ଭୁବନେଶ୍ବର: ରାଜଧାନୀ ଉପକଣ୍ଠରେ ମାତିଲେ ମୂର୍ତ୍ତି ଚୋର । ରାତି ଅଧିଆ ଚୋରି କରିନେଲେ ୫ଶହ ବର୍ଷର ଅଷ୍ଟଧାତୁ ମୂର୍ତ୍ତି । ବାଲିଅନ୍ତାର ଚଉଶଠି ଯୋଗିନି ନିକଟ ବାଲୁଙ୍କେଶ୍ୱର ମନ୍ଦିରରୁ ଏହି ଚୋରି ହୋଇଥିବା ବେଳେ ୨ଟି ଦୁର୍ଲଭ ମୂର୍ତ୍ତି ଚୋରି କରି ରାତିଅଧିଆ ଚମ୍ପଟ ମାରିଲେ ଦୁର୍ବୃତ୍ତ । ସିସିଟିଭିରେ କଏଦ ହେଲା ଚୋରି ସମୟର ଭିଡିଓ । ପ୍ରତାପଶାସନ ରାଜାଙ୍କ ସମୟର ଏହି ଦୁର୍ଲଭ ମୂର୍ତ୍ତି ବହୁ ମୂଲ୍ୟବାନ ହୋଇଥିବା ବେଳେ ଐତିହ୍ୟର ସୁରକ୍ଷାକୁ ନେଇ ଏବେ ଉଠିଛି ପ୍ରଶ୍ନ ।
ଏହି ମୂର୍ତ୍ତର ମୂଲ୍ୟ ବିଦେଶ ବଜାରରେ ବହୁ ମୂଲ୍ୟ ହୋଇଥିବା ବେଳେ ବାହାର ରାଜ୍ୟର ମୂର୍ତ୍ତି ଚୋର ମାନେ ଏହାକୁ ଚାର୍ଗେଟ କରିଥାନ୍ତି । ତେବେ ଦୁର୍ଲଭ ମୂର୍ତ୍ତି ଚୋରି ପଛରେ ଏକ ରାକେଟ ଥାଇପାରେ ବୋଲି ସ୍ଥାନୀୟ ଲୋକେ ସନ୍ଦେହ କରୁଛନ୍ତି । କାହିଁକିନା ଗତ ୨୦୧୭ରେ ମଧ୍ୟ ଏଭଳି ଚୋରି ପାଇଁ ଉଦ୍ୟମ ହୋଇଥିଲା । ହେଲେ ସେ ସମୟରେ ବିଫଳ ହୋଇଥିଲେ ଦୁର୍ବୃତ୍ତ ମାନେ। ଏବେ ଏପରି ଚୋରି ପରେ ବାଲିଅନ୍ତା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସିସିଟିଭି ଫୁଟେଜ ସହ ବିଭିନ୍ନ ପାରିପାର୍ଶ୍ବିକ ପ୍ରମାଣ ସଂଗ୍ରହ କରିଛି ପୋଲିସ।
ତେବେ ସହରରେ ଅପରାଧି ମାନେ ମାତିଥିବା ବେଳେ ସହର ଉପକଣ୍ଠରେ ମଧ୍ୟ ଆତଙ୍କ ମଚାଇଛନ୍ତି । ପୂର୍ବରୁ ଡକାୟତି ଗ୍ୟାଙ୍ଗକୁ ପୋଲିସ ଧରିବାରେ ସଫଳ ହେଉଥିବା ବେଳେ ଏବେ ଲୁଟେରାଙ୍କ ଟେର ପାଉନି ପୋଲିସ । ଉପରିସ୍ଥ ଅଫିସର ଏଦିଗରେ ଉଚିତ ପଦକ୍ଷପ ନନେବା ଦୁର୍ବୃତ୍ତମାନେ ଉତ୍ପାତ ମଚାଇବା ସହ ଲୋକଙ୍କ ସୁରକ୍ଷା ଓ ଐତିହ୍ୟର ସୁରକ୍ଷା ନେଇ ଏବେ ପ୍ରଶ୍ନ ଉଠିଛି । ସେପଟେ ଏନେଇ ସିନିୟର ଅଫିସରଙ୍କୁ କୌଣସି ପ୍ରଶ୍ନ କଲେ ଗଣମାଧ୍ୟମକୁ ତାଗିଦ କରୁଛନ୍ତି । ଏପରି ପରିସ୍ଥିତିରେ ପୋଲିସ କମିସନର ଅଧିନରେ ଥିବା ଅଞ୍ଚଳ ଗୁଡିକରେ ବିଗୁଡୁଥିବା ଅପରାଧିକ ସ୍ଥିତିକୁ ନେଇ କିଏ ଦାୟୀ ରହିବ, ତାହା ଏବେ ସହରବାସୀ ପ୍ରଶ୍ନ କରିବା ଆରମ୍ଭ କଲେଣି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ