କଟକ: ଶେଷ ହେଲା କାଳୀପୂଜା । ୭୦ଟି ମଣ୍ଡପରେ ମା କାଳୀଙ୍କ ପୂଜା ପରେ ମା'ଙ୍କୁ ମେଲାଣି ଦିଆଯାଇଛି । ତେବେ ଆଜିର ଭସାଣ ଉତ୍ସବରେ ଦଶହରା ଭଳି ଚମକ ନଥିଲା । ନିରାଡ଼ମ୍ବର ଏବଂ ବିନା ଶୋଭାଯାତ୍ରାରେ ମା'ଙ୍କ ବିସର୍ଜନ କାର୍ଯ୍ୟ ଶେଷ ହୋଇଛି । ଗୋଟିଏ ମାତ୍ର ଘଣ୍ଟ ସହିତ ପୂଜା କମିଟି ଗୁଡ଼ିକ ନିଜ ନିଜର ମଣ୍ଡପର ମୃଣ୍ମୟୀ ମୂର୍ତ୍ତି ଗୁଡ଼ିକୁ ବିସର୍ଜିତ କରିଛନ୍ତି । କଟକ ସହରରେ 70ଟି ମଣ୍ଡପରେ ପୂଜା ପାଉଥିବା ମା' କାଳୀଙ୍କ ମୃଣ୍ମୟୀ ମୂର୍ତ୍ତିକୁ ପରମ୍ପରା ମୁତାବକ ଦେବୀଗଡ଼ା ଠାରେ ବିସର୍ଜିତ କରାଯାଇଛି । ତେବେ କୋଭିଡ କଟକଣା ପାଇଁ ଦୁଇ ବର୍ଷ ହେଲା କଟକରେ ପାର୍ବଣ ଫିକା ପଡ଼ିଥିବାରୁ ଏହାକୁ ନେଇ ପୂଜା କମିଟି ଗୁଡ଼ିକ ମଧ୍ୟରେ କ୍ଷୋଭ ରହିଛି ।
ହେଲେ ସଂକ୍ରମଣ ଭୟ ଯୋଗୁଁ ରାଜ୍ୟ ସରକାର ଜାରି କରିଥିବା ଗାଇଡ ଲାଇନକୁ ପାଳନ କରିଥିଲେ। ମା'କାଳୀଙ୍କ ଭସାଣ ବା ବିସର୍ଜନ ପାଇଁ କଟକ କାଠଯୋଡ଼ିର ଦେବୀ ଗଡ଼ା ଠାରେ ସ୍ବତନ୍ତ୍ର ଭାବେ ଦୁଇଟି କ୍ରୁତିମ ପୋଖରୀ ପ୍ରସ୍ତୁତ କରାଯାଇଥିଲା । ଅପେକ୍ଷାକୃତ କମ ମଣ୍ଡପରେ ମା'କାଳୀଙ୍କ ମୃର୍ତ୍ତୀ ପୂଜା କରାଯାଉଥିବାରୁ ମା'କାଳୀଙ୍କ ବିସର୍ଜନ ପାଇଁ ଦୁର୍ଗା ଭସାଣୀ ଭଳି କଡ଼ା କଟକଣା ଲଗାଇନଥିଲା ପୋଲିସ । କିନ୍ତୁ ପୂଜା କମିଟି ଗୁଡ଼ିକ ପୂର୍ବ ନିୟମ ମୁତାବକ ପୂଜା ମଣ୍ଡପର କର୍ମକର୍ତ୍ତାମାନେ ନିଜ ନିଜର ମେଢକୁ ବିସର୍ଜନ ସ୍ଥଳକୁ ଆଣି ବିସର୍ଜିତ କରିଥିଲେ । ତେବେ ପୂଜା ସହ ଭସାଣ ଉତ୍ସବ ରାଜ୍ୟ ସରକାରଙ୍କ ଗାଇଡ଼ ଲାଇନ ମୁତାବକ ସମ୍ପନ୍ନ କରିଥିବାରୁ ସହରବାସୀ ତଥା ମଣ୍ଡପ କର୍ମକର୍ତ୍ତାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ପୋଲିସ କମିଶନର ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ