ଭୁବନେଶ୍ବର: ଆସନ୍ତା ସେପ୍ଟେମ୍ବରରେ ପ୍ରେକ୍ଷାଳୟକୁ ଆସିବ ଓଡିଆ ଚଳଚ୍ଚିତ୍ର 'ମହର୍ଷି' । ସ୍ବାଧୀନତା ସଂଗ୍ରାମୀଙ୍କ ଉପରେ ଆଧାରିତ ନୂଆ ଓଡ଼ିଆ ଚଳଚ୍ଚିତ୍ର 'ମହର୍ଷି'ର ଟ୍ରେଲର ରିଲିଜ ହୋଇଯାଇଛି (Trailer release of odia film maharshi) । ଜୟୀ ରାଜଗୁରୁଙ୍କ ଜୀବନୀ ଉପରେ ସିନେମାଟି ନିର୍ମାଣ ହୋଇଛି । ଓଡିଶାର ପ୍ରଥମ ସ୍ଵାଧୀନତା ସଂଗ୍ରାମୀ ତଥା ଖୋର୍ଦ୍ଧାଗଡର ସିପାହୀ ହେଉଛନ୍ତି ଜୟୀ ରାଜଗୁରୁ । ସିନେମା 'ମହର୍ଷି'ରେ ସମ୍ପୂର୍ଣ୍ଣ ରୂପେ ସ୍ଵାଧୀନତା ସଂଗ୍ରାମର କାହାଣୀକୁ ଉପସ୍ଥାପନା କରାଯାଇଛି । ଦର୍ଶକ ଏହାକୁ ଦେଖି ଇତିହାସ ସମ୍ପର୍କରେ ଜାଣିବା ସହ ଓଡିଆ ଜାତି ମାଟି ପାଇଁ ପ୍ରାଣବଳୀ ଦେଇଥିବା ବୀର ପୁରୁଷଙ୍କୁ ମନେ ପକାଇବେ ।
ସିନେମାଟି ମନରେ ନୂଆ ଉତ୍ସାହ ଭରିଦେବା ସହ ଦେଶପ୍ରେମକୁ ଜାଗ୍ରତ କରିବ । ନିଚ୍ଛକ ସତ୍ୟ ଓ ମୌଳିକ କାହାଣୀକୁ ନେଇ ସିନେମାଟି ପ୍ରସ୍ତୁତ ହୋଇଥିବା ବେଳେ ଦର୍ଶକେ ଖୁବ ପସନ୍ଦ କରିବେ ବୋଲି ସିନେମାର ନାୟକ ଚନ୍ଦନ କର କହିଛନ୍ତି । ସିନେମାରେ ଅନ୍ୟ କଳାକାରଙ୍କ ମଧ୍ୟରେ ଶ୍ରୀତମ ଦାସ, ଜୀବନ ପଣ୍ଡା, ଦେବୀ ବାରିକ, ମହିମା ଦାସ, ଅଜୟ ପଟେଲ, ପ୍ରଶାନ୍ତ ନାୟକ, କୁସୁମ ତ୍ରିପାଠୀ ଓ ସରୋଜ ଦାସ ରହିଛନ୍ତି । ଏସଡିଡି ଫିଲ୍ମସ ବ୍ୟାନରେ ସିନେମା 'ମହର୍ଷି' ପ୍ରସ୍ତୁତ ହୋଇଛି । ପ୍ରଯୋଜନା ଦାୟିତ୍ବରେ ପ୍ରଦୀପ ସାହୁ ରହିଥିବାବେଳେ ନିର୍ଦ୍ଦେଶନାର ଭାର ସମ୍ଭାଳିଛନ୍ତି ସତ୍ୟବ୍ରତ ନାୟକ । ସିନେମାରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ମଳୟ ମିଶ୍ର ।
ଇଟିଭି ଭାରତ, ଭୁବନେଶ୍ବର