ଭୁବନେଶ୍ବର: ଭୁବନେଶ୍ବର ଆଇଆଇଟିରେ ହାଇବ୍ରିଡ ମାଧ୍ୟମରେ ଆରମ୍ଭ ହୋଇଛି ଶିକ୍ଷାଦାନ । କୋଭିଡ ସଂକ୍ରମଣକୁ ଏଡାଇବା ପାଇଁ ଭୁବନେଶ୍ବର ଆଇଆଇଟି ଉଭୟ ଅନଲାଇନ ଓ ଅଫଲାଇନ ରେ କ୍ଳାସ ଆରମ୍ଭ ହୋଇଛି।
ଏହା ଦ୍ଵାରା ସାମାଜିକ ଦୂରତା ସହ କୋଭିଡ ନିୟମର ଅନୁପାଳନ ସୁନିଶ୍ଚିତ କରାଯାଇ ପାରିଛି । ହାଇବ୍ରିଡ ମାଧ୍ୟମରେ ଶିକ୍ଷାଦାନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଗୋଟିଏ ବ୍ୟାଚରେ ଛାତ୍ରଛାତ୍ରୀଙ୍କୁ ଭାଗ କରି କ୍ଳାସ ରୁମରେ ବସା ଯାଉଛି । ଫଳରେ କୌଣସି ପିଲା ବସିବା ସ୍ଥାନ ପରିବର୍ତ୍ତନ କରିପାରିବେ ନାହିଁ । ହାଇବ୍ରିଡ ମାଧ୍ୟମରେ ଜଣେ ଶିକ୍ଷକ ବା ଶିକ୍ଷୟତ୍ରୀ ଗୋଟିଏ ସ୍ଥାନରେ ଉପସ୍ଥିତ ରହି ଅନ୍ୟ ସ୍ଥାନରେ ବସିଥିବା ଆଉ କିଛି ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରିପାରିବେ ।
ସେହିପରି ଶ୍ରେଣୀ ଗୃହକୁ ଆସି ନଥିବା ଛାତ୍ରଛାତ୍ରୀ ଦୂରରେ ଥାଇ ମଧ୍ୟ ଅନଲାଇନ ମାଧ୍ୟମରେ କମ୍ପ୍ୟୁଟର, ଲ୍ୟାପଟପ ମାଧ୍ୟମରେ ଶିକ୍ଷାଗ୍ରହଣ କରିପାରିବେ । ଭୁବନେଶ୍ବରର ଆଇଆଇଟି ପ୍ରାୟ 40% ଛାତ୍ରଛାତ୍ରୀ ବର୍ତ୍ତମାନ କ୍ୟାମ୍ପସରେ ଅଛନ୍ତି।
ଛାତ୍ରଛାତ୍ରୀମାନେ ହାଇବ୍ରିଡ ମୋଡରେ କ୍ଲାସରେ ପଢୁଛନ୍ତି । ଆଇଆଇଟିର କୋଭିଡ କଟକଣା ପାଇଁ SOP ପ୍ରସ୍ତୁତ ରହିଛି । ଯାହାକୁ କଡାକଡି ପାଳନ କରାଯାଇଛି। ଏଥିପାଇଁ ଶ୍ରେଣୀ ଆବଶ୍ୟକ ଅନୁଯାୟୀ ସାମାଜିକ ଦୂରତା, କ୍ଳାସ ରୁମରେ ମାକ୍ସ ପିନ୍ଧିବା ଆଦି କୋଭିଡ କଟକଣା ମାନିବାକୁ ନିର୍ଦେଶ ଦିଆଯାଇଛି ।
ଆଇଆଇଟିର ନିର୍ଦେଶକ ଆରଭି ରାଜକୁମାର କହିଛନ୍ତି ପ୍ରାୟ 95 ପ୍ରତିଶତ କର୍ମଚାରୀ ମାନେ ଟୀକା ନେଇସାରିଛନ୍ତି। ଛାତ୍ରଛାତ୍ରୀ ଏବଂ ଅନ୍ୟ କର୍ମଚାରୀ ମାନେ ବସ ଓ ଅନ୍ୟ ମାଧ୍ୟମ ବ୍ୟବହାର ନକରିବା ସହ ସାଇକେଲର ଵ୍ୟଵହାର କରିବାକୁ କୁହାଯାଇଛି।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ