କଟକ: ହଜାର ବର୍ଷର କଟକ ସହରର ଗୌରବମୟ ନୌବାଣିଜ୍ୟ ପରମ୍ପରାକୁ ଉଜ୍ଜୀବିତ କରି ରଖିବାକୁ ବାଲିଯାତ୍ରା ଆୟୋଜିତ ହୋଇ ଆସୁଛି । ସମଗ୍ର ଭାରତ ବର୍ଷରେ ବେସରକାରୀ ଭାବରେ ଦେଶର ଅନ୍ୟତମ ବୃହତ୍ତମ ମେଳାର ସ୍ଥାନ ପାଇଛି । ହେଲେ ପ୍ରତିବର୍ଷ ଐତିହାସିକ ବାଲିଯାତ୍ରା ମେଳାରୁ ରାଜସ୍ବ ଆଦାୟ ହେଉଥିଲେ ବି ସରକାର କାହିଁକି ଏହି ମେଳାକୁ ସରକାରୀ ମାନ୍ୟତା ପ୍ରଦାନ କରୁ ନାହାନ୍ତି ବୋଲି ପ୍ରଶ୍ନ କରିଛି ବିଜେପି । ଏନେଇ ଆଜି ଶତାଧିକ ବିଜେପି କର୍ମୀ କେନ୍ଦ୍ରାଞ୍ଚଳ ଆରଡିସିଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି ।
ଏକ କୋଟିରୁ ଉର୍ଦ୍ଧ୍ବ ଲୋକଙ୍କ ସମାଗମ ସହ ଶହେ କୋଟିରୁ ଅଧିକ ବାଣିଜ୍ୟ କାରବାର ଏହି ବାଲିଯାତ୍ରାର ହୋଇଥାଏ । ଏହାସତ୍ତ୍ବେ ମଧ୍ୟ ରାଜ୍ୟ ସରକାର ଏହି ଐତିହାସିକ ମେଳାକୁ ସରକାରୀ ମାନ୍ୟତା ପ୍ରଦାନ କରି ନଥିବା ବିଜେପି ଅଭିଯୋଗ କରିଛନ୍ତି। ସବୁଠାରୁ ବଡ଼ କଥା ହେଉଛି ଏହି ମେଳାର ଆୟୋଜନ ଓ ଭିତ୍ତିଭୂମି ସ୍ଥାପନ ପାଇଁ ପ୍ରାୟ ପଚାଶ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ମହାନଗର ନିଗମ ଦ୍ବାରା ଟିକସ ବାବଦରେ ୩୦ରୁ ୩୨ ଲକ୍ଷ ଟଙ୍କା ଆଦାୟ କରାଯାଉଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ