ଭୁବନେଶ୍ବର: ପାରାଦ୍ବୀପ ଠାରୁ ଦକ୍ଷିଣ ଓ ଦକ୍ଷିଣ ପୂର୍ବରେ 130 କିଲୋମିଟର ଦୂରରେ ରହିଛି ବାତ୍ୟା ‘ୟସ’ । ଘଣ୍ଟାକୁ 15 କିଲୋମୋଟର ବେଗରେ ଏହା ଉପକୂଳ ଆଡକୁ ଗତି କରୁଛି । ଧାମରା ପାଖାପାଖି ଉତ୍ତରରେ ଏହା ଲାଣ୍ଡଫଲ କରିବାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ତେବେ ସକାଳ 5 ଟାରୁ ଲାଣ୍ଡଫଲ କରିବାର ପ୍ରକ୍ରିୟା ଆରମ୍ଭ ହୋଇପାରେ । ବାତ୍ୟା ସ୍ଥଳଭାଗ ଛୁଇଁବା ସମୟରେ 140 ରୁ 150 ବେଗରେ ପବନ ବହିପାରେ ବୋଲି ପୂର୍ବାନୁମାନ କରାଯାଇଛି । ସେହିଭଳି ଗଷ୍ଟିଙ୍ଗ ସମୟରେ ମଧ୍ୟ 180ରୁ 190 କିଲୋମିଟର ପବନର ବେଗ ରହିପାରେ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।
ବାତ୍ୟା ‘ୟସ’ ଓଡିଶା ଉପକୂଳରେ ଲ୍ୟାଣ୍ଡଫଲ କରିବା ପରେ ମୟୁରଭଞ୍ଜ ଜିଲ୍ଲା ଦେଇ ଝାଡ଼ଖଣ୍ଡ ଆଡକୁ ଗତି କରିବ । ବର୍ତ୍ତମାନ ଅସ୍ତରଙ୍ଗରେ ପାଖାପାଖି 40 ରୁ 50 କିଲୋମିଟର ବେଗରେ ପବନ ବୋହୁଛି । ରାତି 9:30 ସୁଦ୍ଧା 5 ଲକ୍ଷରୁ ଅଧିକ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଅଣା ଯାଇସାରିଥିବା ରାଜ୍ୟ ସରକାର ସୂଚନା ଦେଇଛନ୍ତି । ବର୍ତ୍ତମାନ ମଧ୍ୟ କିଛି ସ୍ଥାନରେ ସ୍ଥାନାନ୍ତରଣ ପ୍ରକ୍ରିୟା ଚାଲୁ ରହିଛି । ବାଲେଶ୍ବରରୁ ସର୍ବାଧିକ 1 ଲକ୍ଷ 43 ହଜାରେ 500 ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇସାରିଥିବାବେଳେ ଜଗତସିଂହପୁରରୁ 21 ହଜାର, ପୁରୀରେ 14 ହଜାର ଓ କଟକରେ 10 ହଜାର ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯାଇ ସରିଛି । ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି ,ଭୁବନେଶ୍ବର ଓ କଟକରେ ମଧ୍ୟ 60 ରୁ 90 କିଲୋମିଟର ବେଗରେ ପବନ ବୋହିବାର ଆଶଙ୍କା ରହିଥିଲେ ମଧ୍ୟ ସେଠାରେ ବିଶେଷ କ୍ଷଯକ୍ଷତି ହେବାର ଆଶଙ୍କା ନଥିବା ମଧ୍ୟ ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ