କଟକ: ଗତ ବୁଧବାର କଟକ ଛତ୍ରବଜାରରେ ଘଟିଥିଲା ଛାତିଥରା ଘଟଣା । ହଠାତ ପୋଲ ଭୁଶୁଡିବାରୁ ୨ଜଣଙ୍କର ମୃତ୍ୟୁ ହେବା ସହ ଜଣେ ଆହତ ହୋଇଥିଲେ । ଏହି ଘଟଣାରେ ୨ମୃତକଙ୍କ ପରିବାରୁ ୩ଲକ୍ଷର ସହାୟତା ରାଶି ଓ ଆହତ ଜଣଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦିଆଯିବା ନେଇ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ଏହି ଘଟଣା ପାଇଁ ଦାୟୀ କିଏ , କେଉଁ କାରଣରୁ ଘଟିଥିଲା ଏପରି ଦୁର୍ଘଟଣା । ଏନେଇ ଆରଡିସିସ ତଦନ୍ତ ଆରମ୍ଭ କରିଥିବା ବେଳେ ସନ୍ଦେହ ଘେରକୁ ଆସିଛି ଠିକାଦାର ସଂସ୍ଥାର କାର୍ଯ୍ୟକାରିତା । ଠିକା ସଂସ୍ଥା ବିରୋଧରେ ପ୍ରଶାସନ ପକ୍ଷରୁ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ ଯାଇନାହିଁ ବୋଲି ସାଧାରଣରେ ପ୍ରଶ୍ନ ଉଙ୍କି ମାରିଛି ।
ଭୁବନେଶ୍ବର ଫ୍ଲାଏ ଓଭରବ୍ରିଜ ଭୁଶୁଡିବା ଘଟଣାରେ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଇଥିବା ବେଳେ ଏଠି କାହା ଚାପରେ ଚାପି ହୋଇ ରହି ଯାଇଛି ପ୍ରଶାସନ ସେନେଇ ମଧ୍ୟ ପ୍ରଶ୍ନ ଉଠିଛି। ଯଦିଓ ଏହି ଘଟଣାର ଆରଡିସି ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି କିନ୍ତୁ ସମସ୍ତ ଦିଗକୁ ପ୍ରଥମେ ପୁଙ୍ଖାନୁପୁଙ୍ଖ ତର୍ଜମା କଲା ପରେ ଯାଇଁ କାର୍ଯ୍ୟାନୁଷ୍ଠାନ ନିଆଯିବ ଓ ଆରଡିସିଙ୍କୁ ଏକ ରିପୋର୍ଟ ପ୍ରଦାନ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ।
ସେପଟେ ମାଲଗୋଦାମ ଓ ଛତ୍ର ବଜାର କୁ ରାସ୍ତା କୁ ସଂଯୋଗ କରୁଥିବା ପୋଲ ଉପରେ ବଡ଼ ଗାଡି ଯିବା ବାରଣ କରିଛି ପୋଲିସ । ଏହାସହ ଏହି ଘଟଣା ନେଇ ଏକ ଅପମୃତ୍ୟୁ ମାମଲା କରାଯାଇ ତଦନ୍ତ ଆରମ୍ଭ ହୋଇଛି । ବ୍ରିଟିଶ ଅମଳର ଶହଶହ ବର୍ଷର ଏହି ପୁରୁଣା ପୋଲ ନଅଙ୍କ ଦୁର୍ଭିକ୍ଷ ପୂର୍ବରୁ କାର୍ଯ୍ୟକ୍ଷମ ହୋଇଥିବା କୁହାଯାଏ । ବର୍ତ୍ତମାନ ଏହି ପୁରୁଣା ପୋଲ ଦେଇ ପ୍ରତିଦିନ ହଜାର ହଜାର ଗାଡ଼ି ମୋଟର ଓ ଲୋକେ ଯାତାୟାତ କରନ୍ତି। ଅନ୍ୟପଟେ ଏହି ଘଟଣା ପରେ ଛତ୍ରବଜାର ଅଞ୍ଚଳରେ ପୋଲ ନିକଟରେ ବସୁଥିବା ବ୍ୟବସାୟୀ ମାନଙ୍କୁ ହଟାଇ ଦେଇଛି ପ୍ରଶାସନ। ଭାରିଯାନ ପ୍ରବେଶ ଉପରେ ମଧ୍ୟ କଟକଣା ଲଗେଇ ଦିଆଯାଇଛି । ସେପଟେ ଏହି ଘଟଣାର ଶୀଘ୍ର ଓ ସଠିକ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବୀ କରିଛି ଛତ୍ରବଜାର ବ୍ୟବସାୟୀ ସଂଘ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ