ଭୁବନେଶ୍ବର: ଭେଟେରାନ ଓଲିଉଡ ଅଭିନେତା ବିଜୟ ମହାନ୍ତିଙ୍କ ପରଲୋକ । ତାଙ୍କ ବିୟୋଗରେ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି । 70 ବର୍ଷ ବୟସରେ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ସୋମବାର ସନ୍ଧ୍ୟା 8ଟାରେ ସେ ପଲସ ଯନ୍ତ୍ରଣା ଅନୁଭବ କରିବାରୁ ପ୍ରଥମେ ଚିକିତ୍ସା କରୁଥିବା ହସ୍ପିଟାଲ ସହିତ ଯୋଗଯୋଗ କରାଯାଇଥିଲା । ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପୂର୍ବରୁ ହାଇଦ୍ରାବାଦରେ ଚିକିତ୍ସିତ ହେଉଥିବା ବେଳେ ଗତ 14 ଜୁନରେ ତାଙ୍କୁ ଓଡିଶା ଅଣାଯାଇ ଫେରି କେୟାର ହସ୍ପିଟାଲରେ ଡାକ୍ତରଙ୍କ ତତ୍ବାବଧାନରେ ରଖାଯାଇଥିଲା ।
ସୂଚନାଯୋଗ୍ୟ, ଓଡ଼ିଆ ଫିଲ୍ମ ଜଗତର ବିଶିଷ୍ଟ ଅଭିନେତା ମହାନ୍ତି ହାଇଦ୍ରାବାଦରେ ତାଙ୍କ ଝିଅଙ୍କ ପାଖରେ କିଛି ବର୍ଷ ଧରି ରହି ଆସୁଥିଲେ । ତେବେ ଗତ ମେ ମାସରେ 26 ତାରିଖରେ ତାଙ୍କର ଛାତିରେ ଯନ୍ତ୍ରଣା ହେତୁ ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ସେପଟେ ଅଭିନେତା ବିଜୟ ମହାନ୍ତିଙ୍କ ବିୟୋଗରେ ରାଜନୈତିକ ମହଲରୁ ଶୋକର ବାର୍ତ୍ତା ଆସୁଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ଵର ସାଂସଦ ଅପରାଜିତା ଷଢଙ୍ଗୀ, ହକି ତାରକା ଦିଲ୍ଲୀପ ତିର୍କୀ, ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ପ୍ରମୁଖ ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିବା ସହ ତାଙ୍କ ଅମର ଆତ୍ମାର ସଦଗତି ପ୍ରାର୍ଥନା କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ