ଭୁବନେଶ୍ବର: ପଶୁସମ୍ପଦ ପ୍ୟାକେଜକୁ ମଞ୍ଜୁରୀ ଦେଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କମିଟି(ସିସିଇଏ)ରେ ପଶୁ ପାଳନ କ୍ଷେତ୍ର ସହ ଜଡ଼ିତ ଥିବା ଓଡି଼ଶା ସମେତ ଦେଶର ୧୦ କୋଟି ଚାଷୀଙ୍କ ପାଇଁ ୯ ହଜାର ୮୦୦ କୋଟି ଟଙ୍କାର ସ୍ବତନ୍ତ୍ର ପଶୁସମ୍ପଦ ପ୍ୟାକେଜକୁ ମଞ୍ଜୁରୀ ଦେଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରଧାନ ।
୨୦୨୧-୨୨ ଆର୍ଥିକ ବର୍ଷରେ ଆରମ୍ଭ ହେବାକୁ ଥିବା ଏହି ଯୋଜନାରେ ପଶୁ ପାଳନ ଏବଂ ଦୁଗ୍ଧ ବିଭାଗ ଅନ୍ତର୍ଭୁକ୍ତ ଯୋଜନାରେ ଆଗାମୀ ୫ ବର୍ଷରେ ୫୪ ହଜାର ୬୧୮ କୋଟି ଟଙ୍କା ପୁଞ୍ଜିନିବେଶ କରାଯିବ । ଆନୁସଙ୍ଗିକ ଭିତ୍ତିଭୂମିକୁ ବିଚାର କଲେ ସ୍ବତନ୍ତ୍ର ପଶୁସମ୍ପଦ ପ୍ୟାକେଜ ଦ୍ବାରା ଓଡି଼ଶା ଲାଭବାନ ହେବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରଧାନ କହିଛନ୍ତି ।
ଅପରପକ୍ଷରେ କ୍ୟାବିନେଟରେ ସମସ୍ତଙ୍କୁ ସ୍ବାସ୍ଥ୍ୟସେବା ଉପରେ ଗୁରୁତ୍ବ ଦିଆଯାଇଛି । ବିଶେଷ ଭାବରେ ଅପହଞ୍ଚ ଅଞ୍ଚଳରେ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ କେନ୍ଦ୍ରୀୟ ଅନୁଦାନ ପ୍ରାପ୍ତ ଜାତୀୟ ଆୟୁଷ ମିଶନକୁ ଆଗାମୀ ୫ ବର୍ଷ ପାଇଁ ବଢ଼ାଯାଇଛି । ଏହାସହ କେନ୍ଦ୍ର ସରକାରଙ୍କ ଅଧୀନରେ କାମ କରୁଥିବା ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି, ଋଷ ଓ ଭାରତ ମଧ୍ୟରେ କୋକିଂ କୋଲ କ୍ଷେତ୍ରରେ ଅଧିକ ଦ୍ବିପାକ୍ଷିକ ସମନ୍ବୟ ସ୍ଥାପନ କରିବା ପାଇଁ ଏମଓୟୁକୁ ଅନୁମୋଦନ ଦିଆଯିବା ସହ ଅନେକ ଉନ୍ନୟନମୂଳକ ପଦକ୍ଷେପ ନିଆଯାଇଛି ।
କେନ୍ଦ୍ର ସରକାରରେ କାର୍ଯ୍ୟରତ କର୍ମଚାରୀ ଏବଂ ପେନସନଧାରୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ମହଙ୍ଗା ଭତ୍ତାକୁ ୧୭ ପ୍ରତିଶତରୁ ୨୮ ପ୍ରତିଶତକୁ ବୃଦ୍ଧି କରାଯିବା ସ୍ବାଗତଯୋଗ୍ୟ ପଦକ୍ଷେପ । ଏହା ନିଶ୍ଚିତ ଭାବେ କେନ୍ଦ୍ର ସରକାରରେ କାର୍ଯ୍ୟରତ କର୍ମଚାରୀ ଓ ପେନସନଧାରୀଙ୍କ ପାଇଁ ଫଳପ୍ରଦ ହେବେ । ସେହିପରି ଇସ୍ପାତ୍ ଶିଳ୍ପର ଲାଭ ପାଇଁ କୋକିଂ କୋଲ୍ କ୍ଷେତ୍ରରେ ଋଷ ଓ ଭାରତ ମଧ୍ୟରେ କୋକିଂ କୋଲ କ୍ଷେତ୍ରରେ ଅଧିକ ଦ୍ବିପାକ୍ଷିକ ସମନ୍ବୟ ସ୍ଥାପନ କରିବା ପାଇଁ ଏମଓୟୁକୁ ଅନୁମୋଦନ ଦିଆଯାଇଛି । ଏହା ଦ୍ବାରା ଷ୍ଟିଲ କ୍ଷେତ୍ରର ଇନପୁଟ କଷ୍ଟ ହ୍ରାସ ହେବ ଏବଂ ଇସ୍ପାତ୍ ଶିଳ୍ପକୁ ଲାଭ ଦେବ ବୋଲି କେନ୍ଦ୍ରମନ୍ତ୍ରୀ ଟ୍ବିଟ୍ କରିଛନ୍ତି ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ