କଟକ: ଆସନ୍ତା ଜୁନ 12 ତାରିଖରେ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ଭାରତ ଦକ୍ଷିଣ ଆଫ୍ରିକା ଟି-20 ମ୍ୟାଚ ପାଇଁ ସମ୍ପୂର୍ଣ୍ଣ ଖସଡ଼ାକୁ ଚୁଡାନ୍ତ କରି ସାରିଛି ଓସିଏ । ଗତକାଲି ଅନୁଷ୍ଠିତ ହୋଇଥିବା ଉଚ୍ଚସ୍ତରୀୟ ବୈଠକରେ ଟିକେଟ ଦର ଓ ବିକ୍ରି ଠାରୁ ଆରମ୍ଭ କରି ଖେଳାଳିଙ୍କ ରହିବା ଏବଂ ଷ୍ଟାଡିୟମ ଯିବା ଆସିବା ଓ ସୁରକ୍ଷା ବ୍ୟବସ୍ଥା ସହ ସମଗ୍ର ମ୍ୟାଚ ପରିଚାଳନା ନେଇ ସମସ୍ତ କାର୍ଯ୍ୟକୁ ପୂର୍ଣ୍ଣାଙ୍ଗ ରୂପ ଦିଆଯାଇଛି ।
ତେବେ ବାରବାଟୀ ଟି-20 ମ୍ୟାଚ ପାଇଁ ଟିକେଟ ବିକ୍ରି ଓ ଏହାର ଦରକୁ ଚୁଡ଼ାନ୍ତ କରିଛି ଓସିଏ । ଚଳିତ ଥର ସମ୍ପୂର୍ଣ୍ଣ କ୍ଷମତା ସହ ପାଖାପାଖି ୪୪ ହଜାର ଦର୍ଶକ ମ୍ୟାଚ୍ ଦେଖିପାରିବେ । ହେଲେ ଏଥରେ ୧୮ ପ୍ରତିଶତ GST ସହ ଟିକେଟ ଦର ବୃଦ୍ଧି ହୋଇଛି। ଗ୍ୟାଲେରୀ ନମ୍ବର ୧,୩ ଓ ୫ ପାଇଁ ଟିକେଟ ଦର ୯୦୦ ଟଙ୍କା ରଖାଯାଇଥିବା ବେଳେ, ଗ୍ୟାଲେରୀ ନମ୍ବର ୨ ଓ ୪ ପାଇଁ ଟିକେଟ ଦର ୭୦୦ ଟଙ୍କା ଧାର୍ଯ୍ୟ କରାଯାଇଛି । ସେହିଭଳି ଗ୍ୟାଲେରୀ ନମ୍ବର ୭ ର ଟିକେଟ ଦର ୬୦୦ ଟଙ୍କା, କେବଳ ଖେଳାଳିଙ୍କ ପାଇଁ ଉଦିଷ୍ଟ ଥିବା ଗ୍ୟାଲେରୀ ନମ୍ବର ୬ ର ଟିକେଟ ଦର ୩୦୦ ଟଙ୍କା , ସ୍ପେଶାଲ ଏନକ୍ଲୋଜର ପାଇଁ ୫ ହଜାର ଟଙ୍କା, AC ବକ୍ସ ପାଇଁ ୭ ହଜାର ଟଙ୍କା, ନ୍ୟୁ ପାଭିଲିଅନ ପାଇଁ ୮ ହଜାର ଟଙ୍କା ଓ କର୍ପୋରେଟ ବକ୍ସ ପାଇଁ ୧୨ ହଜାର ଟଙ୍କା ଦର ଧାର୍ଯ୍ୟ କରାଯାଇଛି ।
ଜଣେ ବ୍ୟକ୍ତିଙ୍କୁ ଅତି ବେଶୀରେ ଦୁଇଟି ଟିକେଟ ବିକ୍ରିର ବ୍ୟବସ୍ଥା ହୋଇଛି । ତେବେ ବାରବାଟୀ ଷ୍ଟାଡିୟମରେ ପାଖାପାଖି ଅଢେଇ ବର୍ଷ ପରେ ଆନ୍ତଯାତିୟ କ୍ରିକେଟ ମ୍ୟାଚ ହେଉଥିବାରୁ ଏହାକୁ ଦେଖିବା ପାଇଁ ଟିକେଟ ଦରରେ ହୋଇଥିବା ବୃଦ୍ଧି ପ୍ରତିବନ୍ଧକ ସାଜିବ ନାହିଁ ବୋଲି କହିଛନ୍ତି କ୍ରିକେଟ ପ୍ରେମୀ ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ