ଭୁବନେଶ୍ବର: ଆସନ୍ତା ସପ୍ତାହରୁ ଭାରତୀୟ ଜନତା ପାର୍ଟି ବିଜେପି ପାଳନ କରିବ ସେବା ସପ୍ତାହ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଆସନ୍ତା 17 ତାରିଖରେ ପଡୁଥିବାରୁ ସେପ୍ଟେମ୍ବର 14ରୁ ସର୍ବଭାରତୀୟ ସ୍ତରରେ ବିଜେପି ପାଳିବ ସେବା ସପ୍ତାହ । ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ପରାମର୍ଶ କ୍ରମେ ଦଳ ଏହି କାର୍ଯ୍ୟକ୍ରମ ଆରମ୍ଭ କରୁଛି ।
ଆଜି ଏ ସଂର୍ପକରେ ବିସ୍ତୃତ ସୂଚନା ଦେଇଛନ୍ତି ବିଧାୟକ ବିଷ୍ଣୁ ସେଠୀ । ସେବା ସପ୍ତାହ ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର, ମାଗଣା ସ୍ବାସ୍ଥ୍ୟ ପରୀକ୍ଷା, ଚକ୍ଷୁ ପରୀକ୍ଷା, ଅସ୍ତ୍ରୋପଚାର ଶିବିର ଏବଂ ଔଷଧ ବଣ୍ଟନ କାର୍ଯ୍ୟକ୍ରମ କରାଯିବ। ହସ୍ପିଟାଲ, ଅନାଥାଶ୍ରମ ଏବଂ ବୃଦ୍ଧାଶ୍ରମ ମାନଙ୍କରେ ଫଳ ବିତରଣ ମଧ୍ୟ କରାଯିବ । ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ଲାଷ୍ଟିକ ମୁକ୍ତ ଭାରତର ଯେଉଁ କଳ୍ପନା କରିଛନ୍ତି, ତାହାକୁ ସାକାର କରିବା ପାଇଁ ଦଳୀୟ ନେତା ଓ କାର୍ଯ୍ୟକର୍ତାମାନେ ସଂକଳ୍ପ ନେବେ ଏହି ଅବସରରେ ।
ଏହି ପରିପ୍ରେକ୍ଷୀରେ ବିଜେପି କାର୍ଯ୍ୟକର୍ତାମାନେ ନିଜ ଅଞ୍ଚଳର ସ୍କୁଲ ଓ କଲେଜ ମାନଙ୍କରେ ଛାତ୍ରଛାତ୍ରୀ ମାନଙ୍କୁ ପ୍ଲାଷ୍ଟିକ ବସ୍ତୁକୁ ବର୍ଜନ କରିବା ଓ ଜଳ ସଂରକ୍ଷଣ ପାଇଁ ସଚେତନ କରାଇବେ । ସାଧାରଣ ଲୋକଙ୍କ ଭିତରେ ପ୍ଲାଷ୍ଟିକକୁ ନେଇ ଜନଜାଗରଣ ସୃଷ୍ଟି କରାଯିବ ବୋଲି ବିଷ୍ଣୁ କହିଛନ୍ତି । ଖାଲି ଏତିକି ନୁହେଁ ମୋଦିଙ୍କ ଜନ୍ମଦିନ ଅବସରରେ ପ୍ରତ୍ୟେକ ସାର୍ବଜନୀନ ସ୍ଥାନରେ ସଫେଇ କାର୍ଯ୍ୟକ୍ରମ କରାଯିବା ସହ ବୃକ୍ଷରୋପଣ କରାଯିବ ।
ଏଥିସହ ମୋଦିଙ୍କ ଜୀବନିକୁ ନେଇ ଏକ ପୁସ୍ତକ ଉନ୍ମୋଚନ କରାଯିବ ଏବଂ ଏହି ପୁସ୍ତକକୁ ବିଭିନ୍ନ ଲୋକଙ୍କୁ ସାକ୍ଷାତ କରି ପ୍ରଦାନ କରାଯିବ ବୋଲି କହିଛନ୍ତି ବିଷ୍ଣୁ ସେଠୀ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ