ଭୁବନେଶ୍ବର: ଦିନକୁ ଦିନ ଆଳୁ, ପିଆଜ ଭଳି ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରଦାମ ବୃଦ୍ଧି ହୋଇଛି । ଯାହାର ପ୍ରତିବାଦରେ ଆଜି(ସୋମବାର) ଭୁବନେଶ୍ବରରେ ଯୁବ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପଦର୍ଶନ କରାଯାଇଛି ।
ଯୁବ କଂଗ୍ରେସ ସଭାପତି ସ୍ମୃତିରଞ୍ଜନ ଲେଙ୍କାଙ୍କ ନେତୃତ୍ବରେ ଏକ ରାଲି କଂଗ୍ରେସ ଭବନରୁ ବାହାରି ମାଷ୍ଟର କ୍ୟାଣ୍ଟିନ ଛକ ନିକଟରେ ବିକ୍ଷୋଭ ପଦର୍ଶନ କରାଯାଇଛି ।ଏହି ବିକ୍ଷୋଭରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା ।
ସାମ୍ପ୍ରତିକ ପରିସ୍ଥିତିରେ କୋରୋନା ମହାମାରୀ ନେଇ ଦେଶରେ ଆର୍ଥିକ ମାନ୍ଦାବସ୍ଥା ଜାରି ରହିଛି । ଏଭଳି ସମୟରେ ଲୋକେ ଜୀବନ ଜୀବିକା ସହ ସଂଘର୍ଷ କରୁଥିବାବେଳେ ଆଳୁ ,ପିଆଜ ଭଳି ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧି ଘଟିବା ଜନସାଧାରଣଙ୍କ ପାଇଁ ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି ।
କେନ୍ଦ୍ର ଓ ରାଜ୍ୟ ସରକାର ପରସ୍ପର ଉପରକୁ କାଦୁଅ ଫୋଫୋଡା ଫୋଫଡ଼ି ହେଉଛନ୍ତି । ରାଜ୍ୟରେ ଆଳୁ ମିଶନ ଫେଲ, ପନିପରିବା ଦର ଆକାଶ ଛୁଆଁ, ତେଣୁ ଦରଦାମ ନିୟନ୍ତ୍ରଣ ନହେଲେ ଆଗକୁ ଯୁବ କଂଗ୍ରେସ ପକ୍ଷରୁ ସବୁ ଜିଲ୍ଲାରେ ବିକ୍ଷୋଭ କରାଯିବ ବୋଲି ଯୁବ କଂଗ୍ରେସ ସଭାପତି ସ୍ମୃତିରଞ୍ଜନ ଲେଙ୍କା କହିଛନ୍ତି ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ