କଟକ: ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଜଷ୍ଟିସ୍ ଯଶୋୱନ୍ତ ସିଂହ ଓ ଜଷ୍ଟିସ୍ ଅରିନ୍ଦମ୍ ସିହ୍ନା ଶପଥ ଗ୍ରହଣ କରିଛନ୍ତି। ହାଇକୋର୍ଟ ନୂଆ କନଫରେନ୍ସ ହଲ୍ ଠାରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଦୁଇ ବିଚାରପତିଙ୍କୁ ଶପଥ ପାଠ କରାଇଥିଲେ। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ପଞ୍ଜାବ ଓ ହରିୟାଣା ହାଇକୋର୍ଟର ବିଚାରପତି ଜଷ୍ଟିସ ଯଶୋୱନ୍ତ ସିଂହ ଓ କୋଲକାତା ହାଇକୋର୍ଟର ବିଚାରପତି ଜଷ୍ଟିସ ଅରିନ୍ଦମ ସିହ୍ନାଙ୍କୁ ଓଡ଼ିଶା ହାଇକୋର୍ଟକୁ ଏବଂ ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ ସଂଜୟ କୁମାର ମିଶ୍ରଙ୍କୁ ଉତ୍ତରାଖଣ୍ଡ ହାଇକୋର୍ଟକୁ ବଦଳି ନେଇ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଓଡ଼ିଶା ହାଇକୋର୍ଟରେ ମଞ୍ଜୁରୀପ୍ରାପ୍ତ ବିଚାରପତି ସଂଖ୍ୟା ୨୭ ରହିବା କଥା । ତେବେ ବଦଳି ହୋଇ ଆସିଥିବା ଦୁଇ ବିଚାରପତିଙ୍କ ଶପଥ ଗ୍ରହଣ ପରେ ଏହି ସଂଖ୍ୟା ୧୪ରେ ପହଞ୍ଚିଛି।
୧୯୬୧, ଫେବ୍ରୁଆରି ୨୩ରେ ହରିୟାଣାର ରୋହତକ ଠାରେ ଜଷ୍ଟିସ ଯଶୋୱନ୍ତ ସିଂହ ଜନ୍ମ ଗ୍ରହଣ କରିଥିଲେ। ୧୯୮୦ରେ ସ୍ନାତକ ପାସ୍ କରିବା ପରେ ସେ ମହର୍ଷି ଦୟାନନ୍ଦ ବିଦ୍ୟାଳୟରୁ ଆଇନ ଓ ଏମବିଏ ଡିଗ୍ରି ହାସଲ କରିଥିଲେ। ୧୯୮୬ରେ ଆଇନଜୀବୀ ଭାବେ ସେ କାର୍ଯ୍ୟ ଆରମ୍ଭ କରିଥିଲେ। ପ୍ରଥମରୁ ଶୀର୍ଶା ଜିଲ୍ଲା ଅଦାଲତରେ ଆଇନଜୀବୀ ଭାବେ କାର୍ଯ୍ୟ କରିଥିଲେ। ପରବର୍ତ୍ତୀ ସମୟରେ ୧୯୮୮ ଏପ୍ରିଲରୁ ସେ ଚଣ୍ଡିଗଡ଼କୁ ଆସି ପଞ୍ଜାବ ଓ ହରିୟାନା ହାଇକୋର୍ଟରେ ଆଇନଜୀବୀ ଭାବେ କାର୍ଯ୍ୟ କରିଥିଲେ। ସେ ହରିୟାଣାର ଆସିଷ୍ଟାଣ୍ଟ ଆଡଭୋକେଟ ଜେନେରାଲ, ଡେପୁଟି ଆଡଭୋକେଟ ଜେନେରାଲ, ବରିଷ୍ଠ ଡେପୁଟି ଆଡଭୋକେଟ ଜେନେରାଲ ସହ ଅତିରିକ୍ତ ଆଡଭୋକେଟ ଜେନେରାଲ ଭାବେ ଦାୟିତ୍ବ ନିର୍ବାହ କରିଥିଲେ। ୨୦୦୭, ଡିସେମ୍ବର ୭ରେ ସେ ହରିୟାଣା ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ।
୧୯୬୫, ସେପ୍ଟେମ୍ବର ୨୨ରେ ଜଷ୍ଟିସ ଅରିନ୍ଦମ ସିହ୍ନା ଜନ୍ମ ଗ୍ରହଣ କରିଥିଲେ। ୧୯୯୧, ମାର୍ଚ୍ଚ ୧୧ରେ ସେ ଆଇନଜୀବୀ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ଦୀର୍ଘ ୨୨ ବର୍ଷ କୋଲକାତା ହାଇକୋର୍ଟରେ ଆଇନଜୀବୀ ଭାବେ ଦାୟିତ୍ବ ନିର୍ବାହ କରିଥିଲେ। ୨୦୧୩, ଅକ୍ଟୋବର ୩୦ରେ କୋଲକାତା ହାଇକୋର୍ଟର ବିଚାରପତି ଭାବେ ସେ ଶପଥ ଗ୍ରହଣ କରିଥିଲେ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ