ଭୁବନେଶ୍ବର: ରାଜ୍ୟରୁ ଚୋରି ମୋବାଇଲ ବାଂଲାଦେଶକୁ ରପ୍ତାନି ! ଚୋରା ମୋବାଇଲର IMEI ନଂ (International Mobile Equipment Identity Number) ହେଉଛି ଟାମ୍ପରିଂ । ଥରେ ସୀମା ପାର ହେଲେ ମୋବାଇଲର ପତା ମିଳୁନି । ଏମିତି ଏକ ଚୋରା ରାକେଟର ସୁରାକ ମିଳିବା ପରେ ମଧ୍ୟ ଘଟଣାକୁ ଗୁରୁତ୍ବ ନଦେଇ କେବଳ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଖଣ୍ଡଗିରି ପୋଲିସ । ଫଳରେ ନା ଏହାର ଅଧିକ ତଦନ୍ତ ହେଲା ନା ଏହି ରାକେଟ ପଛର କାର୍ପଟଦାରକୁ ପୋଲିସ ସ୍କାନରକୁ ଆଣିଲା ।
ସୂଚନା ମୁତାବକ ଗତ ୧୫ ତାରିଖରେ ଧରାପଡିଥିବା ଏକ ୫ ଜଣିଆ ଗ୍ୟାଙ୍ଗକୁ କୋର୍ଟ ଚାଲାଣ କରିଥିଲା କମିଶନରେଟ ପୋଲିସ । ପୋଲିସର ସୂଚନା ଅନୁସାରେ ଗତ ୧୩ ତାରିଖରେ ଅଜିତ ମଲ୍ଲିକ ନାମକ ବ୍ୟକ୍ତି ଅଭିଯୋଗ ଆଧାରରେ ତାଙ୍କ ଘରୁ ଏକ ରେଡମି ମୋବାଇଲ ସହ ଏକ ଲେନୋଭୋ ଟ୍ୟାବ ଚୋରି ହୋଇଛି । ଏନେଇ ଅଭିଯୋଗର ତଦନ୍ତ କରୁ କରୁ ପୋଲିସ ଏକ ଚାରି ଜଣିଆ ଗ୍ୟାଙ୍ଗକୁ ଗିରଫ କରିବା ସହ ଜଣେ ମୋବାଇଲ ଗ୍ରହିତାକୁ ଗିରଫ କରିଥିଲା । ଯାହାଙ୍କଠୁ ୧୪ ଟି ମୋବାଇଲ ଫୋନ ଜବତ କରିଛି ଖଣ୍ଡଗିରି ଥାନା ପୋଲିସ । ତେବେ ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଥିଲା ପୋଲିସ । ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ଥିଲେ ଗଞ୍ଜାମର ବଳରାମ ଗୋଡା, ଅରୁଣ ନାୟକ, ମିଥୁନ ଭୁୟାଁ ଏବଂ ଭୁବନେଶ୍ବରର ବାପି ସାହୁ ସମେତ ପଶ୍ଚିମ ବଙ୍ଗ ମୁର୍ଶିଦାବାଦର ବେଲଦାନାର ସଲିମ ଶେଖ୍ ।
ତେବେ ପୋଲିସର ସୂଚନା ଅନୁସାରେ ପଶ୍ଚିମବଙ୍ଗରେ ଏହି ଅଭିଯୁକ୍ତ ଏହି ୪ ଜଣିଆ ଗ୍ୟାଙ୍ଗଠାରୁ ମୋବାଇଲ ସଂଗ୍ରହ କରି ପାଖରେ ରଖିଥିଲା । ଭୁବନେଶ୍ବର କାରଗିଲ ବସ୍ତିରେ ରହି ଏହିପରି କାମ କରୁଥିଲା । ହେଲେ ସବୁଠୁ ଆଶ୍ଚର୍ଯ୍ୟଜନକ ବିଷୟ ଥିଲା ଏହି ମୋବାଇଲ ରିସିଭର ଏତେଗୁଡିଏ ମୋବାଇଲ କିଣି କଣ କରୁଥିଲା । ମୋବାଇଲ ନେଇ କିପରି ଏହାକୁ ବିକ୍ରି କରୁଥିଲା । ତେବେ ଭୁବନେଶ୍ବର କୋର୍ଟ ଚାଲାଣ ବେଳେ ସଲିମ ଶେଖକୁ ଚିହ୍ନିପାରିଥିଲେ କୋଲକାତା କ୍ରାଇମବ୍ରାଞ୍ଚରୁ ଆସିଥିବା ଏକ ଟିମ । ବୁଝୁବୁଝୁ ଜଣାପଡିଥିଲା ଏମାନେ ଏକ ରାକେଟ ଚଳାଉଛନ୍ତି । ସଲିମ ଶେଖ ମଧ୍ୟ କୋଲକାତା ପୋଲିସର ସ୍କାନରରେ ଥିବା ବେଳେ କ୍ରାଇମବ୍ରାଞ୍ଚ ଅଧିକାରୀ ଚିହ୍ନି ପାରି କିଛି ବିସ୍ଫୋରକ ତଥ୍ୟ ଦେଇଥିଲେ ।
ମିଳିଥିବା ସୂଚନା ଅନୁସାରେ ଦେଶର ବିଭିନ୍ନ ରାଜ୍ୟର ଏମାନଙ୍କ ନେଟୱାର୍କ ରହିଛି । ଏହିଭଳି କିଛି ମୋବାଇଲ ଚୋର ଓ ଲୁଟେରା ଗ୍ୟାଙ୍ଗ ସହ ଯୋଗାଯୋଗରେ ରୁହନ୍ତି । ପରେ ଭୁବନେଶ୍ବର ଭଳି ବିଭିନ୍ନ ସହରରୁ ଚୋରି ହୋଇଥିବା ମୋବାଇଲକୁ ଏମାନେ ସଂଗ୍ରହ କରନ୍ତି । ପରେ ସେହି ମୋବାଇଲକୁ ଏକାଠି କରି କୋଲକାତା ଦେଇ ବାଙ୍ଗଲାଦେଶ ବର୍ଡରକୁ ପଠାଇଥାନ୍ତି । ଏହା ପଛର କିଛି ଦଲାଲ ରହିଛନ୍ତି, ଯାହାଙ୍କ ଜରିଆରେ ଏଭଳି ଟ୍ରକ ଟ୍ରକ ମୋବାଇଲ ବାଙ୍ଗଲାଦେଶରେ ପହଞ୍ଚିଯାଏ । ପରେ ସେଠାରେ ନୂଆ ନୂଆ ମୋବାଇଲକୁ ଅଲଗା କରି ପୁରୁଣା ମୋବାଇଲକୁ ଅଲଗା କରାଯାଏ । ମୋବାଇଲର IMEI କୁ ଟାମ୍ପରିଂ କରାଯାଏ । ସେହି ସବୁ ମୋବାଇଲ ନମ୍ବରର IEMI ନମ୍ବର ବଦଳିଗଲା ପରେ ଏସବୁକୁ ଟ୍ରାକ କରି ହୁଏନାହିଁ । ପରେ ସେହି ସବୁ ମୋବାଇଲକୁ ପୁଣିଥରେ ନୂଆ ଭାବେ ଭାରତୀୟ ବଜାରକୁ ଛଡାଯାଏ । ଯାହାକି ପୂର୍ବଭଳି ଦାମରେ ବିକ୍ରି ହୁଏ । ହେଲେ ଏନେଇ କୈଣସି ସୁରାକ ପୋଲିସ ହାତରେ ଲାଗିନଥାଏ ।
ତେଣୁ ଏହି ସବୁ କାରବାରକୁ ଆଖି ଆଗରେ ରଖି ଚୋରି ହୋଇଥିବା ମୋବାଇଲକୁ ତୁରନ୍ତ ଟ୍ରାକ ପାଇଁ ଏବେ ବିଭିନ୍ନ ପୋଲିସ ପକ୍ଷରୁ ଏନେଇ ଏକ ଟ୍ରାକିଂ ୟୁନିଟ ଗଠନ କରାଯାଉଛି । ଏହି ୟୁନିଟ ସାହାଯ୍ୟରେ ଚୋରି ହେବାର କିଛି ବ୍ୟବଧାନରେ ମୋବାଇଲ IEMI ଟ୍ରାକ କରି ସେ ସବୁକୁ ଧରୁଛି ପୋଲିସ । ହେଲେ ଥରେ ରାଜ୍ୟ ବାହାରକୁ ପଳାଇଲେ ସେସବୁ ଧରିବା କଷ୍ଟକର ହୋଇଥାଏ ଏବଂ ଏହି ପ୍ରୋସେସ ମଧ୍ୟ ପୋଲିସ ପାଇଁ ଫଲୋ କରିବା କଷ୍ଟକରହୋଇଥାଏ । ତେଣୁ ଏ ଦିଗରେ ଏସବୁ ଚୋରି ମୋବାଇଲ କେବଳ ପୋଲିସ ପାଇଁ ନୁହେଁ ଡିପାର୍ଟମେଣ୍ଟ ଅଫ ଟେଲିକମ୍ୟୁନିକେସନ ପାଇଁ ଚିନ୍ତା ଜନକ ହୋଇଛି ।
ଏନେଇ ଦୂରସଞ୍ଚାର ବିଭାଗ ୨୦୧୭ରୁ Central Equipment Identity Register (CEIR) କାମ କରିଆସୁଛି । ଯାହାକି International Mobile Equipment Identity (IMEI) ଉପରେ ତଥ୍ୟ ସଂଗ୍ରହ କରୁଛି । ଏଇଭଳି ଚୋରି ମୋବାଇଲର ତଥ୍ୟ ପାଇଁ ଏକ ଓ୍ବେବସାଇଟ ମଧ୍ୟ ୩୦ ଡିସେମ୍ବର ୧୯ରେ ଲଞ୍ଚ କରିଥିଲେ ତତ୍କାଳୀନ ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ । ଏବେ ଏହି ରାକେଟ ଜଣେ ସଦସ୍ୟ ଧରାପଡିବା ପରେ ମଧ୍ୟ କମିଶନରେଟ ପୋଲିସ କିପରି ଏସମ୍ପର୍କରେ ଜାଣିପାରିଲାନାହିଁ ନା ଜାଣିଶୁଣି ଏ ଘଟଣାକୁ ଗୁରୁତ୍ବ ଦେଲାନି ତାହା ଉପରେ ପ୍ରଶ୍ନ ଉଠିଛି ।
ଇଟିଭି ଭାରତ, ଭୁବନେଶ୍ବର