କଟକ: ଭର୍ଚୁଆଲ ମାଧ୍ୟମରେ ବରିଷ୍ଠ ପୋଲିସ ଅଧିକାରୀଙ୍କ 62ତମ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ପୋଲିସ ଡିଜି ଅଭୟ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ରାଜ୍ୟରେ ଅପରାଧ ଦମନ ପ୍ରକ୍ରିୟା କିଭଳି ତ୍ବରାନ୍ବିତ କରାଯିବ ଓ ଅପରାଧ ରୋକିବାକୁ ନୂତନ ଜ୍ଞାନ କୌଶଳ ଆପଣାଯିବ ସେନେଇ ବିଶେଷ ଭାବରେ ଆଲୋଚନା ହୋଇଛି।
![62nd Annual Conference of Police Officers is being held at cuttack](https://etvbharatimages.akamaized.net/etvbharat/prod-images/img-20201227-wa01271609079716736-37_2712email_1609079728_1021.jpg)
ବର୍ଷ 2020ରେ ମାଓ ଦମନ କ୍ଷେତ୍ର ରାଜ୍ୟ ପୋଲିସ ସଫଳତା ହାସଲ କରିଛି। ଚଳିତ ବର୍ଷ 17 ଜଣ ମାଓବାଦୀଙ୍କୁ ଏନକାଉଣ୍ଟର କରାଯାଇଥିବା ବେଳେ 34 ଜଣଙ୍କୁ ଗିରଫ କରାଯାଇଛି। ସେହିଭଳି 21 ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ମାଲକାନଗିରି ଜିଲ୍ଲା ହେନ୍ତାଲଗୁଡ଼ା, ଜୋଡ଼ାମ୍ବ ଓ ଗୁରୁସେତୁ ନିକଟରେ ତିନୋଟି ଥାନା କାର୍ଯ୍ୟକ୍ଷମ ହେବା ପରେ ସ୍ବାଭିମାନ ଅଞ୍ଚଳରେ ପୋଲିସର ପ୍ରଭାବ ବିସ୍ତାର ହୋଇଛି।
![62nd Annual Conference of Police Officers is being held at cuttack](https://etvbharatimages.akamaized.net/etvbharat/prod-images/img-20201227-wa01371609079716734-62_2712email_1609079728_705.jpg)
ଏହି କାର୍ଯ୍ୟକ୍ରମରେ ପୋଲିସ ଡିଜି ଅଭୟ ଯୋଗ ଦେଇ କହିଛନ୍ତି ଯେ, "ଅପରାଧରେ ଶିକାର ହେଉଥିବା ମହିଳା ଓ ଶିଶୁ ପ୍ରତି ସମ୍ବେଦନଶୀଳ ହେବା ଆବଶ୍ୟକ। ସାଇବର ଅପରାଧ ରୋକିବା ତଥା ସାମାଜିକ ଗଣମାଧ୍ୟମକୁ ତତ୍କଳୀନ ଅଗ୍ରାଧିକାର ପ୍ରଦାନ ଉପରେ ଗୁରୁତ୍ବ ଦେବା ସମୟ ଆସିଛି। ଏଥିପାଇଁ ପୋଲିସ ଅଧିକାରୀଙ୍କୁ ନିଜ ଦକ୍ଷତା ବୃଦ୍ଧି ସହ ନୂତନ ଜ୍ଞାନ କୌଶଳ ଶିଖିବା ଆବଶ୍ୟକ। ପୋଲିସ ସେବାର ମାନବୃଦ୍ଧି ସହ ପୋଲିସର ଭଲ କାର୍ଯ୍ୟକୁ ଲୋକ ଲୋଚନକୁ ଆଣିବା ଆବଶ୍ୟକ ରହିଛି।"
ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଆଜି(ରବିବାର) ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ, ଆଇ.ଜି ଅପରେସନ, କନ୍ଧମାଳ ଓ କଳାହାଣ୍ଡି ଏସପି ଯୋଗ ଦେଇଥିଲେ। ଏଥିରେ 100ରୁ ଅଧିକ ବରିଷ୍ଠ ପୋଲିସ ଅଧିକାରୀ ଅଂଶଗ୍ରହଣ କରିଥିଲେ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ