ଭୁବନେଶ୍ବର: ବୁଣାକାର ଓ କାରିଗରଙ୍କ ସାମାଜିକ ଓ ଆର୍ଥିକ ବିକାଶକୁ ତ୍ବରାନ୍ବିତ କରିବା ଲକ୍ଷ୍ୟ ନେଇ ପୁଣି ଆରମ୍ଭ ହେଲା ତୋଷାଳୀ ମେଳା । ଦୁଇବର୍ଷର କୋଭିଡ କଟକଣା ପରେ ବିନା କଟକଣାରେ ଚଳିତ ବର୍ଷ ଷୋଡ଼ଶ ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳା ଉଦଘାଟନ ହୋଇଛି । ମୁଖ୍ୟମନ୍ତ୍ରୀ ଭିଡିଓ କନ୍ଫେରେସିଂ ମାଧ୍ୟମରେ ଏହି ମେଳାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି ।
ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଭୁବନେଶ୍ବରର ଜନତା ମୈଦାନରେ ଏହି ଆୟୋଜନ ହୋଇଛି। ଆଜି(ମାର୍ଚ୍ଚ 28)ଠାରୁ ଆସନ୍ତା ଏପ୍ରିଲ ୧୦ ତାରିଖ ପର୍ଯ୍ୟନ୍ତ ଦୈନିକ ଅପରାହ୍ନ ୩ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ତୋଷାଳୀ ଖୋଲା ରହିବ । ଚଳିତ ବର୍ଷ ଏହି ମେଳାରେ 390ଟି ହସ୍ତତନ୍ତ ଷ୍ଟଲ୍ ସ୍ଥାନ ପାଇଛି । ରାଜ୍ୟ ସମେତ ଦେଶର ବିଭିନ୍ନ ରାଜ୍ୟରୁ 90 ବୁଣାକାର ଓ 150 ଜଣ କାରିଗର ତୋଷାଳୀରେ ଅଂଶ ଗ୍ରହଣ କରିଛନ୍ତି ।
ଆଜିର ଏହି ଉଦଘାଟନୀ ଦିବସରେ ବିଭାଗୀୟ ମନ୍ତ୍ରୀ, ସଚିବ ଓ ସ୍ଥାନୀୟ ବିଧାୟକ ପ୍ରମୁଖ ଉପସ୍ଥିତ ଥିଲେ । ଚଳିତ ବର୍ଷ ମେଳାରୁ ୧୫ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ବ୍ୟବସାୟ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହାକୁ ନେଇ ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ସୂଚନା ଦେଇଛନ୍ତି। ତେବେ ଦୁଇ ବର୍ଷ ପରେ ରାଜଧାନୀରେ ଏଭଳି ଏକ ବଡ ମେଳା ହେଉଥିବାରୁ ରାଜଧାନୀବାସୀ ବେଶ ଖୁସିଥିବା ବେଳେ ପ୍ରଥମ ଦିନରେ ହିଁ ବିଭିନ୍ନ ସାମଗ୍ରୀ କିଣୁଥିବା ଦେଖିବାକୁ ମିଳିଛି । ଏହାସହ ରାଜ୍ୟ ଓ ଦେଶର କୋଣ ଅନୁକୋଣରୁ ଆସିଥିବା ବୁଣାକାର ଓ କାରିଗରମାନଙ୍କ ହାତ ତିଆରି ଜିନିଷର ସମ୍ଭାର ଦେଖିବାକୁ ମିଳିଥିବାବେଳେ ରୋଜଗାର ପାଇ ସେମାନେ ବି ଖୁସିବ୍ଯକ୍ତ କରିଛନ୍ତି ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ