ଭୁବନେଶ୍ବର: ବିଜୁ ଛାତ୍ର ଜନତା ଦଳ ପକ୍ଷରୁ କୋରୋନା ସ୍ଥିତିର ମୁକାବିଲାରେ ଛାତ୍ର ସଂଗଠନର ଭୂମିକା ବାବଦରେ ଆଲୋଚନା ହୋଇଛି । ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଆୟୋଜିତ ହୋଇଥିଲା । ପଶ୍ଚିମ ଓଡିଶାର ୧୦ଟା ସାଂଗଠନିକ ଜିଲ୍ଲାର ଛାତ୍ର ସଭାପତି, ବ୍ଲକ୍ ଓ ଏନ.ଏ.ସି ସଭାପତି ତଥା ସଂଗଠନର ଆଇ.ଟି ସଂଯୋଜକ ବୈଠକରେ ଉପସ୍ଥିତି ଥିଲେ ।
କୋରୋନା ମହାମାରୀକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମକୁ ଭର୍ଚ୍ଚୁଆଲ ଆୟୋଜିତ କରାଯାଇଛି । ଜୁମ ଆପରେ ଆୟୋଜିତ ଏହି ଡିଜିଟାଲ ସଭାରେ ରାଜ୍ୟର କୋରୋନା ସ୍ଥିତି ବାବଦରେ ଆଲୋଚନା ହୋଇଛି । କୋରୋନାରେ ରାଜ୍ୟର ତଥା ପଶ୍ଚିମ ଓଡିଶାର ଛାତ୍ରଛାତ୍ରୀ ଅନେକ ସମସ୍ୟାରେ ସାମ୍ନା କରୁଛନ୍ତି । କୋରୋନା ଯୋଗୁଁ ଛତିଶଗଡ଼ ସୀମାନ୍ତ ଜିଲ୍ଲା ଗୁଡିକ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି । ପଶ୍ଚିମ ଓଡ଼ିଶାରେ ନିରନ୍ତର ବଢୁଥିବା ମହାମାରୀ ବିଷୟରେ ଲୋକଙ୍କୁ ସଚେତନ ଓ ସହଯୋଗ କରିବାକୁ ଛାତ୍ର ସଭାପତି ସଂଗଠନର ସଦସ୍ୟମାନଙ୍କୁ ଆହ୍ୱାନ ଦେଇଛନ୍ତି । ଏହାସହ ଲକଡାଉନ ସମୟରେ ବାହାରେ ବୁଲୁଥିବା ପଶୁପକ୍ଷୀଙ୍କୁ ସାହାଯ୍ୟ କରିବା ସହ ସୋସିଆଲ ମିଡିଆରେ ଆହୁରି କ୍ରିୟାଶୀଳ ଓ ସୁଦୃଢ ହେବାକୁ ଆହ୍ୱାନ ଦେଇଛନ୍ତି ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ । ବୈଠକକୁ ବିଜୁ ଯୁବ ଓ ଛାତ୍ର ଜନତା ଦଳର ଆଇ.ଟି ସଂଯୋଜକ ସୁବ୍ରତ ଛାଟୋଇ ସଂଯୋଜନା କରିଥିଲେ । ବୈଠକରେ 10 ଜିଲ୍ଲାର ଛାତ୍ର ନେତାଙ୍କ ସମେତ ଛାତ୍ର ନେତା ମିଲନ ହୋତା, ସିମ୍ରନ କୌର, ମୁକ୍ତେଶ୍ଵର ନାଗ, ଶୈଳେଶ ନାଏକ, ଅମିତ ସିଂ, ଅବିନାଶ ଠାକୁର, ଜ୍ୟୋତ୍ସ୍ନା ପ୍ରଧାନ, ସିଦ୍ଧାନ୍ତ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ