ଭୁବନେଶ୍ବର: ସୋମବାର ଠାରୁ ତୃତୀୟ ପର୍ଯ୍ୟାୟ ପଞ୍ଜିକରଣ । ଟୀକା ନେବେ ବରିଷ୍ଠ ନାଗରିକ। 22 ଟି ହସ୍ପିଟାଲରେ ଦିଆଯିବ ଟୀକାକରଣ। ମାର୍ଚ୍ଚ ୧ରୁ ଆରମ୍ଭ ହେବ ତୃତୀୟ ପର୍ଯ୍ୟାୟ ଟୀକାକରଣ। ୧୦ ଘରୋଇ ଡାକ୍ତରଖାନା ଓ ୧୨ଟି ସରକାରୀ ଡାକ୍ତରଖାନାରେ ଦିଆଯିବ ଟୀକା। ସୋମବାରରୁ ଆରମ୍ଭ ହେବ ପଞ୍ଜିକରଣ। ଆରୋଗ୍ୟ ସେତୁ ଆପ ଓ cowin 2.0 ପୋର୍ଟାଲରେ ପଞ୍ଜିକରଣ କଲେ ମିଳିବ ଭାକ୍ସିନ। ପ୍ରଥମ ଦିନ ପ୍ରତି କେନ୍ଦ୍ରରେ 60ଜଣଙ୍କୁ ଦିଆଯିବ ଟୀକା।
ଘରୋଇ ଡାକ୍ତରଖାନାରେ ସୋମବାର ପଞ୍ଜିକରଣ ପରେ ମଙ୍ଗଳବାରରୁ ଦିଆଯିବ ଟୀକା। ସରକାରୀ ଡାକ୍ତରଖାନାରେ ମାଗଣା ଓ ଘରୋଇ ହସ୍ପିଟାଲରେ ୧୦୦ ଟଙ୍କା ସର୍ଭିସ ଚାର୍ଜ ଦେବାକୁ ପଡିବ। କେନ୍ଦ୍ର କହିବା ପରେ ଟିକାର ଦର ନିର୍ଧାରଣ ହେବ। ଏହା ସହ ପ୍ରଥମ ଓ ଦ୍ଵିତୀୟ ପର୍ଯ୍ୟାୟ ଟୀକାକରଣ ମଧ୍ୟ ସମାନ୍ତରାଳ ଭାବେ ଚାଲିବ। ଭୁବନେଶ୍ୱରରେ ପୂର୍ବଭଳି କୋଭକ୍ସିନ ଟୀକା ଦିଆଯିବ। ଯଥେଷ୍ଟ ପରିମାଣର ଟୀକା ମହଜୁଦ ରହିଛି। ବାହାର 5ଟି ରାଜ୍ୟରୁ ଯେଉଁମାନେ ଆସୁଛନ୍ତି ଲକ୍ଷଣ ଥିଲେ 7 ଦିନ ହୋମ ଆଇସଲେସନରେ ରହିବେ।
ଆଫ୍ରିକାରୁ ଜଣେ ବ୍ୟକ୍ତି ଆସିଥିଲେ। ସେ ପଜିଟିଭ ଚିହ୍ନଟ ପରେ ତାଙ୍କୁ କୋଭିଡ ହସ୍ପିଟାଲରେ ରଖାଯାଇଛି। ତାଙ୍କର ସମ୍ପର୍କୀୟଙ୍କ ନମୁନା ବି ପରୀକ୍ଷା କରାଯାଇଛି। ତାଙ୍କ ନିକଟରେ ନୂଆ ଷ୍ଟ୍ରେନ ନଥିବା ଜଣାପଡ଼ିଛି। ଷ୍ଟେସନ ଓ ବିମାନ ବନ୍ଦରରେ ସ୍କ୍ରିନିଂ ଓ ଲକ୍ଷଣଯୁକ୍ତ ବ୍ୟକ୍ତିଙ୍କ ଆଣ୍ଟିଜେନ ଟେଷ୍ଟ କରାଯାଉଛି। ବାହାର ରାଜ୍ୟରୁ ଆସୁଥିବା ବସ ସମ୍ପର୍କରେ କୌଣସି ନିଷ୍ପତ୍ତି ହୋଇନଥିଲେ ହେଁ ଆଲୋଚନା ହେଉଛି।
ଏନେଇ ଆଜି ବିଡିଏ ସମ୍ମିଳନୀ କକ୍ଷରେ ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧରିଙ୍କ ଅଧ୍ୟକ୍ଷତାରେ ବିସ୍ତୃତ ଆଲୋଚନା ହୋଇଥିଲା। ଏଥିରେ ଟୀକାକରଣ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଥିବା ବିଭିନ୍ନ ବିଭାଗ ଓ ଘରୋଇ ହସ୍ପିଟାଲର ଅଧିକାରୀ ଉପସ୍ଥିତ ଥିଲେ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ