ଭୁବନେଶ୍ବର: ରାଜ୍ୟରେ ଥିବା ୧୧୮ଟି ପୌର ପରିଷଦ ଓ ୫ଟି ମହାନଗର ନିଗମ ମଧ୍ୟରୁ ଭୁବନେଶ୍ବର ଓ ବ୍ରହ୍ମପୁର ମହାନଗର ନିଗମର କାର୍ଯ୍ୟକାଳ ଶେଷ ହୋଇଗଲାଣି । ଏହାସହ ଗତ ୨୦୧୮ ସେପ୍ଟେମ୍ବର ୩୦ ରେ ୬୫ଟି ଓ ୨୦୧୯ ଜାନୁଆରୀ ସୁଦ୍ଧା ୯୦ଟି ପୋରପରଷଦର କାର୍ଯ୍ୟ କାଳ ଶେଷ ହୋଇସାରିଛି । ହେଲେ କେବେ ହେବ ଏହି ପୌର ନିର୍ବାଚନ ତାହାର ଉତ୍ତର କାହା ପାଖରେ ନାହିଁ ।
ସୂଚନା ଅନୁସାରେ ଆସନ ସଂରକ୍ଷଣ ପାଇଁ ଥିବା ଅସଙ୍ଗତି ଯୋଗୁଁ ପୌର ନିର୍ବାଚନ ହେବା ସମ୍ଭବପର ହୋଇପାରୁନାହିଁ । କାର୍ଯ୍ୟକାଳ ଶେଷ ହୋଇଥିବା ଏହି ୯୦ଟି ପୌର ପରିଷଦର ନିର୍ବାଚନ ହୋଇନଥିବା ହେତୁ ସେଠାରେ ଏବେ ରାଜ୍ୟ ସରକାର ପ୍ରଶାସନକୁ ଦାଇତ୍ଵ ଦେଇଛନ୍ତି । ଫଳରେ ବିକାଶ ମୂଳକ କାର୍ଯ୍ୟ ହୋଇପାରୁନଥିବା ଲୋକେ ଅଭିଯୋଗ କରିଛନ୍ତି ।
ଅପର ପକ୍ଷରେ ରାଜ୍ୟର ପୌରନିର୍ବାଚନକୁ ନେଇ ହାଇକୋର୍ଟ ଦେଇଥିବା ରାୟକୁ ସୁପ୍ରିମକୋର୍ଟ କାୟମ ରଖିଛନ୍ତି । ଏହାସହ ନିର୍ବାଚନ କମିଶନ ମଧ୍ୟ ପୌରନିର୍ବାଚନ କରିବାକୁ ପ୍ରସ୍ତୁତ ହେଉଛନ୍ତି ସତ, ହେଲେ ଏହା ଏବେ ରାଜ୍ୟ ସରକାରଙ୍କ ହାତରେ ରହିଛି । ସଂରକ୍ଷଣ ସହ ଓ୍ଵାର୍ଡ ପୁନଃଗଠନ ହେଉଛି ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ବିଭାଗ କରିବ । ତେବେ ସଂରକ୍ଷଣ ସମ୍ପର୍କିତ ବିଲ୍ ବିଧାନସଭାରେ ବର୍ତ୍ତମାନ ସୁଦ୍ଧା ପାରିତ ହୋଇନଥିବା ହେତୁ ପୌରନିର୍ବାଚନ ବିଳମ୍ବ ହେଉଛି ।
ଯେହେତୁ ଏହି ୯୦ଟି ପୌରନିର୍ବାଚନ ହେଇପାରିନାହିଁ ସେଥିପାଇଁ ସଂସ୍ଥା ମାନଙ୍କରେ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଓ ପ୍ରକଳ୍ପ ନିର୍ଦେଶକ ମାନଙ୍କୁ ଦାଇତ୍ଵ ଦିଆଯାଇଛି । ଯାହାକୁ ନେଇ ବିରୋଧୀ ମାନେ ରାଜ୍ୟ ସରକାରଙ୍କୁ କରିଛନ୍ତି ଜୋରଦାର ଟାର୍ଗେଟ । ସୂଚନା ଅନୁସାରେ ସମସ୍ତ ପୌର ପରିଷଦର ଥିବା ଓ୍ଵାଡ ଗୁଡିକର ସୀମା ନିର୍ଧାରଣ ସହ ସଂରକ୍ଷଣ କରିବା କାର୍ଯ୍ୟ ଜିଲ୍ଲାପାଳ କରିବେ ଏବଂ ଏକ ରିପୋର୍ଟ ନଗର ଉନ୍ନୟନ ବିଭାଗ କୁ ଦେବେ । ଓଡିଶା ମୁନିସପାଲିଟ୍ ଓ୍ଵାଡ, ସୀମାନିର୍ଦ୍ଦାରଣ, ସଂରକ୍ଷଣ ଓ ନିର୍ବାଚନ ପରିଚାଳନା ଆକ୍ଟ ୧୯୯୪ ଅନୁସାରେ, ଲୋକସଂଖ୍ୟା ଭିତ୍ତିରେ ସଂରକ୍ଷଣ ଲାଗୁ କରାଯିବ ।
ତେବେ ପୌର ନିର୍ବାଚନରେ ସଂରକ୍ଷଣ ସର୍ବାଧିକ ୫୦ ପ୍ରତିଶତରୁ ଅଧିକ ହୋଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଦେବା ପରେ ରାଜ୍ୟ ସରକାର ଏବେ ହରଡ ଘଣାରେ ପଡିଛନ୍ତି । ରାଜ୍ୟ ସରକାରଙ୍କ ସଂରକ୍ଷଣରେ ଏହା ୬୭ ପ୍ରତିଶତ ସଂରକ୍ଷଣ କରିଛନ୍ତି । ଏହାକୁ କିଭଳି କାର୍ଯ୍ୟକାରୀ କରିବେ ସେନେଇ ବିଭାଗ ର ଅକଲ ଗୁଡୁମ୍ ହୋଇଛି । ସେଥିପାଇଁ ପୌର ନିର୍ବାଚନ ବିଳମ୍ବ ହେବାରେ ଲାଗିଛି । ସୂଚନା ଅନୁସାରେ ରାଜ୍ୟ ସରକାର ଆସନ୍ତା ବଜେଟ ଅଧିବେଶନରେ ଏହି ପୌର ସଂସୋଧନ ବିଲ ପାରିତ କରିବା ପରେ ନିର୍ବାଚନ ହେବା ନେଇ ବାଟ ଫିଟିବ ବୋଲି ଆଶା କରାଯାଉଛି ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ