ଭୁବନେଶ୍ବର: ବହୁ ପ୍ରତିକ୍ଷାର ଘଟିଛି ଅନ୍ତ । ଆସନ୍ତା 27 ତାରିଖରେ ଖୋଲିବାକୁ ଯାଉଛି ଲିଙ୍ଗରାଜ ମନ୍ଦିର । କିନ୍ତୁ ଏଥିପାଇଁ ଏକ ସ୍ବତନ୍ତ୍ର ପ୍ରୋଟକଲ ମଧ୍ୟ ଜାରି କରାଯାଇଛି । 27ରୁ 31 ତାରିଖ ଯାଏ କେବଳ ସେବାୟତ ଓ ତାଙ୍କ ପରିବାର ହିଁ ଦର୍ଶନ କରିପାରିବେ ।
ସେହିପରି ଜାନୁଆରୀ 1 ଓ 2 ତାରିଖ ଦୁଇ ଦିନ ମନ୍ଦିର ବନ୍ଦ ରହିବ । 3 ରୁ 5 ତାରିଖ ଯାଏ କେବଳ ରାଜଧାନୀବାସୀ ହିଁ ଦର୍ଶନର ସୁଯୋଗ ପାଇ ପାରିବେ । ସେହିପରି 6 ତାରିଖ ପର ଠାରୁ ସାଧାରଣ ଦର୍ଶନ ଆରମ୍ଭ ହେବ ବୋଲି ସୂଚନା ମିଳିଛି । ସାଧାରଣ ଦର୍ଶନ ପାଇଁ ଯାଉଥିବା ଭକ୍ତ କୋଭିଡ ନେଗେଟିଭ ହେବା ବାଧ୍ୟତାମୂଳକ ।
ସେହିପରି କୌଣସି ଲକ୍ଷଣ ପ୍ରକାଶ ପାଇଲେ ସେମାନେ ମନ୍ଦିର ବାହାରେ ଥିବା ପରୀକ୍ଷା କେନ୍ଦ୍ରରେ କୋଭିଡ ପରୀକ୍ଷା କରାଇପାରିବେ । ଭକ୍ତମାନଙ୍କ କୋଭିଡ ଟେଷ୍ଟ କରିବା ପାଇଁ ମନ୍ଦିର ବାହାରେ ଏକ ଟେଷ୍ଟ ସେଣ୍ଟର ଖୋଲିବ ବିଏମସି । ଏବଂ 15 ମିନିଟ ମଧ୍ୟରେ ଭକ୍ତଙ୍କୁ ସେମାନଙ୍କର କୋଭିଡ ରିପୋର୍ଟ ମିଳିପାରିବା ନେଇ ବ୍ୟବସ୍ଥା ମଧ୍ୟ କରାଯିବ ।
ଅନ୍ୟପଟେ ଜାନୁଆରୀ 3 ତାରିଖରୁ ରାଜଧାନୀର ସମସ୍ତ ମନ୍ଦିର ଖୋଲିବା ନେଇ ମଧ୍ୟ ନିଷ୍ପତ୍ତି ହୋଇଛି । ଏନେଇ ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମଚାନ୍ଦ ଚୌଧୁରୀ ।
ନଜର ପକାନ୍ତୁ ବୈଠକର ନିଷ୍ପତ୍ତି ଉପରେ
- ୨୭ରୁ ଖୋଲିବ ଲିଙ୍ଗରାଜ ମନ୍ଦିର
- ୨୭ରୁ ୩୧ ପର୍ଯ୍ୟନ୍ତ କେବଳ ସେବାୟତଙ୍କ ପରିବାରକୁ ଦର୍ଶନ ଅନୁମତି ମିଳିବ
- ଜାନୁଆରୀ ୧ ଓ ୨ ତାରିଖ ମନ୍ଦିର ବନ୍ଦ ରଖାଯିବାକୁ ନିଷ୍ପତ୍ତି।
- ୩ରୁ ୫ ତାରିଖ ଯାଏଁ ଦର୍ଶନ କରିପାରିବେ ରାଜଧାନୀ ବାସିନ୍ଦା
- ଜାନୁଆରୀ ୬ ରୁ ୩୧ ଯାଏଁ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରିପାରିବେ ରାଜ୍ୟବାସୀ
- ୬ ତାରିଖ ଠାରୁ ସାଧାରଣ ଲୋକଙ୍କୁ ଦର୍ଶନ ଅନୁମତି ମିଳିବା ସୂଚନା
- ମନ୍ଦିର ପରିସରରେ ସର୍ବାଧିକ ୫ଶହ ଲୋକ ରହିପାରିବେ
- ବିଏମ୍ସି କମିସନରଙ୍କ ଅଧ୍ୟକ୍ଷତାରେ ବୈଠକରେ ନିଷ୍ପତ୍ତି
ଭୁବନେଶ୍ବରରୁ ସଞ୍ଜୀବ ରାୟ , ଇଟିଭି ଭାରତ