାଙ୍ଗା ଡବଲ ମର୍ଡର ଘଟଣାର ବର୍ଷେ ବିତିଯାଇଥିଲେ ମଧ୍ୟ କୁଳମଣିଙ୍କ ପରିବାର ଓ ତାଙ୍କୁ ଭଲ ପାଉଥିବା ଲୋକମାନେ ଏବେ ବି ନ୍ୟାୟ ଅପେକ୍ଷାରେ ଅଛନ୍ତି । ରାଜ୍ୟ ପ୍ରଶାସନକୁ ମୋର ଅନୁରୋଧ, ସେମାନେ ଗରିବ ଲୋକଙ୍କୁ ନ୍ୟାୟ ଦିଅନ୍ତୁ ଏବଂ ଏହି ଘଟଣାରେ ନିରପେକ୍ଷ ତଦନ୍ତ କରି ପ୍ରକୃତ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।
ମାହାଙ୍ଗାର ମାଟି ହେଉଛି କର୍ମବୀର ଗୌରୀଶଙ୍କର ରାୟ, ଗଣକବି ବୈଷ୍ଣବ ପାଣି ଓ ପଲ୍ଲିକବୀ ନନ୍ଦକିଶୋର ବଳଙ୍କ ପବିତ୍ର ମାଟି । ଆଜି ନୃତ୍ତଙ୍ଗରେ ଅନାବରଣ ହୋଇଥିବା ସ୍ୱର୍ଗତ କୁଳମଣି ବରାଳଙ୍କ ପ୍ରତିମୂର୍ତ୍ତି ରାଜ୍ୟବାସୀଙ୍କୁ ଓଡ଼ିଶାରେ ପରିବର୍ତ୍ତନ ପାଇଁ ପ୍ରେରିତ କରିବ । ଗରିବଙ୍କୁ ନ୍ୟାୟ ଦେବା ପର୍ଯ୍ୟନ୍ତ ବିଜେପି ଦଳ ସଂଗ୍ରାମ ଜାରୀ ରଖିବ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ