ଭୁବନେଶ୍ବର: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କୁ ବଦଳାଇବା ପାଇଁ ଦାବି ବିଜେପିର ଅଭ୍ୟାସରେ ପରିଣତ ହୋଇଗଲାଣି । ନିର୍ବାଚନ ହାରିବା ପରେ ୨୦୦୯ ଠାରୁ ବିଜେପି ନିୟମିତ ଭାବେ ଏଭଳି ଅଭିଯୋଗ କରିଆସୁଥିବା କହିଛନ୍ତି ବିଜେଡି ପ୍ରବକ୍ତା ସୁଶ୍ରୀ ଇପ୍ସିତା ସାହୁ ।
ଇପ୍ସିତା କହିଛନ୍ତି ଯେ, ରାଜ୍ୟ ବିଜେପିକୁ ଏବେ ଠାରୁ ପିପିଲିରେ ହାରିବାର ଭୟ ଗୋଡାଇଲାଣି । ଏହାର ପ୍ରତିଫଳନ ସ୍ବରୂପ ସେମାନେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ବଦଳାଇବା ଦାବି ଉଠାଇଛନ୍ତି । ସେହିଭଳି ପିପିଲି ଟିକେଟ ପାଇଁ ଆଶାୟୀ ଥିବା ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଏଥିରୁ ବଞ୍ଚିତ ହେବାପରେ ଏବେ ହତାଶ ହୋଇ ଏଭଳି ଭିତ୍ତିହୀନ ଅଭିଯୋଗମାନ ଆଣୁଛନ୍ତି ।
ତେବେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ବଦଳାଇବା ପାଇଁ ଦାବି କରିବା ଦଳ ପାଇଁ କିଛି ନୂଆ ନୁହେଁ । ରାଜ୍ୟ ବିଜେପିର ଏଭଳି ଆଚରଣ ଲାଗି ଓଡିଶାବାସୀ ବିଜେପିକୁ ବାରମ୍ବାର ପ୍ରତ୍ୟାଖ୍ୟାନ କରିବାରେ ଲାଗିଛନ୍ତି । ପିପିଲିରେ ମଧ୍ୟ ଏହାର ପୁନରାବୃତ୍ତି ହେବ । ତେଣୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଭଳି ମର୍ଯ୍ୟାଦାଜନକ ପଦବୀକୁ ନେଇ ବିଜେପି ରାଜନୀତି କରିବା ଉଚିତ୍ ନୁହେଁ ବୋଲି ଇପ୍ସିତା କହିଛନ୍ତି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ