ଭୁବନେଶ୍ବର: ଜାତୀୟ ସ୍ତରରେ ଓଡ଼ିଶାର ଶ୍ରେଷ୍ଠ ମତ୍ସ୍ୟ ଉତ୍ପାଦନକାରୀ ଗୋଷ୍ଠୀ ଭାବେ ପୁରସ୍କୃତ ହୋଇଛି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡିର ମା' ବେହେରା ପାତ୍ର ପ୍ରାଥମିକ ମହିଳା ମତ୍ସ୍ୟ ଉନ୍ନୟନ ସମବାୟ ସମିତି । ଚଳିତ ଜୁଲାଇ ୧୦ ତାରିଖରେ ଜାତୀୟ ମତ୍ସ୍ୟଚାଷୀ ଦିବସ ଅବସରରେ ପୁରସ୍କୃତ ହୋଇଛି ଏହି ସ୍ବୟଂ ସହାୟକ ଗୋଷ୍ଠୀ ।
ରାଜ୍ୟର ଆର୍ଥିକ ଅନଗ୍ରସର ମହିଳାମାନଙ୍କ ସାମାଜିକ ଏବଂ ଆର୍ଥିକ ବିକାଶ ତଥା ସଶକ୍ତିକରଣ ଦିଗରେ ମିଶନ ଶକ୍ତି କାର୍ଯ୍ୟକ୍ରମ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିଛି । ୨୦୦୧ ମସିହାରୁ ଆରମ୍ଭ ହୋଇଥିବା ମିଶନ ଶକ୍ତି କାର୍ଯ୍ୟକ୍ରମରେ ଏବେ ୬ ଲକ୍ଷ ସ୍ବୟଂ ସହାୟକ ଗୋଷ୍ଠୀ ଜରିଆରେ ପ୍ରାୟ ୭୦ ଲକ୍ଷ ମହିଳା ଉପକୃତ ହେଉଛନ୍ତି ।
ଏହି ପରିପ୍ରେକ୍ଷୀରେ ଉନ୍ନତ ପ୍ରଣାଳୀରେ ମାଛ ଉତ୍ପାଦନ କରି ସଫଳତା ହାସଲ କରିଥିବା ମା' ବେହେରା ପାତ୍ର ପ୍ରାଥମିକ ମହିଳା ମତ୍ସ୍ୟ ଉନ୍ନୟନ ସମବାୟ ସମିତିକୁ ଜାତୀୟ ସ୍ତରରେ ପୁରସ୍କାର ପ୍ରଦାନ କରାଯାଇଛି ।
୨୦୧୧ ମସିହାରେ ଗଠିତ ହୋଇଥିବା ଏହି ସ୍ବୟଂ ସହାୟକ ଗୋଷ୍ଠୀରେ ବର୍ତ୍ତମାନ ୬୪ ଜଣ ସଦସ୍ୟ ଅଛନ୍ତି । ଏହି ଗୋଷ୍ଠୀ ବାର୍ଷିକ ୧ ଲକ୍ଷ ୨0 ହଜାର କିଲୋଗ୍ରାମ ମତ୍ସ୍ୟ ଉତ୍ପାଦନ କରିଥାଏ । ସ୍ଥାନୀୟ ବଜାରରେ ବିକ୍ରି କରିବା ବ୍ୟତୀତ ଅନ୍ୟ ଜିଲ୍ଲାକୁ ମଧ୍ୟ ବିକ୍ରି ପାଇଁ ପଠାଇଥାନ୍ତି ଏମାନେ । ଏହି ମତ୍ସ୍ୟ ଚାଷରୁ ସମିତିର ପ୍ରତ୍ୟେକ ସଦସ୍ୟ ମାସକୁ ପ୍ରାୟ ୧୨ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିଥାନ୍ତି ।
ମିଶନ ଶକ୍ତି କାର୍ଯ୍ୟକ୍ରମ ଜରିଆରେ ଆର୍ଥିକ ଲାଭବାନ ହୋଇଥିବା ଏହି ଗୋଷ୍ଠୀର ମହିଳା ସଦସ୍ୟମାନେ ଖୁସି ବ୍ୟକ୍ତ କରିବା ସହ ସରକାରଙ୍କ ଏହି ଯୋଜନା ଉପରେ ଆସ୍ଥା ପ୍ରକଟ କରିଛନ୍ତି। ସାନଖେମୁଣ୍ଡିର ଏହି ମହିଳା ମତ୍ସ୍ୟ ଉତ୍ପାଦକ ଗୋଷ୍ଠୀ ଏବେ ରାଜ୍ୟର ଲକ୍ଷ ଲକ୍ଷ ମହିଳାଙ୍କ ଆର୍ଥିକ ବିକାଶ ଦିଗରେ ପ୍ରେରଣା ପାଲଟିଛି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ