ଭୁବନେଶ୍ବର: ରାଜ୍ୟରେ ମନ୍ଦିର ଖୋଲିବାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା । ମନ୍ଦିର ଖୋଲିବା ପ୍ରସଙ୍ଗକୁ ଅନ୍ୟରାଜ୍ୟ ସହ ତୁଳନା ନ କରିବାକୁ କହିଛନ୍ତି ଆଇନ ମନ୍ତ୍ରୀ ।
ତେବେ କୋରୋନା କଟକଣାକୁ ନେଇ ରାଜ୍ୟର ସମସ୍ତ ମନ୍ଦିର ଦୀର୍ଘ ୯ ମାସ ହେବ ବନ୍ଦ ରହିଛି । ଏବେ ଅନ୍ୟ ରାଜ୍ୟଗୁଡିକରେ ମନ୍ଦିର ତଥା ଧାର୍ମିକ ଅନୁଷ୍ଠାନ ଖୋଲାଯିବା ପରେ ଆମ ରାଜ୍ୟ ମନ୍ଦିର ତଥା ଧାର୍ମିକ ଅନୁଷ୍ଠାନଗୁଡିକରୁ କଟକଣା ହଟାଇବାକୁ ବିଭିନ୍ନ ମହଲରେ ଦାବି କରାଯାଉଛି । ଏନେଇ ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ, ଏ ପ୍ରସଙ୍ଗକୁ ନେଇ ଅନ୍ୟ ରାଜ୍ୟ ସହ ଓଡିଶାକୁ ତୁଳନା କରିବା ଠିକ୍ ନୁହେଁ ।
ଏଥିସହ ପ୍ରତାପ ଜେନା କହିଛନ୍ତି ଯେ, "କୋଭିଡ ପରିସ୍ଥିତି ନିୟନ୍ତ୍ରଣରେ ଅନ୍ୟ ରାଜ୍ୟର ସ୍ଥିତି କଣ ଓ ଓଡ଼ିଶାର ସ୍ଥିତି କଣ, ତାହା ସମସ୍ତେ ଜାଣନ୍ତି । ତେଣୁ ଓଡ଼ିଶାରେ ମନ୍ଦିର ଖୋଲିବା ନେଇ ଆମେ ସଜାଗ ରହିଛୁ । ବିଭିନ୍ନ ଦିଗକୁ ନେଇ ବିଚାର ବିମର୍ଶ କରୁଛୁ । ଏବେ ଶୀତ ଅଧିକ ହେବ, ସଂକ୍ରମଣ ବଢିବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଆମେ ପଦକ୍ଷେପ ନେଉଛୁ ।"
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ