ଭୁବନେଶ୍ବର: ରାଜ୍ୟରେ କରୋନା ସହ ଲଢି ଶହୀଦ ହୋଇଥିବା କରୋନା ଯୋଦ୍ଧାଙ୍କ ପାଇଁ ରାଜଧାନୀରେ ପ୍ରତିଷ୍ଠା ହେବ ସ୍ମାରକୀ । ଆଜି ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ସଂଧ୍ୟାରେ ଭିଡିଓ କନ୍ଫରେନ୍ସିଂ ଜରିଆରେ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଶହୀଦ କୋଭିଡ ଯୋଦ୍ଧାଙ୍କ ପରିବାରବର୍ଗଙ୍କ ସହ ଆଲୋଚନା କରି ସମବେଦନା ଜଣାଇବା ସହ ତାଙ୍କ ତ୍ୟାଗ ଓ ବଳୀଦାନ କେବେ ବ୍ୟର୍ଥ ଯିବ ନାହିଁ ବୋଲି କହିଛନ୍ତି ନବୀନ ।
ମାଲକାନଗିରି, କଟକ, ବରଗଡ, ବାଲେଶ୍ବର ଓ ଗଞ୍ଜାମରେ କରୋନା ସହ ଲଢି ଶହୀଦ ହୋଇଥିବା କୋଭିଡ ଯୋଦ୍ଧାଙ୍କ ପରିବାର ସହିତ ଆଲୋଚନା କରିବା ସହ କୃତଜ୍ଞତା ପ୍ରକାଶ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସରକାର ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇଦେବେ ବୋଲି ଆଶ୍ବାସନା ମଧ୍ୟ ଦେଇଥିଲେ ।
ଏହି ଅବସରରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବ ଓ ତତ୍ତ୍ବାବଧାନରେ ଓଡିଶା ସଫଳତାର ସହ କୋଭିଡ ଯୁଦ୍ଧର ମୁକାବିଲା କରିପାରିଛି। ପ୍ରାୟ ୧୦ ଲକ୍ଷ ପ୍ରବାସୀ ରାଜ୍ୟକୁ ଫେରିବା ବେଳେ ସରକାରଙ୍କ ପରିଚାଳନା ପ୍ରଣାଳୀ ଉଲ୍ଲେଖନୀୟ ଥିଲା । ସଠିକ ଯୋଜନା ଓ ସମସ୍ତ କର୍ମଚାରୀଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ କୋଭିଡ ଯୁଦ୍ଧରେ ସଫଳତା ମିଳିପାରିଛି ବୋଲି କହିଛନ୍ତି ଅସିତ ।
ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି.କେ. ମହାପାତ୍ର କହିଥିଲେ ଯେ ଓଡିଶା ଅତ୍ୟନ୍ତ ସଫଳତାର ସହ କୋଭିଡ ଯୁଦ୍ଧର ମୁକାବିଲା କରିଛି। ଏଥିରେ ୧୦୧ ଜଣ କୋଭିଡ ଯୋଦ୍ଧା ଶହୀଦ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ୯୬ ଜଣ ଶହୀଦଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ଲେଖାଏ ସହାୟତା ଦିଆଯାଇଥିବା କଥା ସେ ପ୍ରକାଶ କରିଛନ୍ତି । ସେହିପରି ଆସନ୍ତା ୨ ଦିନ ମଧ୍ୟରେ ବାକି ୫ ଜଣ ଶହୀଦଙ୍କ ପରିବାରକୁ ସହାୟତା ଦିଆଯିବ ବୋଲି ସେ ମଧ୍ୟ ପ୍ରକାଶ କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ କୋଭିଡ ଯୋଦ୍ଧାଙ୍କ ତ୍ୟାଗ ଓ ସେବା ସଂପର୍କରେ ଏକ ଭିଡିଓ ଚିତ୍ର ପଦର୍ଶନ କରାଯାଇଥିଲା । ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ଓ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରମୁଖ ସଚିବ ଓ ସଚିବ ମାନେ ଉପସ୍ଥିତ ଥିଲେ । ୫-ଟି ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଂଚାଳନା କରିଥିଲେ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ , ଇଟିଭି ଭାରତ