ପୁରୀ: ଶ୍ରୀମନ୍ଦିର ପ୍ରଶାସନକୁ ଝଟକା । ଶ୍ରୀମନ୍ଦିର ସଂସ୍କାର ମାମଲାର ସର୍ବୋଚ୍ଚ ଅଦାଲତ ଆଜି (ବୁଧବାର) ମଧ୍ୟବର୍ତ୍ତୀକାଳୀନ ଶୁଣାଣି କରିଥିଲେ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପରିଚାଳନା କମିଟି ଦାଖଲ କରିଥିବା ରିପୋର୍ଟରେ ସନ୍ତୁଷ୍ଟ ହୋଇନାହାଁନ୍ତି ସୁପ୍ରିମକୋର୍ଟ।
ମନ୍ଦିର ପ୍ରଶାସନ ପକ୍ଷରୁ ଅସମ୍ପୂର୍ଣ୍ଣ ରିପୋର୍ଟ ଦାଖଲ କରାଯାଇଥିଲା । ଯାହାକୁ ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିବା ସହ ରିପୋର୍ଟକୁ ଅନୁଧ୍ୟାନ କରି 2 ସପ୍ତାହରେ ସମ୍ପୂର୍ଣ୍ଣ ରିପୋର୍ଟ ଦେବାକୁ ଆମିକସ୍ କ୍ୟୁରୀଙ୍କୁ କହିଛନ୍ତି । ବିଶେଷ କରି ରାଜ୍ୟ ଏବଂ ରାଜ୍ୟ ବାହାରେ ମହାପ୍ରଭୁଙ୍କ ଥିବା ଭୂ-ସମ୍ପତିର ତାଲିକା ପ୍ରଦାନ, ଶ୍ରୀମନ୍ଦିର ସ୍ଥାୟୀ ମୁଖ୍ୟ ପ୍ରଶାସକ ନିଯୁକ୍ତି ଆଦି ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କୁ ଆବଶ୍ୟକ ତଥ୍ୟ ଦିଆଯାଇ ନାହିଁ।। ସମସ୍ତ ପୂର୍ଣ୍ଣାଙ୍ଗ ରିପୋର୍ଟ ଆସନ୍ତା 2 ସପ୍ତାହ ମଧ୍ୟରେ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ । ମାମଲାର ପରବର୍ତ୍ତୀ ଶୁଣାଣି 4 ସପ୍ତାହ ପରେ ହେବ ।
ଅନ୍ୟପଟେ ଶ୍ରୀମନ୍ଦିର ପରିଚଳନା କମିଟି ସଦସ୍ୟଙ୍କ କହିବା କଥା ଶ୍ରୀମନ୍ଦିର ପ୍ରଶାସନ ତରବାରିଆ ଭାବେ କୋର୍ଟଙ୍କ ନିକଟରେ ରିପୋର୍ଟ ଦାଖଲ କରିଛି । ଯେଉଁଥିରେ ଉଚ୍ଚତମ ନ୍ଯାୟାଳୟ ମାଗିଥିବା ତଥ୍ୟ ନାହିଁ । ପରବର୍ତ୍ତୀ ପରିଚଳନା କମିଟିରେ ଏନେଇ ଆଲୋଚନା ହୋଇ ନିଷ୍ପତ୍ତି ହେବ। ତେବେ ଶ୍ରୀମନ୍ଦିର ପ୍ରଶାସନ ଶ୍ରୀମନ୍ଦିର ପରିଚାଳନା କମିଟି ସହିତ ଆଲୋଚନା କରି ରିପୋର୍ଟ ପ୍ରସ୍ତୁତ କରିଥିବା କୁହାଯାଉ ଥିବାବେଳେ ପରିଚାଳନା କମିଟି ଶ୍ରୀମନ୍ଦିର ପ୍ରଶାସନକୁ ଦୋଷ ଦେବା ସାଧାରଣରେ ପ୍ରଶ୍ନ ସୃଷ୍ଟି ହୋଇଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ