ଭୁବନେଶ୍ବର: ପ୍ରତିବର୍ଷ ପରି ଆଜି ତଥା ମେ ୨୮ ତାରିଖକୁ ବିଶ୍ବ ଋତୁସ୍ରାବ ସ୍ବଚ୍ଛତା ଦିବସ(World Menstrual Hygiene Day) ପାଳିତ ହେଉଛି । ଋତୁସ୍ରାବ ଏକ ପ୍ରାକୃତିକ ପର୍ଯ୍ୟାୟ ହୋଇଥିବା ବେଳେ ଏ ସମ୍ପର୍କରେ ମହିଳାଙ୍କୁ ସଚେତନ କରିବା ପାଇଁ ପ୍ରତିବର୍ଷ ବିଶ୍ବ ସ୍ତରରେ ଏହି ଦିବସ ପାଳିତ ହୁଏ । ଋତୁସ୍ରାବ ହେଉଛି ନାରୀ ଜୀବନର ଏକ ବିଶେଷ ଅଂଶ । ଏହା ବିନା ନାରୀଟିଏ ମା ହୋଇପାରେନି । ତେବେ ଋତୁସ୍ରାବ ସମୟରେ ନାରୀମାନଙ୍କୁ କିପରି ସତର୍କ ରହିବାକୁ ହେବ ସେହି ସମ୍ପର୍କିତ ଜ୍ଞାନ ରଖିବା ନିହାତି ଜରୁରୀ । ଏହି ସମୟରେ ସ୍ବଚ୍ଛତା ଦୃଷ୍ଟିରୁ ସାନିଟାରୀ ପ୍ୟାଡ଼ର ବ୍ୟବହାର କରିବା ଆବଶ୍ୟକ ।
ଏହି ଆଧୁନିକ ଯୁଗରେ ମଧ୍ୟ ଋତୁସ୍ରାବକୁ ଏକ ଭିନ୍ନ ଦୃଷ୍ଟିରେ ଦେଖାଯାଏ । ମହିଳାମାନେ ଏ ସମ୍ପର୍କରେ ଖୋଲାଖୋଲି ଭାବେ କଥା ହେବାକୁ ସଙ୍କୁଚିତ ମନେ କରନ୍ତି । ବିଶେଷ କରି ଗ୍ରାମାଞ୍ଚଳରେ ଏଭଳି ସମସ୍ୟା ଉପୁଜେ । ଜନ ସଚେତନତା ଅଭାବ ଓ ସାନିଟାରୀ ନାପକିନର ଅଭାବ ଯୋଗୁଁ ଗ୍ରାମାଞ୍ଚଳରେ ମହିଳାମାନେ ଏହି ସମୟରେ କପଡ଼ା ବ୍ୟବହାର କରନ୍ତି । ଏହା ମନରେ ସର୍ବଦା ରଖିବା ଉଚିତ ଗର୍ଭଧାରଣ ପାଇଁ ଏହି ପ୍ରକ୍ରିୟାଟି ଏକ ନାରୀ ଠାରେ ରହିବା ନିହାତି ଆବଶ୍ୟକ । ଏହା ଜୈବିକ ପ୍ରକ୍ରିୟା(Biological Process) ହୋଇଥିବାରୁ ପ୍ୟାଡ କିଣିବା ସମୟରେ କିମ୍ବା କଥା ହେବା ସମୟରେ ଲାଜ କରିବା ଉଚିତ ନୁହେଁ ।
ଦିବସକୁ ନେଇ କଣ କହେ ଇତିହାସ ?:-
ଏହି ଦିବସଟି ପ୍ରଥମେ ଜର୍ମାନର ଏକ NGO ସଂସ୍ଥା ୱାସ ୟୁନାଇଟେଡ(Wash United) ଦ୍ବାରା ଆରମ୍ଭ ହୋଇଥିଲା । ଋତୁସ୍ରାବ ସମୟରେ ସ୍ବଚ୍ଛତା ବଜାୟ ରଖିବା ଲାଗି ମହିଳାମାନଙ୍କ ସଚେତନ କରିବା ଲକ୍ଷ୍ୟରେ ଏହି ଦିବସ ବିଶ୍ବ ସ୍ତରରେ ପାଳନ କରାଯାଇଥିଲା । ଅଧିକାଂଶ ମହିଳାଙ୍କ ୫ ଦିନ ପର୍ଯ୍ୟନ୍ତ ଋତୁସ୍ରାବ ହୋଇଥାଏ । ତେବେ ମେ(MAY Month) ବର୍ଷର ୫ତମ ମାସ ହୋଇଥିବାରୁ ଏହି ମାସରେ ବିଶ୍ବ ଋତୁସ୍ରାବ ସ୍ବଚ୍ଛତା ଦିବସ ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ୟୁକେର ଜାତୀୟ ସ୍ବାସ୍ଥ୍ୟ ସେବା ବିଭାଗର କହିବାନୁସାରେ ପ୍ରତ୍ୟେକ ମହିଳାଙ୍କୁ ୫ ଦିନ ଋତୁସ୍ରାବ ହୋଇନଥାଏ । ଏହା ପ୍ରତ୍ୟେକ ମହିଳା ଶରୀରରେ ଭିନ୍ନ ହୋଇଥାଏ । ମାତ୍ର ଶରୀରରେ ଋତୁସ୍ରାବ ପ୍ରକ୍ରିୟା ୨୧ରୁ ୪୦ ଦିନ ରହିଥାଏ । ଯାହାକି ସାଧାରଣ ହୋଇଥାଏ ।
ଚଳିତ ବର୍ଷର ବିଷୟବସ୍ତୁ: -
ଚଳିତ ବର୍ଷ ମାସିକ ଋତୁସ୍ରାବ ଦିବସର ବିଷୟବସ୍ତୁ ଟ୨୦୩୦ ସୁଦ୍ଧା ଜୀବନର ଏକ ସାଧାରଣ ସତ'(Normal fact of life by 2030)ରେ ପରିଣତ ହେବାର ଲକ୍ଷ୍ୟ ରହିଛି । ପୂର୍ବ ବର୍ଷ ଏହାର ବିଷୟବସ୍ତୁ ରହିଥିଲା ଋତୁସ୍ରାବ ସ୍ବଚ୍ଛତା ଏବଂ ସ୍ବାସ୍ଥ୍ୟରେ କାର୍ଯ୍ୟ ଓ ବିନିଯୋଗ (Action and investment in menstrual hygiene and health) ।
ଋତୁସ୍ରାବକୁ ସହ ଜଡିତ କିଛି ସାଧାରଣ ଅନ୍ଧବିଶ୍ବାସ:-
- କେବଳ ମହିଳାଙ୍କ ହୁଏ ଋତୁସ୍ରାବ !
ଋତୁସ୍ରାବକୁ ନେଇ ଏହି ବିଶ୍ବାସ କେଉଁ କାଳରୁ ରହିଆସିଛି ଯେ କେବଳ ମହିଳାଙ୍କ କ୍ଷେତ୍ରରେ ଋତୁସ୍ରାବ ହୋଇଥାଏ । ମାତ୍ର ଆପଣ ଜାଣନ୍ତି କି ତୃତୀୟ ଲିଙ୍ଗଙ୍କ ମଧ୍ୟ ଋତୁସ୍ରାବ ହୋଇଥାଏ । ଆଜ୍ଞା ହଁ କେବଳ ଯେ ମହିଳା ତାହା ନୁହେଁ ଟ୍ରାନ୍ସଜେଣ୍ଡର ପୁରୁଷ(Transgender men)ଙ୍କ ଋତୁସ୍ରାବ ହେଉଥିବା ବେଳେ ଟ୍ରାନ୍ସଜେଣ୍ଡର ମହିଳା(Transgender women)ଙ୍କ ଋତୁସ୍ରାବ ହୋଇନଥାଏ । ଏଥିରୁ ଜଣାପଡ଼ିଲା ଯେ ଯେଉଁମାନଙ୍କ ଋତୁସ୍ରାବ ହୋଇଥାଏ, ସେମାନେ ସମସ୍ତେ ମହିଳା ନୁହଁନ୍ତି ।
- ଋତୁସ୍ରାବରେ ନିର୍ଗତ ରକ୍ତ ହେଉଛି ମଇଳା !
ଅନ୍ୟ ଏକ ସାଧାରଣ ବିଶ୍ବାସ ହେଉଛି ଋତୁସ୍ରାବ ସମୟରେ ନିର୍ଗତ ରକ୍ତ ହେଉଛି ମଇଳା ରକ୍ତ(dirty blood) । ମାତ୍ର ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ପିରିୟଡ୍ ରକ୍ତ(Period blood) ପୁଷ୍ଟିକର ଖାଦ୍ୟରେ ପରିପୂର୍ଣ୍ଣ । କାରଣ ଗର୍ଭଧାରଣ ପାଇଁ ଗର୍ଭାଶୟ ଲାଇନ୍ ଥାଏ, ଯାହା ଗର୍ଭଧାରଣ ପାଇଁ ପ୍ରସ୍ତୁତ ହୋଇଥାଏ । ଏହା କେବଳ ସାଧାରଣ ବା ଅନାବଶ୍ୟକ ରକ୍ତ(ordinary blood), କିନ୍ତୁ ଏହା ଆଦୌ ବିଷାକ୍ତ ନୁହେଁ ।
- ଋତୁସ୍ରାବ ହେଲେ କେଶ ଧୋଇବା ଅନୁଚିତ !
ଅନେକ ଲୋକ ବିଶ୍ବାସ କରନ୍ତି ଯେ ସେମାନଙ୍କ ଋତୁସ୍ରାବ ସମୟରେ କେଶ ଧୋଇବା ଉଚିତ୍ ନୁହେଁ । ଅନ୍ୟପକ୍ଷରେ ଡାକ୍ତରମାନେ ଏହା ନିଶ୍ଚିତ କରନ୍ତି ଯେ ଋତୁସ୍ରାବ ଚକ୍ର ସମୟରେ କେଶ ଧୋଇବାରେ କୌଣସି କ୍ଷତି ହୁଏ ନାହିଁ । ଏହା ପରିବର୍ତ୍ତେ ଋତୁସ୍ରାବ ସମୟରେ ସଠିକ୍ ଶାରୀରିକ ସ୍ବଚ୍ଛତା ବଜାୟ ରଖିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ।
ଋତୁସ୍ରାବକୁ ନେଇ ଚିତ୍ରଶିଳ୍ପୀ ପ୍ରିୟଙ୍କାଙ୍କ ସଚେତନତା ବାର୍ତ୍ତା:-
ଏହି ସମୟରେ କିଛି ମହିଳା ପୁରୁଣା ଅସ୍ବଚ୍ଛ କପଡା ଓ ପଲିଥିନ ପରି ମାରାତ୍ମକ ଜିନିଷ ଋତୁସ୍ରାବ ସମୟରେ ବ୍ୟବହାର କରିଥାନ୍ତି । ତେବେ ତଥ୍ୟ ମୁତାବକ ଭାରତରେ ୨୩ ମିଲିୟନ ଯୁବତୀ ପ୍ରତି ବର୍ଷ ପିରିଅଡକୁ ରୋଗ ଭାବି ସ୍କୁଲ ଛାଡି ଦିଅନ୍ତି । ଲକ୍ଷାଧିକ ମହିଳା ଋତୁସ୍ରାବ କଷ୍ଟ ଓ ଅସଚେତନତା ପାଇଁ ମୃତ୍ୟୁବରଣ କରନ୍ତି । ଏହି ସମସ୍ତ ଦିଗକୁ ଦୃଷ୍ଟିରେ ରଖି ଚିତ୍ରଶିଳ୍ପୀ ପ୍ରିୟଙ୍କା ସାହାଣୀ ରାଜ୍ୟବାସୀଙ୍କୁ ସଚେତନତା ବାର୍ତ୍ତା ଦେଇଛନ୍ତି । ସେ ୨୦ଟି ସାନିଟାରୀ ପ୍ୟାଡ ବ୍ୟବହାର କରି ଏକ ମୁକୁଟ ତିଆରି କରିଛନ୍ତି । ଅଳତା ଓ ରଙ୍ଗ ମିଶାଇ ସେଥିରେ ସଚେତନ ବାର୍ତ୍ତା ଲେଖିଛନ୍ତି । ଋତୁସ୍ରାବ ଲଜ୍ଜାକର କଥା ନୁହେଁ, ଏହା ହିଁ ନାରୀର ବିଶେଷତ୍ବ ବୋଲି ଚିତ୍ରଶିଳ୍ପୀ ପ୍ରିୟଙ୍କା ସାହାଣୀ ନିଜ ଚିତ୍ର ମାଧ୍ୟମରେ ସୂଚାଇଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର