ନୂଆଦିଲ୍ଲୀ: 'ପାନ'... କାହାକୁ ବା ପସନ୍ଦ ନୁହେଁ, ଖାଇସାରିଲା ପରେ ପାନ ଖଣ୍ଡିଏ ଖାଇଦେଲେ ମନଟା ଭାରି ଖୁସି ହୋଇଯାଏ। ପାନ ପ୍ରିୟ ଲୋକମାନେ ଦିନକୁ 10-15 ଖଣ୍ଡ ପାନ ନ ଖାଇଲେ ଯେମିତି ତାଙ୍କ ମନ ବୁଝେନା। କିଏ ମିଠା ପାନ ଖାଇବାକୁ ଭଲପାଏ ତ ଆଉ କିଏ ଧୂଳିଗୁଣ୍ଡି, ତ ଆଉ କିଏ ଟିପେ ଖଇର ଦେଇ ଖଣ୍ଡ ଗୁଆ ଖାଇବାକୁ ଭଲପାଏ। କିଏ ପାନରେ ହାଲକା ଚୂନ ଦେଇ ଖାଇବାକୁ ଭଲପାଏ ତ ଆଉ କିଏ ଅଳେଇଚ ସାଙ୍ଗକୁ ନାଲି ଚେରୀ ଦିଆ ପାନ। ବାହାଘର ହେଉକି ବ୍ରତଘର, ଜନ୍ମଦିନ ହେଉ କି ରଜ ମହୋତ୍ସବ, ପାନର ନିଆରା ଅନ୍ଦାଜ ରହିଛି । କୁଣିଆଙ୍କୁ ବିଦାୟ ଦେଲାବେଳେ କାଚ ଥାଳିଆରେ ଥୁଆ ହୋଇଥିବା ପାନ ଖଣ୍ଡେ ଯାଚିଦେଲେ ଘରର ମର୍ଯ୍ୟାଦା ରକ୍ଷା ହେଲା ଭଳି ଲାଗେ। ପାନ ସମ୍ପର୍କର ସେତୁ। ସୁବାସିତ କେତକି ଖଇର, ବଡ଼ଫାଳ ଗୁଆ, ଲବଙ୍ଗ, ଅଳେଇଚ, ଜାଇଫଳ ଦିଆହୋଇଥିବା ପାନ ଖଣ୍ଡିଏ ଖାଇଦେଲେ ଚରମ ଆନନ୍ଦ ଲାଗିଥାଏ। ଏହା ଶରୀରରେ ଖାଦ୍ୟକୁ ହଜମ ହେବାରେ ସାହାଯ୍ୟ କରିଥାଏ। ଥଣ୍ଡା ସର୍ଦ୍ଦି ହୋଇଥିଲେ ପାନ ପତ୍ର ସହ ସାମାନ୍ୟ ଜୁଆଣି ମିଶାଇ ଖାଇଲେ ଉପଶମ ମିଳିଥାଏ । ରଜବୁଲି ଆସୁଥବା ସମସ୍ତ ଅଭ୍ୟାଗତଙ୍କୁ ପାନ ଅର୍ପଣ କରି ଓଡ଼ିଆ ପରମ ସନ୍ତୋଷ ଅନୁଭବ କରେ।
ଆଜି ଆମେ ଆପଣଙ୍କୁ ଏମିତି ଏକ ପାନ ଦୋକାନୀଙ୍କ ବିଷୟରେ କହିବୁ, ଯିଏ କି ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀଙ୍କୁ ପାନ ଖୁଆଇଛନ୍ତି। ତାଙ୍କ ପାନର ଚାହିଦା ଏତେ ଯେ, ଦେଶ-ବିଦେଶରୁ ଲୋକ ତାଙ୍କ ଦୋକାନକୁ କେବଳ ପାନ ଖାଇବାକୁ ଆସିଥାନ୍ତି । ସେ ହେଉଛନ୍ତି ଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନ ପରିସରରେ ପ୍ରସିଦ୍ଧ ପାଣ୍ଡେ ଦୋକାନୀ 'ନାରାୟଣ ପାଣ୍ଡେ'। ଏହି ଦୋକାନ 1943 ମସିହାରେ ଦିଲ୍ଲୀସ୍ଥିତ କନ୍ନର୍ଟ ପ୍ଲେସରେ ଆରମ୍ଭ ହୋଇଥିଲା। ସୂଚନାଯୋଗ୍ୟ ଯେ, 1969 ମସିହାରେ ତତ୍କାଳୀନ ରାଷ୍ଟ୍ରପତି ଭି.ଭି ଗିରି ନାରାୟଣ ପାଣ୍ଡେଙ୍କୁ ସାଉଥ୍ ବ୍ଲକର ନର୍ଥ ଏଭିନ୍ୟୁରେ ଆଉ ଗୋଟିଏ ଦୋକାନ ଖୋଲିବାକୁ ଅନୁମତି ଦେଇଥିଲେ। ସେବେଠାରୁ ଆଜି ପର୍ଯ୍ୟନ୍ତ ଏହି ଦୋକାନଟି ସେଠାରେ ଅଛି । ଏହି ଦୋକାନର ପ୍ରତିଷ୍ଠାତା ହେଉଛନ୍ତି ସ୍ବର୍ଗତଃ ଶିବ ନାରାୟଣ ପାଣ୍ଡେ। ତାଙ୍କ ଦେହାନ୍ତ ପରେ ଦେବୀ ପ୍ରସାଦ ପାଣ୍ଡେ ଏହି ଦୋକାନ ସମ୍ଭାଳିଥିଲେ। ଏହାପରେ ତାଙ୍କ ପୁଅ ହରିଶଙ୍କର ପାଣ୍ଡେ ଏବେ ଦୋକାନର ସମସ୍ତ ଦାୟିତ୍ବ ସମ୍ଭାଳୁଛନ୍ତି ।
ପାଣ୍ଡେ ପାନ ଦୋକାନର ସବୁଠାରୁ ମୁଖ୍ୟ ବିଶେଷତ୍ବ ହେଉଛି ଏଠାରେ ପ୍ରସ୍ତୁତ ହେଉଥିବା ସ୍ବତନ୍ତ୍ର ପାନ ସରକାରୀ ଭାବେ ରାଷ୍ଟ୍ରପତି ଭବନକୁ ପଠାଯାଇଥାଏ। ଏହାସହ ହାଇଦ୍ରାବାଦ ହାଉସକୁ ମଧ୍ୟ ବିଶେଷ ଭାବେ ପଠାଯାଇଥାଏ। ହାଇଦ୍ରାବାଦ ହାଉସରେ ବିଦେଶୀ ସରକାରୀ ଅତିଥିଙ୍କ ପାଇଁ ରହିବା ଓ ଖାଇବାର ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥାଏ। ଯିଏ ବି ବିଦେଶୀ ଅତିଥି ଆସନ୍ତୁ, ସେ ପାଣ୍ଡେ ଦୋକାନର ସ୍ବତନ୍ତ୍ର ମିଠା ପାନ ଖାଇଥାଆନ୍ତି । ଏଠାରେ 150 ପ୍ରକାରର ମିଠା ପାନ ବିକ୍ରି ହୋଇଥାଏ। 30 ଟଙ୍କାରୁ ଆରମ୍ଭ କରି 100 ଟଙ୍କା ପର୍ଯ୍ୟନ୍ତ ପାନ ବିକ୍ରି ହୋଇଥାଏ।
ଫେବୃୟାରୀରେ ଡୋନାଲ୍ଡ ଟ୍ରମ୍ପ ଖାଇଥିଲେ 'ୱୋଫଲ ପାନ':
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯେବେ ନିକଟରେ ଭାରତ ଆସିଥିଲେ। ତାଙ୍କ ପାଇଁ ଏହି ଦୋକାନରୁ ବିଶେଷ ପାନ ଯୋଗାଣ କରାଯାଇଥିଲା। ଟ୍ରମ୍ପଙ୍କ ପାଇଁ ସ୍ବତନ୍ତ୍ର ପାନ ପ୍ରସ୍ତୁତ କରାଯାଇଥିଲା। ଯାହାର ନାଁ 'ୱୋଫଲ ପାନ' । ଏଥିରେ କୌଣସି ପ୍ରକାରର ତମାଖୁ ଜାତୀୟ ଦ୍ରବ୍ୟ ବ୍ୟବହାର କରାଯାଇ ନ ଥିଲା। ଏହି 'ୱୋଫଲ ପାନ' ଆକାରରେ ଆଇସକ୍ରିମ କୋନ ପରି । ଏଥିରେ ଚକୋଲେଟ, ଗୁଲକନ୍ଦ, ପାନର ପତ୍ର ଏବଂ ଶରୀର ପାଇଁ ଉପାଦେୟ ସମସ୍ତ ତଥ୍ୟ ମିଶ୍ରଣ କରି ଏଥିରେ ଭର୍ତ୍ତି କରାଯାଇଥାଏ। ଏହି ପାନକୁ ବହୁତ ଲୋକ ପସନ୍ଦ କରନ୍ତି । ଏହାର ଅନ୍ୟ ନାଁ 'ଟ୍ରମ୍ପ ପାନ'। ଏହି ପାନର ମୂଲ୍ୟ 100 ଟଙ୍କା।
ବିନା ତମାଖୁରେ ପ୍ରସ୍ତୁତ ହୁଏ ପାନ:
ସାଧାରଣତଃ ସମସ୍ତଙ୍କ ପାନରେ ପ୍ରସ୍ତୁତ ନେଇ କି ଏହି ଭ୍ରମ ଥାଏ ଯେ, ଏଥିରେ ତମାଖୁ ଜାତୀୟ ଦ୍ରବ୍ୟ ବ୍ୟବହାର କରାଯାଇଥାଏ। ବିନା ତମାଖୁରେ ଯେପରି ପାନରେ ସ୍ବାଦ ଆସି ନଥାଏ। କିନ୍ତୁ ଏହାକୁ ସମ୍ପୂର୍ଣ୍ଣ ଭୁଲ ପ୍ରମାଣିତ କରିଛି 'ପାଣ୍ଡେ ପାନ ଦୋକାନ'। ଏଠାରେ ପ୍ରସ୍ତୁତ ସମସ୍ତ ପାନ ବିନା ତମାଖୁରେ ହିଁ ତିଆରି ହୋଇଥାଏ। ପାନ ବ୍ୟତୀତ ଏଠାରେ ଅନ୍ୟ କୌଣସି ତମାଖୁ ଜାତୀୟ ପଦାର୍ଥ ବିକ୍ରି ମଧ୍ୟ ହୋଇ ନ ଥାଏ। ଯେ କେହି ବି ଏହି ଦୋକାନକୁ ପାନ ଖାଇବାକୁ ଆସିଥାନ୍ତି, ସେମାନଙ୍କ ତମାଖୁ ସେବନ ନ କରିବା ପାଇଁ ପରାମର୍ଶ ମଧ୍ୟ ଦିଆଯାଇଥାଏ। ଏଠାରେ ପ୍ରସ୍ତୁତ ହେଉଥିବା ସମସ୍ତ ପାନରେ ଶୁଦ୍ଧ ଫଳ, ଶୁଦ୍ଧ କୋଳି, ଶୁଦ୍ଧ ଡ୍ରାଏଫ୍ରୁଟ, ଗୋଲାପ ଜଳ ଏବଂ ମହୁରୁ ତିଆରି ହେଉଥିବା ମସଲା ହିଁ ବ୍ୟବହାର ହୋଇଥାଏ।
ଓଡି଼ଶାରୁ ଆସେ 'ଜଗନ୍ନାଥି ଲିଭ୍', ପ୍ରଶଂସାରେ ଶତମୁଖ ବିଦେଶ ରାଷ୍ଟ୍ରପତି
ପାଣ୍ଡେ ପାନ ଦୋକାନରେ ପ୍ରସ୍ତୁତ ହେଉଥିବା ସମସ୍ତ ପାନର ପତ୍ର ଓଡିଶାରୁ ହିଁ ଆସିଥାଏ। ଏହି ପତ୍ର ଓଡିଶାର ପୁରୀ ସହରରୁ ଆସିଥାଏ। ଏହାକୁ ଜଗନ୍ନାଥି ଲିଭ୍ ବା ଜଗନ୍ନାଥି ପତ୍ର କୁହାଯାଏ। ଏହା ହେଉଛି ଏହି ଦୋକାନର ବିଶେଷତ୍ବ। ଏହି ପାନ ପତ୍ର ଅନ୍ୟ କେଉଁଠି ମିଳି ନ ଥାଏ। କାହିଁକିନା ଏହି ପତ୍ର ପାଟିରେ ଯିବା ମାତ୍ରେ ମାତ୍ର 30 ସେକେଣ୍ଡରେ ହିଁ ମିଳେଇ ଯାଇଥାଏ। ଫଳରେ ଏହାର କଡା ନାଲି ଛେପ କେଉଁଆଡେ ପକାଇବାକୁ ମଧ୍ୟ ପଡି ନ ଥାଏ। ତେଣିକି ସେ ଯେଉଁ ବି ପାନ ହେଉ ନା କାହିଁକି ଜଗନ୍ନାଥି ପତ୍ରରେ ହିଁ ତାହା ପ୍ରସ୍ତୁତ କରାଯାଇଥାଏ। ଏଥିରେ କୌଣସି ହାନିକାରକ ପଦାର୍ଥ ନ ଥାଏ। ଏହା ଓଡିଶା ମାଟି ପାଇଁ ଗର୍ବ ଓ ଗୌରବର ବିଷୟ। ଓଡିଶାର ପାନ ପତ୍ର ରାଷ୍ଟ୍ରପତି ଭବନଠାରୁ ଆରମ୍ଭ କରି ହ୍ବାଇଟ ହାଉସ ଯାଏଁ ପହଞ୍ଚିପାରିଛି। ଏହି ପାନ ପତ୍ରର ପ୍ରଶଂସା ପୂର୍ବତନ ରାଷ୍ଟ୍ରପତି ଡ.ରାଜେନ୍ଦ୍ର ପ୍ରସାଦଙ୍କ ଠାରୁ ଆରମ୍ଭ କରି ପ୍ରଣବ ମୁଖାର୍ଜୀଙ୍କ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ କରିଥିଲେ।
150 ପ୍ରକାର ମିଠା ପାନ ମିଳିଥାଏ:
ମିଠା ପାନ ସମସ୍ତଙ୍କୁ ପସନ୍ଦ। ଖଇର, ମିଠା ମସଲା, ଅଳେଇଚ, ଲବଙ୍ଗ, ଚେରି, ଚୂନ, ଗୁଲକନ୍ଦ, ଗୁଆ ଭଳି ଅନେକ ଚଟପଟା ମସଲା ଦେଇ ମିଠା ପାନ ପ୍ରସ୍ତୁତ କରାଯାଇଥାଏ। ଏହାକୁ ଖାଇବାକୁ ପ୍ରାୟ ସମସ୍ତେ ପାଗଳ। କିନ୍ତୁ ଏହି ପାନରେ ଯଦି ଆମ୍ବର କିଛି ଟୁକୁଡା ଦିଆଯିବ, କିଛି ବ୍ଲୁବେରୀର ରସ ଦିଆଯିବ, ଚକୋଲେଟର କିଛି ଖଣ୍ଡ ଦିଆଯିବ, ତାହାଲେ ତ ଏହି ପାନର ସ୍ବାଦ କାହିଁ କେତେ କୁଆଡୁ ବଢିଯିବ। ଷ୍ଟ୍ରବେରୀ ପାନ, କ୍ରେନବେରୀ ପାନ, ବ୍ରୋଉନୀ ୱାଲନଟ, କଷ୍ଟଡ ଆପେଲ, ଚିଲଗୋଜା, ପିସ୍ତା, ପିନା କୋଲାଡା, କିୱି, ମସ୍କ ମେଲେନ, ଡ୍ରାଏ ଫୁଟ ମିଠା ପାନ, ଫ୍ରେସ ଫ୍ରୁଟ ପାନ ହନି ୱିଥ ଆଲମଣ୍ଡ, ବ୍ଲାଷ୍ଟର-200, ରୋଷ୍ଟେଡ କାଜୁ, ଅଞ୍ଜିର ପରି ଭଳିକିଭଳି ପାନ ଏଠାରେ ମିଳିଥାଏ, ଚାଲନ୍ତୁ ଜାଣିବା ଏଥିରୁ କିଛି ପାନ ସମ୍ପର୍କରେ....
ମାଧୁରୀ ପାନ:
ଶୁଣିବାକୁ ଯେତିକି ସୁନ୍ଦର ଲାଗୁଛି, ସ୍ବାଦ ମଧ୍ୟ ଆହୁରି ସୁମଧୁର। ଏହି ପାନକୁ ମାଧୁରୀ ଦୀକ୍ଷିତ ଖାଇଥାନ୍ତି । ଏହା ମଗଇ ପତ୍ରରେ ପ୍ରସ୍ତୁତ ହୋଇଥାଏ। ଏଥିରେ ଗୁଲକନ୍ଦ, ମହୁ ଓ ଗୋଲାପ ଜଳରେ ପ୍ରସ୍ତୁତ ମସଲା ହିଁ ବ୍ୟବହାର ହୋଇଥାଏ। ଏହାର ସ୍ବାଦ ସମ୍ପୂର୍ଣ୍ଣ ନିଆରା। ମାଧୁରୀ ଏହି ପାନ ଖାଇଥିବାରୁ ଏହାର ନାଁ 'ମାଧୁରୀ ପାନ' ରଖାଯାଇଛି । ଯିଏ ବି କେହି ଗ୍ରାହକ ଆସନ୍ତି, ସେମାନେ ମାଧୁରୀ ପାନ ହିଁ ମାଗିଥାଆନ୍ତି । ଏହି ପାନର ଚାହିଦା ଖୁବ୍ ଅଧିକ। ଏହି ପାନର ମୂଲ୍ୟ 40 ଟଙ୍କା ।
ମ୍ୟାଙ୍ଗୋ ଓ ବ୍ଲୁବେରୀ ପାନ:
ଏହି 2ଟି ପାନର ନାଁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ। କାରଣ ସମସ୍ତେ କେବଳ ଗୁଣ୍ଡି ମସଲା ଦିଆ ପାନ ହିଁ ଖାଇଥାଆନ୍ତି । ପାନରେ କେମିତି ପୁଣି ମ୍ୟାଙ୍ଗୋ ବା ଆମ୍ବ ଏବଂ ବ୍ଲୁବେରୀ ପ୍ରୟୋଗ କରାଯିବ, ଏହା ଚିନ୍ତାର ବିଷୟ। କିନ୍ତୁ ଏହା ସତ। କେବଳ ପାଣ୍ଡେ ଦୋକାନରେ ହିଁ ଏହିଭଳି ଅନୋଖା ପାନ ପ୍ରସ୍ତୁତ କରାଯାଏ। ମ୍ୟାଙ୍ଗୋ ବା ଆମ୍ବ ପାନରେ ସତେଜ ପାଚିଲା ଆମ୍ବର ଟୁକୁଡାକୁ ଖଣ୍ଡଖଣ୍ଡ କରିଦିଆଯାଏ। ତାପରେ ଭଳି କି ଭଳି ମିଠା ମସଲା ଦିଆଯାଇ ଏହାକୁ ତିଆରି କରାଯାଇଥାଏ । ପାଚିଲା ଆମ୍ବ ଖାଇଲେ ଯେମିତି ଲାଗିଥାଏ, ଏହା ଠିକ୍ ସେହିପରି ଲାଗିଥାଏ। ତେଣୁ ଏହି ପାନ ବେଶ୍ ଲୋକପ୍ରିୟ ହୋଇପାରିଛି । ଏହା ବ୍ୟତୀତ ବ୍ଲୁବେରୀ ପ୍ରସ୍ତୁତ ପାନ ମଧ୍ୟ ଗ୍ରାହକଙ୍କ ମଧ୍ୟରେ ନିଜର ଏକ ଛାପ ଛାଡିପାରିଛି । ଏହା ଖାଲି ପାଟିକୁ ସ୍ବାଦଯୁକ୍ତ କରାଏ, ତାହା ନୁହେଁ ଏହା ସ୍ବାସ୍ଥ୍ୟ ପାଇଁ ଖୁବ୍ ଫଳପ୍ରଦ ହୋଇଥାଏ। ପାନରେ ବ୍ଲୁବେରୀର କିଛି ଟୁକୁଡା ଦିଆଯାଇ ଏହାକୁ ପ୍ରସ୍ତୁତ କରାଯାଏ।
ଚକୋଲେଟ ପାନ:
ଚକୋଲେଟ ନାଁ ଶୁଣିଲେ ବଡ ଠାରୁ ଆରମ୍ଭ କରି ଛୋଟ ପର୍ଯ୍ୟନ୍ତ ସମସ୍ତଙ୍କ ପାଟିରୁ ଲାଳ ବାହାରିଥାଏ। ତେଣିକି ସେ ଯେଉଁଥିରେ ବି ବ୍ୟବହାର କରାଯାଉ କି ନାହିଁ, ସେ ଆଇସକ୍ରିମ ହେଉ କି ପାନ। କେବଳ ପାନ ପ୍ରିୟ ଲୋକ କାହିଁକି ଏହି ଚକୋଲେଟ ପାନକୁ ଯେ କେହି ବି ଖାଇପାରିବେ। ଚାଲନ୍ତୁ ଜାଣିବା କେମିତି ପ୍ରସ୍ତୁତ ହୁଏ ଏହି ପାନ...ପ୍ରଥମେ ଚକୋଲେଟକୁ ତରଳାଯାଏ। ଏହାପରେ ମିଠା ପାନ ପତ୍ରରେ ଏହି ଚକୋଲେଟକୁ କୋଟିଂ କରାଯାଏ। ତାପରେ ଏଥିରେ ଶୁଦ୍ଧ ଗୋଲାପ ଜଳ ଏବଂ ମହୁରୁ ପ୍ରସ୍ତୁତ ହୋଇଥିବା ଗୁଲକନ୍ଦକୁ ଏଥିରେ ଭର୍ତ୍ତି କରାଯାଇଥାଏ। ଏହି ପାନର ମୂଲ୍ୟ 60 ଟଙ୍କା। 2014ରେ ଯେତେବେଳେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଦିଲ୍ଲୀ ଆସିଥିଲେ, ସେତେବେଳେ ସେ ଏହି ଚକୋଲେଟ ପାନକୁ ରାଷ୍ଟ୍ରପତି ଭବନରେ ଖାଇଥିଲେ। ଏହି ପାନର ଖୁବ୍ ପ୍ରଶଂସା ମଧ୍ୟ କରିଥିଲେ। ଏହି ପାନକୁ ସେ ଆମେରିକା ମଧ୍ୟ ନେଇକି ଯାଇଥିଲେ। ଏହାଛଡା ଦେଶକୁ ରାଷ୍ଟ୍ରପତି ଭବନ ଏବଂ ହାଇଦ୍ରାବାଦ ହାଉସକୁ ଯେ କେହି ବି ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ଆସନ୍ତି, ସେମାନଙ୍କ ନିକଟରେ ଭୋଜନ ସମୟରେ ଏହି ଚକୋଲେଟ ପାନ ପରସାଯାଏ।
ବଟରସ୍କ୍ରଚ ପାନ:
ଏହି ପାନର ନାଁ ଶୁଣିଲେ ପାଟିରୁ ଲାଳ ବାହାରିଯାଇଥାଏ। କାହିଁକିନା ବଟରସ୍କ୍ରଚ ଫ୍ଲେଭର ସମସ୍ତଙ୍କର ପ୍ରିୟ। ଏହି ଫ୍ଲେଭରର କେବଳ ଆଇସକ୍ରିମ ଓ ଚକୋଲେଟ ମିଳିଥାଏ । କିନ୍ତୁ ଏବେ ଏଥିରେ ପାନ ମଧ୍ୟ ପ୍ରସ୍ତୁତ ହେଲାଣି। ଏହି ପାନରେ କାଜୁର ଛୋଟ ଛୋଟ ଖଣ୍ଡ ଦିଆଯାଇଥାଏ। ଏହି ପାନ ଆଇସକ୍ରିମର କୋନ ସଦୃଶ୍ୟ ହୋଇଥାଏ। ଏହା ଭିତରେ କେବଳ ମିଠା ମସଲା ହିଁ ଦିଆଯାଇଥାଏ। କୌଣସି ପ୍ରକାରର କୁତ୍ରିମ ରଙ୍ଗ, ଫ୍ଲେଭର ଏଥିରେ ବ୍ୟବହାର କରାଯାଇନଥାଏ। ଏହି ପାନର ଚାହିଦା ମଧ୍ୟ ଖୁବ୍ ଅଧିକ।
ଡାଏଟ ପାନ:
ଫିଟନେସ ପ୍ରତି ଧ୍ୟାନ ଦେଉଥିବା ଲୋକମାନେ ମଧ୍ୟ ଏହି ଦୋକାନରୁ ପାନ ଖାଇଥାନ୍ତି। ସେମାନଙ୍କ ପାଇଁ 'ଡାଏଟ ପାନ' ପ୍ରସ୍ତୁତ କରାଯାଇଥାଏ। ଯାହା ଶରୀର ମେଦବହୁଳତା ହ୍ରାସ କରିବାରେ ଖୁବ୍ ସାହାଯ୍ୟ କରିଥାଏ। ତେଣୁ ଏହି ପାନର ମଧ୍ୟ ଖୁବ୍ ଚାହିଦା ରହିଛି ।
ଏମ୍.ଏଫ୍ ହୁସେନ ଓ ପାଣ୍ଡେ ପାନଦୋକାନ:
ପ୍ରଖ୍ୟାତ ଚିତ୍ରକର ଓ ଚଳଚ୍ଚିତ୍ର ନିର୍ଦ୍ଦେଶକ ଏମ୍.ଏଫ୍ ହୁସେନ ପ୍ରତ୍ୟହ ସକାଳେ ପାଣ୍ଡେ ଦୋକାନକୁ ଆସୁଥିଲେ । ନିଜ ମନ ପସନ୍ଦର ପାନ ଖାଇବା ସହ ସାଙ୍ଗରେ ପାନ ନେଇକି ମଧ୍ୟ ଯାଆନ୍ତି । ତାଙ୍କ ଦ୍ବାରା ନିର୍ଦ୍ଦେଶିତ ଗଜ ଗାମିନୀ ଚଳଚ୍ଚିତ୍ରରେ ମାଧୁରୀ ଦୀକ୍ଷିତ ଅଭିନୟ କରିଥିଲେ। ଆଉ ହୁସେନଙ୍କୁ ପାଣ୍ଡେ ପାନ ଦୋକାନର ପାନ ଏତେ ପସନ୍ଦ ଥିଲା ଯେ, ସେ ମାଧୁରୀଙ୍କୁ ମଧ୍ୟ ଏହି ଦୋକାନକୁ ପାନ ଖାଇବାକୁ ଆଣିଥିଲେ। ତେଣୁ ମାଧୁରୀଙ୍କ ପାଇଁ ଦୋକାନୀ ମଗଇ ପତ୍ର (ଗୟା-ବିହାରରେ ପ୍ରସିଦ୍ଧ ପାନ ପତ୍ର), ମହୁଦ୍ବାରା ପ୍ରସ୍ତୁତ ଗୁଲକନ୍ଦ, ମିଠା ପତ୍ରରେ ପ୍ରସ୍ତୁତ ମସଲାରେ ଏହି ପାନ ପ୍ରସ୍ତୁତ କରାଯାଇଥାଏ। ଏହି ପାନ ମୁହଁରେ ମିଳାଇ ଯାଇଥାଏ। ଏଥିରେ କୌଣସି ପ୍ରକାରର ତମାଖୁ ବ୍ୟବହାର କରାଯାଏ ନାହିଁ। ହୁସେନ ଅତ୍ୟନ୍ତ ଖୁସି ହୋଇ ପାଣ୍ଡେ ଦୋକାନକୁ ଏକ ଚିତ୍ର ଭେଟି ଦେଇଥିଲେ। ଏହି ଚିତ୍ରରେ ହନୁମାନ ସଞ୍ଜୀବନୀ ଧରି ଯିବାବେଳେ ସେଥିରେ ପାନ ପତ୍ର ମଧ୍ୟ ରହିଥିଲା। ପୌରାଣିକ କଥା ଅନୁଯାୟୀ ତାମ୍ବୁଳ ବା ପାନ ଶରୀର ପକ୍ଷେ ବହୁତ ହିତକର। ସମୁଦ୍ର ମନ୍ଥନ ସମୟରେ ମଧ୍ୟ ତାମ୍ବୁଳ ବାହାରିଥିଲା। ତେଣୁ ପାନକୁ ଏକପ୍ରକାର ଅମୃତ ଭାବେ ବିବେଚନା କରାଯାଏ। ସେଥିପାଇଁ କୌଣସି ବି ପୂଜା ହେଲେ ଭଗବାନଙ୍କ ନିକଟରେ ପାନପତ୍ର ଅର୍ପଣ କରାଯାଏ।
ପାଣ୍ଡେ ଦୋକାନରୁ ସଇଦ ଜାଫ୍ରରୀ ଶିଖୁଥିଲେ ଅଭିନୟ:
ଭେଟେରାନ ଅଭିନେତା ସଇଦ ଜାଫ୍ରରୀ ପ୍ରତ୍ୟହ ତାଙ୍କ ଦୋକାନକୁ ଆସୁଥିଲେ। ସେ ତାଙ୍କ ପ୍ରତ୍ୟେକ ଚଳଚ୍ଚିତ୍ରରେ ଜୀବନ୍ତ ଅଭିନୟ କରିବାକୁ ଚେଷ୍ଟା କରୁଥିଲେ। କାହିଁକିନା ସେ ତାଙ୍କ ଅଭିନୟ ପ୍ରତି ପ୍ରତିବଦ୍ଧତା ଥିଲେ। 'ଚଷମେ ବଦୁର' ନାମକ ଚଳଚ୍ଚିତ୍ରରେ ସେ ଏକ ପାନ ଦୋକାନୀ ଭୂମିକାରେ ଅଭିନୟ କରିଥିଲେ। ଗ୍ରାହକଙ୍କ ସହ କେମିତି ବ୍ୟବହାର କରିବ, କିପରି ଜିନିଷପତ୍ରର ମୂଲଚାଲ କରିବ, କେମିତି ଗ୍ରାହକଙ୍କୁ ପାନର ଉପକାରିତା ସମ୍ପର୍କରେ ବୁଝାଇବେ, ମସଲା ଦେଇ କେମିତି ପାନ ପ୍ରସ୍ତୁତ କରିବେ, ପାନ ଖୁଆଇ ଶିଖାଇବାର କଳା ସେ ପାଣ୍ଡେ ଜୀଙ୍କ ଦୋକାନଙ୍କୁ ଆସି ଶିଖୁଥିଲେ। ଏହାସହ ତାଙ୍କର ଚଳଚ୍ଚିତ୍ରର ଅଧିକାଂଶ ଦୃଶ୍ୟ ପାଣ୍ଡେ ପାନ ଦୋକାନରେ ହିଁ ସୁଟିଂ କରାଯାଇଥିଲା।
କିଏ କିଏ ଖାଇଥିଲେ ପାନ:
ଗଣତନ୍ତ୍ର ଦିବସ ଅବସରରେ ପାଣ୍ଡେ ଦୋକାନର ପ୍ରତିଷ୍ଠାତା ନାରାୟଣ ପାଣ୍ଡେ ତତ୍କାଳୀନ ରାଷ୍ଟ୍ରପତି ଡ.ରାଜେନ୍ଦ୍ର ପ୍ରସାଦଙ୍କୁ ମିଠା ପାନ ଖୁଆଇଥିଲେ। ତାଙ୍କ ଏହି ପାନ ବହୁତ ପସନ୍ଦ ଆସିଥିଲା। ରାଷ୍ଟ୍ରପତି ପ୍ରସାଦଙ୍କୁ ଏହି ପାନ ଏତେ ପସନ୍ଦ ଥିଲା ଯେ, ସେ ପ୍ରତ୍ୟେକ ଦିନ ପାଣ୍ଡେଙ୍କ ଦୋକାନକୁ ଆସିବାକୁ ଲାଗିଲେ। ତେବେ ପାଣ୍ଡେଙ୍କ ଦୋକାନ କନର୍ଟ ପ୍ଲେସରେ ହିଁ ଥିଲା। ସେତେବେଳେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଅଧିକାଂଶ ସମୟରେ ରାତିରେ ପାନ ଖାଇବାକୁ ପାଣ୍ଡେଙ୍କ ଦୋକାନକୁ ଆସୁଥିଲେ। ଏହାପରେ ଇନ୍ଦିରା ଗାନ୍ଧୀ ମଧ୍ୟ ପାଣ୍ଡେ ଦୋକାନ ପାନର ବଡ ପ୍ରଶଂସକ ଥିଲେ। ସେ ଏହି ଦୋକାନରୁ ପ୍ରତ୍ୟେହ ମିଠା ପାନ ଖାଇବାକୁ ଆସୁଥିଲେ। ମୁଖ୍ୟତଃ ଏହି ଦୋକାନର ଗୁଜୁରାତି ପାନ ତାଙ୍କର ବହୁତ ପ୍ରିୟ ଥିଲା।
ସୂଚନାଯୋଗ୍ୟ ଯେ, ରାଷ୍ଟ୍ରପତିଙ୍କ ମଧ୍ୟରେ ଡ. ରାଜେନ୍ଦ୍ର ପ୍ରସାଦଙ୍କ ଠାରୁ ଆରମ୍ଭ କରି ପ୍ରଣବ ମୁଖାର୍ଜୀ ଏବଂ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଠାରୁ ଆରମ୍ଭ କରି ନରେନ୍ଦ୍ର ମୋଦିଙ୍କ ପରି ବିଶିଷ୍ଟ ବ୍ୟକ୍ତିମାନେ ଏହି ଦୋକାନର ମିଠା ପାନ ପ୍ରଶଂସାରେ ଶତମୁଖ। ଏ ସମସ୍ତ ହେଭିୱେଟ ନେତାଙ୍କ ସହ ନାରାୟଣ ପାଣ୍ଡେଙ୍କ ପୁଅଙ୍କର ଫଟୋ ରହିଛି । ଯାହା ଦୋକାନର ଚାରିଆଡେ ଲାଗିଛି । ଯାହାକୁ ଦେଖିବା ପାଇଁ ତାଙ୍କ ଦୋକାନରେ ପ୍ରତ୍ୟେହ ଭିଡ ଲାଗିଥାଏ। ଏହି ଫଟୋକୁ ସ୍ପଷ୍ଟ ଅନୁମେୟ କରି ହୁଏ ଯେ, କେତେ ହାଇପ୍ରୋଫାଇଲ ଏହି ପାଣ୍ଡେ ପାନ ଦୋକାନ।
ଦେବୀ ପ୍ରସାଦଙ୍କ ଗୋଟେ ଫଟୋ ପୂର୍ବ ରାଷ୍ଟ୍ରପତି ଅବଦୁଲ କଲାମଙ୍କ ସହ ମଧ୍ୟ ଥିଲା। କଲାମ ପାନ ଖାଉ ନଥିଲେ। କିନ୍ତୁ ପାଣ୍ଡେଙ୍କ ହାତ ତିଆରି ମିଠା ବିଡା ପାନ ଥରେ ସେ ଚାଖିଥିଲେ। ନାରାୟଣ ପାଣ୍ଡେ କୁହନ୍ତି ଯେ, 1972 ମସିହାରେ ଇନ୍ଦିରା ଗାନ୍ଧୀ ତାଙ୍କୁ ରାଜନୀତିରେ ଲଢିବା ପାଇଁ ଟିକେଟ ଅଫର କରିଥିଲେ। କିନ୍ତୁ ସେ ଟିକେଟ ନେବାକୁ ସମ୍ପୂର୍ଣ୍ଣ ମନା କରିଦେଇଥିଲେ। ସେ କହିଥିଲେ ଯେ, ' ଆମେ ପାନରେ ଚୂନ ଲଗାଉଛୁ, ରାଜନୀତିରେ ନୁହେଁ'।
ପାଣ୍ଡେ ପାନ ପ୍ରେମରେ ବଲିଉଡ:
କେବଳ ରାଜନୈତିକ ବ୍ୟକ୍ତି ନୁହଁନ୍ତି, ପାଣ୍ଡେ ପାନ ପ୍ରେମରେ ବଲିଉଡର ବିଭିନ୍ନ ନାମୀଦାମୀ କଳାକାର ମଧ୍ୟ ସାମିଲ ଅଛନ୍ତି । ବହୁ କଳାକାର ଏହି ଦୋକାନକୁ ପାନ ଖାଇବାକୁ ଆସିଥାନ୍ତି । ବୈଜୟନ୍ତୀମାଲା, ମାଧୁରୀ ଦୀକ୍ଷିତ, ଶତ୍ରୁଘ୍ନ ସିହ୍ନା ପରି ଅନେକ ବଡ ବଡ ସେଲିବ୍ରିଟି ବିଶେଷତଃ ମିଠା ପାନ ଖାଇବାକୁ ଆସିଥାନ୍ତି । ଏବଂ ଏହି ପାନର ମୋହ ତାଙ୍କୁ ଏତେ ଲାଗିଥାଏ ଯେ, ସେମାନେ ସୁଟିଂ ସେଟକୁ ମଧ୍ୟ ପାନ ନେଇକି ଯାଇଥାଆନ୍ତି ।
ମନ ମୋହେ ପାନର ପ୍ୟାକିଂ:
ପାଣ୍ଡେ ଦୋକାନର ପାନ ଯେତିକି ମିଠା, ତା ଠାରୁ ଅଧିକ ସୁନ୍ଦର ଏହାର ପ୍ୟାକିଂ ଶୈଳୀ। ଖୁବ୍ ସୁନ୍ଦର ଭାବେ ଏଥିରେ ମିଠା ମସଲା ଦିଆଯାଇ ମୋଡା ଯାଇ କୋନ ଭିତରେ ଭର୍ତ୍ତି କରାଯାଏ। ସାଧାରଣତଃ କଲର୍ଡ ପେପରରେ ପାନ ପ୍ୟାକ ହୋଇଥାଏ। ଯାହା ବାହାରୁ ଦେଖିବାକୁ ଖୁବ୍ ସୁନ୍ଦର। ତେଣୁ ଅଧିକାଂଶ ଗ୍ରାହକ ପାନର ପ୍ୟାକିଂ ଶୈଳୀ ପ୍ରତି ବେଶୀ ଆକର୍ଷିତ ହୋଇ ପାନ ଖାଇବାକୁ ଆସିଥାଆନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ