ଭୁବନେଶ୍ବର: ପୁଣି ରାଜଧାନୀରୁ ଅଜଣା ଯୁବକଙ୍କ ମୃତଦେହ ଠାବ । ଗତକାଲି ଲକ୍ଷ୍ମୀସାଗର ଅଞ୍ଚଳରୁ ଜଣେ ଅଜଣା ଯୁବକଙ୍କ ମୃତଦେହ ଠାବ କରିଛି ପୋଲିସ । ଗତକାଲି ସନ୍ଧ୍ୟା ୮ଟା ସମୟରେ ଲକ୍ଷ୍ମୀସାଗର ମାଳୀହତା ପୋଖରୀରେ ଏକ ମୃତଦେହ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଏନେଇ ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହକୁ ପୋଖରୀରୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି ।
ତେବେ ପୋଖରୀରୁ ଉଦ୍ଧାର ହୋଇଥିବା ମୃତ ଯୁବକ ଜଣଙ୍କ ପରିଚୟ ମିଳିପାରିନଥିବା ବେଳେ ତାଙ୍କ ନାକରୁ ରକ୍ତ ବାହାରୁଥିବା ସହ ବେକରେ କ୍ଷତ ଚିହ୍ନ ରହିଥିବା ପୋଲିସ ଦେଖିବାକୁ ପାଇଥିଲା । ତେବେ କେହି ହତ୍ୟା କରି ଯୁବକଙ୍କୁ ପୋଖରୀରେ ଫୋପାଡି ଦେଇଥିବା ପୋଲିସ ସନ୍ଦେହ କରୁଥିବା ବେଳେ ଏନେଇ ତଦନ୍ତ ଆରମ୍ଭ ହୋଇଛି ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ