କଟକ: ପୋଲିସ ଡିଜି ଶ୍ରୀ ଅଭୟଙ୍କ ସମୀକ୍ଷା ବୈଠକ । ଏହି ବୈଠକରେ ଡିଜି ରାଜ୍ୟର ସମସ୍ତ ରେଞ୍ଜ ଆଇଜି, ଡ଼ିଆଇଜି, ସମସ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ଭୁବନେଶ୍ୱର ଓ କଟକ ଡିସିପି , ରେଳବାଇ ଆରକ୍ଷୀ ଅଧିକ୍ଷକ କଟକ ଓ ରାଉରକେଲା ସହ ଭିଡିଓ କନ୍ଫରେନସ ଜରିଆରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା କରିଛନ୍ତି ।

ବିଶେଷକରି ପୋଲିସ କର୍ମଚାରୀ କିମ୍ବା ଅଧକାରୀ କୋରୋନା ସଂକ୍ରମିତ ହେବାପରେ ପରବର୍ତ୍ତୀ ପଦକ୍ଷେପ କଣ ନିଆଯିବ, ବର୍ତ୍ତମାନ ସ୍ଥିତିରେ ଅଭିଯୁକ୍ତଙ୍କୁ ଗିରଫ,ରିମାଣ୍ଡ ଓ ହାଜତ ପାଇଁ ଆଚରଣ ବ୍ୟବସ୍ଥା ଉପରେ ଏହି ବୈଠକରେ ଆଲୋଚନା କରାଯାଇଛି। ଏହାସହ ମହିଳାଙ୍କ କ୍ଷେତ୍ରରେ ଘଟୁଥିବା ଅପରାଧ, ନିଶାଦ୍ରବ୍ୟ ଚୋରା ଚାଲାଣ ଦିଗରେ କାର୍ଯ୍ୟାନୁଷ୍ଠାନ, ଜିଲ୍ଲା ମାନଙ୍କରେ ଜିଇଏମ ପଞ୍ଜିକରଣ ପ୍ରସଙ୍ଗ ଉପରେ ମଧ୍ୟ ଗୁରୁତ୍ବାରୋପ କରାଯାଇଛି।

ଏହାଛଡା ପୋଲିସ ପଦକ ପାଇଁ ମନୋନୟନ, ବର୍ତ୍ତମାନ ସମୟରେ ପୋଲିସ କର୍ମଚାରୀ ମାନଙ୍କ ପାଇଁ ସ୍ୱତନ୍ତ୍ର ପୋଷାକ ଓ ଅନ୍ୟାନ୍ୟ ସମଗ୍ରୀ, ପୋଲିସ ଦ୍ୱାରା ପରିଚାଳିତ କୋଭିଡ କେୟାର ସେଣ୍ଟର ଓ କୋଭିଡ କେୟାର ହୋମ ଓ କର୍ମଚାରୀଙ୍କ ବ୍ୟକ୍ତିଗତ ଅସୁବିଧା ସମୂହ ବିଷରେ ମଧ୍ୟ ବୈଠକରେ ଆଲୋଚନା ହୋଇଛି । ଏହି ସମୀକ୍ଷା ବୈଠକରେ ଡିଜି ଅଭୟଙ୍କ ସମେତ ଅନ୍ୟାନ୍ୟ ବିଭାଗର ଅତରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ, ଟ୍ବିନ ସିଟି ପୋଲିସ କମିଶନର, ଆଇଜି ପ୍ରୋଭିଜନିଂ ଓ ଆଇଜି ପରସୋନେଲ ପ୍ରମୁଖ ଉପସ୍ଥିତ ଥିଲେ ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ