କଟକ: ଏଥର ସରପଞ୍ଚଙ୍କୁ ପଦରୁ ବହିଷ୍କାର କରିପାରିବେ ଜିଲ୍ଲାପାଳ। ଏନେଇ ଜିଲ୍ଲାପାଳଙ୍କର ଆଇନଗତ କ୍ଷମତା ଅଛି ବୋଲି ଏକ ଗୁରୁତ୍ବପୂର୍ଣ୍ଣ ରାୟରେ କହିଛନ୍ତି ହାଇକୋର୍ଟ। ସୂଚନାମୁତାବକ, ୨୧ ବର୍ଷ ପୂରଣ କରିନଥିବା ନୂଆପଡା ବ୍ଲକ ଅନ୍ତର୍ଗତ ସଲିହା ଗ୍ରାମପଞ୍ଚାୟତର ସରପଞ୍ଚ ମନିତା ସାହୁଙ୍କ ନିର୍ବାଚନକୁ ନୂଆପଡା ଜିଲ୍ଳାପାଳ ଅସିଦ୍ଧ ଘୋଷଣା କରିବା ସହ ତାଙ୍କୁ ସରପଞ୍ଚ ପଦରୁ ବହିଷ୍କାର କରିଥିଲେ। ଏହି ଆଦେଶକୁ ଚ୍ୟାଲେଞ୍ଜ କରି ମନିତା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟର ଜଣିକିଆ ବିଚାରପତି ଜିଲ୍ଲାପାଳଙ୍କ ଏହି ଆଦେଶକୁ ରଦ୍ଦ କରିଥିଲେ। କିନ୍ତୁ ଏହି ଆଦେଶ ବିରୋଧରେ ହାଇକୋର୍ଟରେ ରିଟ ଅପିଲ କରାଯାଇଥିଲା। ହାଇକୋର୍ଟର ବିଚାରପତି ଜଷ୍ଟିସ ଏସ.କେ ମିଶ୍ର ଏବଂ ବିଚାରପତି ଜଷ୍ଟିସ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଜଣିକିଆ ବିଚାରପତିଙ୍କ ଆଦେଶକୁ ରଦ୍ଦ କରିବା ସହ ଜିଲ୍ଲାପାଳଙ୍କ ଆଦେଶକୁ କାଏମ ରଖିଛନ୍ତି।
ସୂଚନାଯୋଗ୍ୟ ଯେ, ସଲିହା ଗ୍ରାମପଞ୍ଚାୟତର ସରପଞ୍ଚ ଭାବେ ମନିତା ୨୦୧୭ ଫେବ୍ରୁଆରୀ ୨୭ ରେ ବିଜୟ ଲାଭ କରିଥିଲେ। କିନ୍ତୁ ମନିତା ଏହି ନିର୍ବାଚନ ପାଇଁ ଯେତେବେଳେ ପାର୍ଥିପତ୍ର ଦାଖଲ କରିଥିଲେ , ସେତେବେଳେକୁ ତାଙ୍କୁ ୨୧ ବର୍ଷ ହୋଇନଥିଲା ବୋଲି ନୂଆପଡା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଜିଲ୍ଲାପାଳ ଅଭିଯୋଗର ଶୁଣାଣି କରି ମନିତାଙ୍କୁ ସରପଞ୍ଚ ପଦରୁ ବହିଷ୍କାର କରାଯାଇଥିଲା। ତେବେ ଏହି ଆଦେଶକୁ ଚ୍ୟାଲେଞ୍ଜ କରି ମନିତା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।
ହାଇକୋର୍ଟ ନିଜ ରାୟରେ ସ୍ପଷ୍ଟ କରିଛନ୍ତି ଯେ, ସରପଞ୍ଚ ହୁଅନ୍ତୁ କି ନାଏଵ ସରପଞ୍ଚ କିମ୍ବା ୱାର୍ଡ ସଭ୍ୟ, ଜଣେ ନିର୍ବାଚିତ ପ୍ରତିନିଧି ଉକ୍ତ ପଦରେ ରହିପାରିବେ କି ନାହିଁ, ସେ ସଂକ୍ରାନ୍ତରେ ନିଷ୍ପତ୍ତି ନେଇପାରିବେ ଜିଲ୍ଲାପାଳ ଓ ଚାହିଁଲେ ପଦର ବହିଷ୍କାର ମଧ୍ୟ କରିପାରିବେ ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ