ଭୁବନେଶ୍ବର: ପ୍ରଦେଶ କଂଗ୍ରେସରେ ହଟଚମଟ ଚାଲିଥିବା ବେଳେ ଦିନକୁ ଦିନ ଅଡୁଆ ବଢିବାରେ ଲାଗିଛି । କେତେବେଳେ ଗୋଷ୍ଠୀ ସଂଘର୍ଷ ତ କେତେବେଳେ ସଭାପତି ପଦବୀକୁ ନେଇ ଚାଲିଛି କସରତ । ଏବେ ଆଉ ଏକ ବିବାଦ ମୁଣ୍ଡ ଟେକିଛି । କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ରଙ୍କ ପୁଅକୁ ନେଇ ଆରମ୍ଭ ହୋଇଛି ବିବାଦ । ଯାହାକୁ ନେଇ ସିଧାସଳଖ ପ୍ରଶ୍ନ କରିଛନ୍ତି ବିଧାୟକ ସୁର ରାଉତରାୟ ।
ନରସିଂହ ମିଶ୍ରଙ୍କ ପୁଅ ସରକାରୀ ଓକିଲ ଭାବେ କାର୍ଯ୍ୟ କାର୍ଯ୍ୟ କରୁଛନ୍ତି । ଯାହା କଂଗ୍ରେସ ଦଳର ଶୃଙ୍ଖଳାକୁ ଭଙ୍ଗ କରୁଛି କହିଛନ୍ତି ସୁର ରାଉତରାୟ । ପେଷାରେ ନରସିଂହ ମିଶ୍ର ଏବଂ ତାଙ୍କ ପୁଅ ଓକିଲ ଭାବେ ରାଜନୈତିକ ଦୃଷ୍ଟିକୋଣରୁ ଗୋଟିଏ ପରିବାରରୁ ଦୁଇ ଜଣ କେସ୍ ଲଢ଼ୁଥିବାରୁ ରାଜନୈତିକ ମହଲରେ ଏହାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି କଂଗ୍ରେସ କର୍ମୀ ଓ ନେତା ।
ରବିବାର ସୁର ଏନେଇ ପ୍ରଶ୍ନ କରିଛନ୍ତି । ସୁର କହିଛନ୍ତି ଯଦି ତାଙ୍କ ପୁଅ ନିଜ ପଦରୁ ନ ଓହରନ୍ତି, ତେବେ ନରସିଂହ ବାବୁ ବିଧାୟକ ଦଳ ନେତା ପଦରୁ ହଟିବେ ଏବଂ ଆମେ ହାଇକମାଣ୍ଡଙ୍କୁ ଅଭିଯୋଗ କରିବୁ । ଆସନ୍ତା ସପ୍ତାହରେ ନରସିଂହ ବାବୁଙ୍କ ସହ ଭେଟ ହେବ ତାଙ୍କ ସହ ବ୍ୟକ୍ତିଗତ ଭାବେ ଆଲୋଚନା କରିବି ବୋଲି ସୁର ମଧ୍ୟ କହିଛନ୍ତି । ଦଳର ଜଣେ ବରିଷ୍ଠ ନେତାଙ୍କ ପୁଅ ଏପରି ସରକାରୀ କଳ ପାଇଁ କାର୍ଯ୍ୟ କରିବା ଦ୍ବାରା କଂଗ୍ରେସର ଛବି ଜନସାଧାରଣଙ୍କ ପାଖରେ ଖରାପ ହେଉଛି ବୋଲି ସେ କହିଛନ୍ତି ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ