କଟକ: ଓଡ଼ିଶାର ଗାରିମାମୟ ଗାଥା ବହନ କରୁଥିବା ତଥା ପ୍ରାଚୀନ ଓଡ଼ିଶାର ପ୍ରାଣକେନ୍ଦ୍ର ବାରବାଟୀ ଦୁର୍ଗ ଓ ତାହାର ସୁରକ୍ଷା କବଚ ସାଜିଥିବା ଗଡଖାଇ ଏବେ ଜରାଜୀର୍ଣ୍ଣ । ବ୍ରିଟିଶ ଅମଳରୁ ଏହି ଐତିହାସିକ କୀର୍ତ୍ତିରାଜି ସୁରକ୍ଷା ଓ ରକ୍ଷଣାବେକ୍ଷଣ ଦାୟିତ୍ୱ ନେଇଥିଲା ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ । କିନ୍ତୁ ରକ୍ଷଣାବେକ୍ଷଣ ଅଭାବରୁ ଏବେ ସୌନ୍ଦର୍ଯ୍ୟ ହରାଇବାକୁ ବସିଲାଣୀ ଗଡଖାଇ ।
ବର୍ଷ ବର୍ଷ ଧରି ଦଳ ଭର୍ତ୍ତି ଗଡଖାଇକୁ ଦେଖିଲେ ଅନୁମାନ କରିହେବ କେତେ ସୁରକ୍ଷିତ ଆମ କୀର୍ତ୍ତିରାଜି ଓ କେତେ ତତ୍ପର ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ । ରକ୍ଷଣାବେକ୍ଷଣ ପାଇଁ ଅନେକ ସମୟରେ ଟଙ୍କା ମଞ୍ଜୁର ହେଉଥିଲେ ବି ତାହା ଖର୍ଚ୍ଚ ନହୋଇ ପଡି ରହୁଛି । କେବଳ ଅଳ୍ପ କିଛି ପାଚେରୀ ନିର୍ମାଣ କରି ଓ ମଝିରେ ମଝିରେ କିଛି ଦଳ ସଫା କରି ଚୁପ ବସି ପଡିଛି ଏଏସଆଇ । ବାରମ୍ବାର ଦାବି କରାଯାଉଥିଲେ ବି ବିଭିନ୍ନ ଆଳ ଦେଖାଇ ଖସି ଯାଉଛନ୍ତି କର୍ତ୍ତୃପକ୍ଷ । ଗଡଖାଇ ପ୍ରତି ଏଭଳି ଚରମ ଅବହେଳାକୁ ନେଇ ପ୍ରତିବାଦ ଜଣାଇଛନ୍ତି ବୁଦ୍ଧିଜୀବୀ । ଯଥାଶୀଘ୍ର ଏହାର ପୁନଃରୁଦ୍ଧାର କରିବାକୁ ଦାବି କରିଛନ୍ତି ।
ଗତ ୮ ବର୍ଷ ମଧ୍ୟରେ ବିଭିନ୍ନ ସମୟରେ ଗଡଖାଇର ପୁନଃଉଦ୍ଧାର ପାଇଁ ପାଖାପାଖି ୧୭ କୋଟି ଟଙ୍କା ପ୍ରଦାନ କରାଯାଇଥିବା କହିଛନ୍ତି ସିଏମସି ମେୟର। ଏପରିକି ସେ ସାଂସଦ ଥିବା ବେଳେ ପାଲ୍ୟାମେଣ୍ଚରେ ମଧ୍ୟ ଏନେଇ ଦାବି ଉପସ୍ଥାପନ କରିଥିଲେ । ଏହାଛଡା କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀକୁ ଭେଟି ଏହାର ସୌନ୍ଦର୍ଯ୍ୟକରଣ ପାଇଁ ସ୍ମାରକପତ୍ର ଦେଇଥିଲେ । ଏତେସବୁ ପରେ ବି ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ଗଡଖାଇକୁ ଅବହେଳା କରିଚାଲିଛି । ଏବେ ASI କୁ ଚିଠି କରାଯାଇଛି ଓ ଖୁବଶୀଘ୍ର ଏକ ଉଚ୍ଚସ୍ତରୀୟ ବୈଠକ ମଧ୍ୟ ଅନୁଷ୍ଠିତ ହେବା ସହ ପୁଣି ଗଡଖାଇର ରୂପରେଖରେ ପରିବର୍ତ୍ତନ ହେବ ବୋଲି କହିଛନ୍ତି ମେୟର ସୁବାସ ସିଂ । ପ୍ରକୃତପକ୍ଷେ ଗଡଖାଇକୁ ଯେଉଁ ସମ୍ମାନ ମିଳିବା କଥା ତାହା ଏପର୍ଯ୍ୟନ୍ତ ମିଳି ପାରିନାହିଁ । କେବେ ଏହାର ରୂପରେଖରେ ହେବ ପରିବର୍ତ୍ତନ ଆଉ କେବେ ଫେରିବ ସେ ସମ୍ମାନ ତାହା ସମୟ କହିବ ।
ଇଟିଭି ଭାରତ, କଟକ