ଭୁବନେଶ୍ବର: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଉପରେ ସକ୍ରିୟ ରହିଛି । ୧୧ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ନିଙ୍ଗ ଜାରି କଲା ପାଣିପାଗ ବିଭାଗ । ଉତ୍ତର ପଶ୍ଚିମ, ଏହାର ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର, ଓଡିଶା ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ।
ଆସନ୍ତା ୨୪ ଘଣ୍ଟା, ଅକ୍ଟୋବର ୩ ତାରିଖ ଶନିବାର ମଧ୍ୟରେ ୧୧ ଟି ଜିଲ୍ଲାକୁ ୟେଲୋ ୱାର୍ନିଙ୍ଗ ଜାରି କଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ, ବାଲେଶ୍ୱର, ଯାଜପୁର, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ପୁରୀ, ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ନିଙ୍ଗ ଜାରି ।
ସେହିପରି ୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପବନ ବହିବା, ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି । ଭଦ୍ରକ ଜିଲ୍ଲା ବାସୁଦେବପୁରରେ ସର୍ବାଧିକ ୬୫ ମିମି ବର୍ଷା ରେକର୍ଡ କରାଯାଇଛି । କଳାହାଣ୍ଡି ମଦନପୁର ରାମପୁରରେ ୬୨ ମିମି ବର୍ଷା ରେକର୍ଡ କରାଯାଇଛି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ