କଟକ: ପିଲା ଚୋର ସନ୍ଦେହରେ ଅଜଣା ବ୍ୟକ୍ତିଙ୍କୁ ଖୁଣ୍ଟରେ ବାନ୍ଧିଲେ ଉତ୍ୟକ୍ତ ଲୋକେ। ଚୌଦ୍ବାର ଥାନା ନୂଆପାଟଣା ଅଞ୍ଚଳରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି। ବ୍ୟକ୍ତି ଜଣକ ନାବାଳିକାକୁ ଚକୋଲେଟ ଦେଇ ନେଇଯିବାକୁ ବସିଥିଲେ। ଏନେଇ ଅଭିଯୋଗ କରିଛନ୍ତି ନାବାଳିକାଙ୍କ ମାଆ ସୁନିତା ଚୌଧୁରୀ।
ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ସହ ଅଟକ ଯୁବକକୁ ଉଦ୍ଧାର କରିଛନ୍ତି। ବର୍ତ୍ତମାନ ଯୁବକଙ୍କୁ ଚୌଦ୍ବାର ଥାନାକୁ ଆଣି ତଦନ୍ତ ଜାରି ରଖିଛି ପୋଲିସ। ଅଟକ ଯୁବକଙ୍କ ଘର କଟକ ନନିର୍ଗୁଣ୍ଡି ବୋଲି ଜଣା ପଡ଼ିଛି।
ନୁଆପାଟଣା ଅଞ୍ଚଳରେ ବିହାରର ସୁନିତା ଚୌଧୁରୀଙ୍କ ପରିବାର ଭଡ଼ାରେ ରହି ଗୁପୁଚୁପ ବ୍ୟବସାୟ କରନ୍ତି। ଆଜି(ଶୁକ୍ରବାର) ସକାଳୁ ସୁନିତା ଚୌଧୁରୀଙ୍କ ଝିଅ ବାହାରେ ଖେଳୁଥିବା ବେଳେ ଜଣେ ଅଜଣା ବ୍ୟକ୍ତି ତାକୁ ଚକୋଲେଟ ଦେବା ସହ ତାକୁ ଉଠାଇ ନେବାକୁ ଚେଷ୍ଟା କରୁଥିବା ଅଭିଯୋଗ ହୋଇଥିଲା। ଏହାପରେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ସ୍ଥାନୀୟ ଲୋକ କାବୁ କରିବା ସହ ତାଙ୍କୁ ଏକ ଖୁଣ୍ଟରେ ବାନ୍ଧି ଦେଇଥିଲେ।
ଅଟକ ଯୁବକ କହିବା ଅନୁଯାୟୀ ସେମାନେ ୪ଜଣ ଏହି ଅଞ୍ଚଳକୁ ଆସିଛନ୍ତି । କୌଣସି ଚୋରି କିମ୍ବା ଅପରାଧିକ କାର୍ଯ୍ୟରେ ସମ୍ପୃକ୍ତ ନାହାନ୍ତି ବୋଲି ସଫେଇ ଦେଇଛନ୍ତି। ପୋଲିସ ଯୁବକଙ୍କୁ ଅଟକ ରଖିଥିବା ବେଳେ ଅନ୍ୟ 4 ଜଣଙ୍କୁ ଶୀଘ୍ର ଖୋଜା ଯିବ ବୋଲି ବୋଲି ସ୍ପଷ୍ଟ କରିଛି।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ