କଟକ: ଜଗତସିଂହପୁର ଏରସମା ଅଞ୍ଚଳର ମୃତ ନାବାଳିକାକୁ ମିଳିଲା ନ୍ୟାୟ । ଦୀର୍ଘ ଏକବର୍ଷରୁ ଉର୍ଦ୍ଧ୍ବ ସମୟ ପରେ ଦୋଷୀ ଲବ ଓରଫ କାଳିଆକୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି ପୋକ୍ସ ଅଦାଲତ। ତେବେ ଏହି ଦଣ୍ଡ ପ୍ରକ୍ରିୟାରେ ସାମିଲ ଥିବା ସରକାରୀ ଓକିଲ ଏବଂ ତଦନ୍ତକାରୀ ଅଫିସରଙ୍କୁ ପ୍ରଶଂସା କରିବା ସହ ସମ୍ବର୍ଦ୍ଧିତ କରିଛନ୍ତି ପୋଲିସ ଡିଜିପି । ସମ୍ବର୍ଦ୍ଧିତ ହେବା ପରେ ଏହି ରାୟ ପୋଲିସ ଚାକିରୀ ଜୀବନରେ ଏକ ବଡ ସଫଳତା ବୋଲି କହିଛନ୍ତି ମାମଲାର ତଦନ୍ତକାରୀ ଅଫିସର ଥିବା ବିଚିତ୍ରାନନ୍ଦ ସେଠୀ ।
ସୂଚନାଯୋଗ୍ୟ, 21 ମାର୍ଚ୍ଚ 2018 ମସିହାରେ ଜଗତସିଂହପୁର ଜିଲା ଏରସମା ଅଞ୍ଚଳରେ ଘଟିଥିଲା ଏକ ଅଭାବନୀୟ ଅଘଟଣା । ଜଣେ ନିଷ୍ପାପ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରିଥିଲା ଅଭିଯୁକ୍ତ ଲବ । ଘଟଣାଟି ସମ୍ବେଦନଶୀଳ ହୋଇଥିବାରୁ ପୋଲିସ ଅତି ଗମ୍ଭୀରତାର ସହ ତଦନ୍ତ କରିଥିଲା ।
60 ଦିନ ମଧ୍ୟରେ ଚାର୍ଜସିଟ ଦାଖଲ ପରେ ଗତକାଲି ଦୁଷ୍କର୍ମକାରୀକୁ ଜିଲ୍ଲା ସ୍ବତନ୍ତ୍ର ପୋକ୍ସ କୋର୍ଟ ଫାଶୀ ଦଣ୍ଡାଦେଶ ଶୁଣାଇବା ପରେ ଏହି ମାମଲାର ତଦନ୍ତକାରୀ ଅଫିସର ଓ ସରକାରୀ ଓକିଲଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ପୋଲିସ ଡିଜି ବିଜୟ କୁମାର ଶର୍ମା । ଏହି ଅବସରରେ ସେ କହିଛନ୍ତି, ଏହିଭଳି ପୋଲିସ ଅଫିସର ରାଜ୍ୟ ପାଇଁ ଆଵଶ୍ୟକତା ରହିଛି । ସମସ୍ତ ଅଫିସର ନିଜ ଦାୟିତ୍ବ ଓ କର୍ତ୍ତବ୍ୟ ପ୍ରତି ସଚେତନତା ହେବା ଜରୁରୀ । ଯଦି ଭବିଷ୍ୟତରେ ଏପରି ମାମଲା ଘଟେ ତେବେ ପୋଲିସର ପଞ୍ଝାରୁ ଦୋଷୀ ଖସୀ ପାରିବନି ବୋଲି କହିଛନ୍ତି ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ