ଭୁବନେଶ୍ବର: ମମିତା ମେହେର ହତ୍ୟାକାଣ୍ଡ ଘଟଣାକୁ ନେଇ ୨୬ରେ ନବୀନ ନିବାସ ଘେରାଉ କରିବ ଛାତ୍ର କଂଗ୍ରେସ । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛି ଛାତ୍ର କଂଗ୍ରେସ । ଏହାସହ ମମିତାର ପରିବାରକୁ ୧ କୋଟି ଟଙ୍କା କ୍ଷତିପୂରଣ ଦାବି କରିଛି ଛାତ୍ର କଂଗ୍ରେସ ।
ରାଜ୍ୟ କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ କହିଛନ୍ତି ଯେ କଳାହାଣ୍ଡିର ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଇସ୍ତଫା ଦିଅନ୍ତୁ ଏବଂ ମମିତାର ପରିବାରକୁ ୧ କୋଟି ଟଙ୍କା କ୍ଷତିପୂରଣ ଦିଆଯାଉ । ଦୋଷୀକୁ ଦଣ୍ଡ ନହେବା ପର୍ଯ୍ୟନ୍ତ ଛାତ୍ର କଂଗ୍ରେସ ତାର ପ୍ରୟାସ ଜାରି ରଖିବ । ହତ୍ୟାରେ କ୍ୟାପଟେନ ଦିବ୍ୟଶଙ୍କରଙ୍କ ସମ୍ପୃକ୍ତି ରହିଛି । ମୁଖ୍ୟମନ୍ତ୍ରୀ ଏ ସମ୍ପର୍କରେ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ମନ୍ତ୍ରୀଙ୍କୁ ବରଖାସ୍ତ କରୁନାହାନ୍ତି କାହିଁକି ବୋଲି ପ୍ରଶ୍ନ କରିଛି ଛାତ୍ର କଂଗ୍ରେସ ।
ଯଦି ମନ୍ତ୍ରୀଙ୍କୁ ବରଖାସ୍ତ କରାନଯାଏ କି ମମିତାଙ୍କ ପରିବାରକୁ କ୍ଷତିପୂରଣ ବାବଦକୁ 1କୋଟି ଟଙ୍କା ପ୍ରଦାନ ନ କରାଯାଏ। ତେବେ 26 ତାରିଖରେ ଛାତ୍ର କଂଗ୍ରେସ ତରଫରୁ ନବୀନ ନିବାସ ଘେରାଉ କରାଯିବାକୁ ଚେତାବନୀ ଦିଆଯାଇଛି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ