ଭୁବନେଶ୍ବର: ଓଡିଶାରେ ପହଞ୍ଚିଲେ ଅଶ୍ବିନୀ ବୈଷ୍ଣବ । ୩ ଦିନିଆ ଗସ୍ତରେ ଆସିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ । ଏଥିସହ ତାଙ୍କ ସହ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ଅଛନ୍ତି । ବିମାନବନ୍ଦରରେ ୨ ମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା । ବାଜା ବଜାଇ, ବାଣ ଫୁଟାଇ ଭବ୍ୟ ସ୍ବାଗତ କରିଥିଲେ ଦଳୀୟ କର୍ମୀ । ବିମାନବନ୍ଦରରେ ସାଂସଦ ଅପରାଜିତା, ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର, ରାଜ୍ୟ ବିଜେପି ପଦାଧିକାରୀ ଓ ଦଳୀୟ କର୍ମୀ ମାନେ ବିମାନବନ୍ଦରରେ ଉପସ୍ଥିତ ରହି ମନ୍ତ୍ରୀଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ ।
ଓଡିଶା ଗସ୍ତ ଅବସରରେ ଉଭୟ କେନ୍ଦ୍ରମନ୍ତ୍ରୀ ବିଭିନ୍ନ ଜିଲ୍ଲା ପରିଦର୍ଶନରେ ଯିବେ । ଏହା ପୂର୍ବରୁ ପ୍ରଥମେ ଦୁଇ ମନ୍ତ୍ରୀ ପୁରୀ ଗସ୍ତ କରିବେ । ସେଠାରୁ ଫେରି ଦଳୀୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ ଏବଂ ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରିବେ । ପରେ ଟ୍ରେନ ଯୋଗେ ରେଳ ମନ୍ତ୍ରୀ ରାୟଗଡା, କୋରାପୁଟ, ବଲାଙ୍ଗୀର, ନବରଙ୍ଗପୁର, କଳାହାଣ୍ଡି ଜିଲ୍ଲା ଗସ୍ତ କରିବେ । ସେହିପରି ଧର୍ମେନ୍ଦ୍ର ପ୍ରଧାନ ଖୋର୍ଦ୍ଧା ଓ କଟକ ଜିଲ୍ଲାର ବିଭିନ୍ନ ସ୍ଥାନ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।
୩ ଦିନିଆ ଗସ୍ତରେ ରାଜ୍ୟର 419 କିଲୋମିଟର ଗସ୍ତ କରିବା ସହ 115ଟି ସ୍ଥାନରେ କାର୍ଯ୍ୟକ୍ରମ କରିବେ 2 କେନ୍ଦ୍ରମନ୍ତ୍ରୀ । ଏହି ଅବସରରେ ରାଜ୍ୟରେ ଆୟୋଜିତ ହେବ ଜନ 'ଆଶୀର୍ବାଦ ଯାତ୍ରା' । ୬ଟି ଲୋକସଭା କ୍ଷେତ୍ର ଓ ୭ଟି ଜିଲ୍ଳାରେ ଉଭୟ କେନ୍ଦ୍ରମନ୍ତ୍ରୀ କାର୍ଯ୍ୟକ୍ରମ କରିବେ । ମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସୁପରିଚାଳନା ପାଇଁ ଟିମ ଗଠନ କରିଛି ରାଜ୍ୟ ବିଜେପି ।
ପ୍ରଥମ ଦିନର କାର୍ଯ୍ୟକ୍ରମରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଦ୍ୱାରା ପ୍ରତିଷ୍ଠିତ ସତ୍ୟବାଦୀ ବକୁଳ ବନ ବିଦ୍ୟାଳୟକୁ ଗସ୍ତ କରିବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟର ସାମାଜିକ, ଶିକ୍ଷା ଏବଂ ରାଜନୈତିକ କ୍ଷେତ୍ରରେ ଗୁରୁତ୍ୱ ବହନ କରୁଥିବା ଏହି ଐତିହାସିକ ବନ ବିଦ୍ୟାଳୟକୁ କେନ୍ଦ୍ରମନ୍ତ୍ରୀ ଗସ୍ତ କରି ପଞ୍ଚସଖାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ସେମାନଙ୍କ ବିଚାରଧାରାର ସ୍ମୃତିଚାରଣ କରିବେ । ବର୍ତ୍ତମାନ ଭାରତ ସରକାର ‘ସ୍ୱାଧୀନତାର ଅମୃତ ମହୋତ୍ସବ’ ପାଳନ କରୁ ଥିବାବେଳେ କେନ୍ଦ୍ରମନ୍ତ୍ରୀ ପ୍ରଧାନଙ୍କ ଏହି ଗସ୍ତ ଯୁବପୀଢ଼ିଙ୍କ ମଧ୍ୟରେ ଶିକ୍ଷାନୁଷ୍ଠାନର ମହାତ୍ମ୍ୟକୁ ଆଦୃତ କରିବ ବୋଲି ଆଶା କରାଯାଉଛି ।
ଭୁବନେଶ୍ବରରୁ ତାପସ ପରିଡା/ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ