କଟକ: ଆଜି ଥିଲା ବଲିଉଡ ସେହେନ୍ସା ବିଗ ବିଙ୍କ ଜନ୍ମଦିନ । ଏନେଇ ଦେଶ ଓ ବିଦେଶରେ ଥିବା କୋଟି କୋଟି ଫ୍ୟାନ୍ସଙ୍କ ତରଫରୁ ଛୁଟୁଛି ଶୁଭେଛାର ସୁଅ । ହେଲେ ଏହି ସୁଅ ଭିତରେ ବାଦ ପଡିନାହାନ୍ତି ସିଲଭର ସିଟିର ଧନେଶ୍ବର ସେଠୀ । ନିଜର ବ୍ୟସ୍ତବହୁଳ କର୍ମକ୍ଷେତ୍ରରୁ ସମୟ ବାହାର କରି ଧୁମଧାମରେ ପାଳନ କରିଛନ୍ତି ବିଗ ବିଙ୍କ ଜନ୍ମଦିନ।
ତେବେ ମନରେ ପ୍ରଶ୍ନ ଆସୁଥିବ କିଏ ସେ ଧନେଶ୍ବର । ଆଉ କଣ ତାଙ୍କ ଘର ଠିକଣା । ଆଜ୍ଞା ହଁ, ପାନ ଦୋକାନ କରି ଗୁଜୁରାଣ ମେଣ୍ଟାଉଥିବା ଧନେଶ୍ବର ସେଠୀ ବିଗ ବି ଙ୍କ ଜଣେ ଫ୍ୟାନ। 18 ବର୍ଷ ବୟସରୁ ବିଗ ବିଙ୍କ ଅଭିନୟ ଧନେଶ୍ବରଙ୍କୁ କରିଥିଲା ଘାଇଲା । ସେହିଦିନ ଠୁ ସେ ପାଲଟି ଗଲେ ଅମିତାଭଙ୍କ ବଡ଼ ଫ୍ୟାନ । ଆଉ ଜୀବନରେ ଅମିତାଭ ଵଚ୍ଚନଙ୍କ ଛଡା ଆଉ କାହା ଫିଲ୍ମ ଦେଖିବେନି ବୋଲି ପ୍ରତିଶ୍ରୁତି ବଦ୍ଧ ହେଲେ ସେ ।
ବିଗ ବିଙ୍କ ଫିଲ୍ମ ସେହେନସାହା , ସୋଲେ ,ଦିୱାର , ଡ଼ନ ଓ ଜଞ୍ଜିର ଭଳି ଦମଦାର ଫିଲ୍ମକୁ ପ୍ରେକ୍ଷାଳୟ ଓ ଘରେ ସେ ଅନେକ ଥର ଦେଖିଛନ୍ତି । ତେବେ 20 ବର୍ଷ ଧରି ଅମିତାଭ ଵଚନଙ୍କ ଜନ୍ମଦିନରେ କେକ କାଟି ବିଗ ବିଙ୍କୁ ଫଟୋରେ ଖୁଆଇବା ସହ ଅନ୍ୟ ଲୋକଙ୍କୁ ମଧ୍ୟ ଖୁଆନ୍ତି ସେ । ତେବେ ଆଜି ଏହି ମହାନ ବ୍ୟକ୍ତିଙ୍କ ଜନ୍ମତିଥିରେ ବିଗ ବିଙ୍କ ଦୀର୍ଘାୟୁ କାମନା କରିବା ସହ କେକ କାଟି ସମସ୍ତଙ୍କୁ ମିଠା ଖୁଆଇଛନ୍ତି ଧନେଶ୍ବର ।
ଅନ୍ୟପଟେ ବାପାଙ୍କର ଏହି ମହାନତା ଦେଖି ଖୁସିରେ ଆତ୍ମହରା ହୋଇଛନ୍ତି ପରିବାର ଲୋକେ । ଆମ ଜନ୍ମଦିନରେ ଯେତିକି ବାପା ଖୁସି ନଥାନ୍ତି ଅମିତାଭ ସାରଙ୍କ ଜନ୍ମ ଦିନ ଆସିଲେ ବାପା ସବୁ କିଛି ଭୁଲି ଯାଇ କେବଳ ତାଙ୍କରି ସ୍ବପ୍ନ ଦେଖନ୍ତି । ଯଦି ସତରେ ମୋ ବାପା ଙ୍କ ମୁଣ୍ଡରେ ବିଗ ବି ଙ୍କ ହାତ ଟିକେ ବାଜି ଯାଆନ୍ତା ତେବେ ସେ ସଂସାରର ସବୁ ଖୁସି ପାଇଯାନ୍ତେ ।
ତେବେ ଦୀର୍ଘ 20 ବର୍ଷ ଧରି ବିଗ ବିଙ୍କ ଜନ୍ମ ଦିନ ପାଳି ଆସୁଛନ୍ତି ଧନେଶ୍ବର। ମନରେ ଖାଲି ସେହି ଟିକେ ଅଭିଳାଷ ଯେ ଈଶ୍ବର ସଦୃଶ୍ୟ ଅମିତାଭ ଵଚନଙ୍କ ଚରଣ ସ୍ପର୍ଶ କରି ଟିକେ ଆର୍ଶୀବାଦ ଲାଭ କଲେ ଜୀବନର ସମସ୍ତ ଖୁସି ମତେ ମିଳିଯାଆନ୍ତା।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ