ଭୁବନେଶ୍ବର: ଏବର୍ଷ ମୌସୁମୀ ଋତୁରେ ଓଡିଶାରେ ସ୍ବାଭାବିକ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି କେନ୍ଦ୍ର ପାଣିପାଗ ବିଭାଗ । ଜୁନ ମାସରେ ସ୍ବାଭାବିକଠାରୁ ଅଧିକ ବର୍ଷା ହେବ ବୋଲି ସୂଚନା ଦେଇଛନ୍ତି ଆଇଏମଡି ଡିଜି ଡଃ. ମୃତ୍ୟୁଞ୍ଜୟ ମହାପାତ୍ର ।
ଆଇଏମଡି ଡିଜିଙ୍କ କହିବାନୁଯାୟୀ, ଜୁନରୁ ସେପ୍ଟେମ୍ବର ମଧ୍ୟରେ ଦେଶରେ ୯୬ରୁ ୧୦୪ ପ୍ରତିଶତ ବର୍ଷା ହୋଇପାରେ । ଏବେ ମୌସୁମୀ ଶ୍ରୀଲଙ୍କାରେ ପହଞ୍ଚିଛି । କେରଳରେ ପହଞ୍ଚିବାର ୧୦ରୁ ୧୨ ଦିନ ପରେ ଓଡ଼ିଶା ମୌସୁମୀ ପହଞ୍ଚିଥାଏ ବୋଲି କହିଛନ୍ତି ମୃତ୍ୟୁଞ୍ଜୟ ।
ଜୁନ ମାସରେ ରାଜ୍ୟରେ ସ୍ବାଭାବିକ କିମ୍ବା ଏହାଠାରୁ ଅଧିକ ବର୍ଷା ହେବା ନେଇ ଆକଳନ କରିଛି କେନ୍ଦ୍ର ପାଣିପାଗ ବିଭାଗ । ସେହିପରି ଜୁଲାଇ ଓ ଅଗଷ୍ଟରେ ପାଣିପାଗର ସ୍ଥିତି ଆଗାମୀ ଦିନରେ ଜଣାପଡ଼ିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।
ଆସନ୍ତା ୫ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ପ୍ରଭାବରେ ବର୍ଷା ପବନ ଓ ବଜ୍ରପାତ ଜାରି ରହିବ ବୋଲି ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୪ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ନବରଙ୍ଗପୁର,କଳାହାଣ୍ଡି,ରାୟଗଡା ଓ କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷା ଏବଂ ୨୦ ଜିଲ୍ଲା କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡା, କନ୍ଧମାଳ, ଗଜପତି, ଗଞ୍ଜାମ, ନୟାଗଡ, ମାଲକାନଗିରି, ବଲାଙ୍ଗୀର, ସୁନ୍ଦରଗଡ, ବରଗଡ଼,ଝାରସୁଗୁଡା, କେଓଁଝର,ବାଲେଶ୍ୱର, ବୌଦ୍ଧ, ନୂଆପଡା, ସୋନପୁର, ଭଦ୍ରକ, ମୟୂରଭଞ୍ଜରେ କାଳବୈଶାଖୀ ପ୍ରଭାବରେ ବିଜୁଳି ବଜ୍ରପାତ ସହ ବର୍ଷା ପବନ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି କେନ୍ଦ୍ର ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ