ଭୁବନେଶ୍ବର: ରାଜ୍ୟ ଭିଜିଲାନ୍ସ ଏକାଡେମୀରେ (state vigilance academy) ଅନୁଷ୍ଠିତ ହୋଇଯାଇଛି ରାଜ୍ୟରେ କାର୍ଯ୍ୟରତ ଥିବା ମୁଖ୍ୟ ଭିଜିଲାନ୍ସ ଅଧିକାରୀମାନଙ୍କର ସମ୍ମିଳନୀ । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏକାଡେମୀର ପ୍ରେକ୍ଷାଳୟ (ଅଡିଟୋରିଅମ୍)କୁ ପୂର୍ବତନ ଭିଜିଲାନ୍ସ ଡାଇରେକ୍ଟର ସ୍ୱର୍ଗତଃ ଦେବାଶିଷ ପାଣିଗ୍ରାହୀଙ୍କ(former vigilance director debasis panigrahi) ନାମରେ ନାମିତ କରିବା ସହ ସମ୍ମିଳନୀର ଉଦଘାଟନ କରିଥିଲେ ।
ପରେ ପରେ ମୁଖ୍ୟ ଶାସନ ସଚିବ ସ୍ୱର୍ଗତଃ ପାଣିଗ୍ରାହୀଙ୍କର ଉକୃଷ୍ଟ ସେବା ପାଇଁ ସମ୍ମାନପତ୍ର ଓ ସ୍ମାରକୀ ପ୍ରଦାନ କରିଛନ୍ତି । ସ୍ୱର୍ଗତଃ ପାଣିଗ୍ରାହୀଙ୍କ ପତ୍ନୀ ଝୁମକୀ ରଥ(ପାଣିଗ୍ରାହୀ) ଏହି ମାନପତ୍ର ଗ୍ରହଣ କରିଛନ୍ତି । ତେବେ ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ଡଃ ପାଣିଗ୍ରାହୀ ନିଜର ଉତ୍କୃଷ୍ଟମାନର ବୃତ୍ତିଗତ କୌଶଳ ଯୋଗୁଁ ରାଜ୍ୟ ଭିଜିଲାନ୍ସକୁ ଏକ ଉଚ୍ଚତର ସୋପାନକୁ ନେଇ ପାରିଥିଲେ । ଏକାଡେମୀର ପ୍ରେକ୍ଷାଳୟ ତାଙ୍କ ନାମରେ ନାମିତ ହେବା ଏକ ସମୁଚିତ ପଦକ୍ଷେପ । ମୁଖ୍ୟ ଭିଜିଲାନ୍ସ ଅଧିକାରୀମାନଙ୍କୁ ସମ୍ବୋଧି୍ତ କରି ସେ କହିଛନ୍ତି ଯେ, ଦୁର୍ନୀତି ନିରାକରଣରେ ଭିଜିଲାନ୍ସ ଅଧିକାରୀମାନଙ୍କ ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ । ଦୁର୍ନୀତିର ମୂଳୋତ୍ପାଟନ ନିମନ୍ତେ ଉଭୟ ଦଣ୍ଡାତ୍ମକ ଏବଂ ପ୍ରତିରୋଧାତ୍ମକ ପଦ୍ଧତି ପ୍ରୟୋଗ କରିବାକୁ ସେ ପରାମର୍ଶ ଦେଇଛନ୍ତି ।
ମୁଖ୍ୟ ଶାସନ ସଚିବ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟ ସରକାର ସ୍ୱଚ୍ଛ ଏବଂ ତ୍ୱରିତ ସେବା ପ୍ରଦାନ ଉପରେ ସର୍ବଦା ଗୁରୁତ୍ୱାରୋପ କରିଆସିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ପରିଚାଳିତ ମୋ ସରକାର ବ୍ୟବସ୍ଥା ଦୁର୍ନୀତି ନିରାକରଣ ଦିଗରେ ଏକ ବଳିଷ୍ଠ ପଦକ୍ଷେପ । ଏହି ବ୍ୟବସ୍ଥା ମାଧ୍ୟମରେ ବିଭିନ୍ନ ବରିଷ୍ଠ ଅଧିକାରୀ, ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ନିଜେ ଜନସାଧାରଣଙ୍କଠାରୁ ସରକାରୀ କାର୍ଯ୍ୟାଳୟରେ ସେବା ପ୍ରଦାନ ଏବଂ ସରକାରୀ ଅଧିକାରୀମାନଙ୍କ ବ୍ୟବହାର ଓ କାର୍ଯ୍ୟକଳାପ ବିଷୟରେ ସିଧାସଳଖ ମତାମତ ସଂଗ୍ରହ କରୁଛନ୍ତି । ଏହାଛଡ଼ା ୫୦ ବର୍ଷରୁ ଉର୍ଦ୍ଧ୍ୱ କର୍ମଚାରୀ ଓ ଅଧିକାରୀମାନଙ୍କ କାର୍ଯ୍ୟଦକ୍ଷତା ମାପିବା ପାଇଁ ମଧ୍ୟ ନିର୍ଦ୍ଦିଷ୍ଟ ମାନକ ସ୍ଥିର କରାଯାଇଛି । ଏହି ପ୍ରକ୍ରିୟାରେ ପ୍ରାୟ ୧୩୦ ରୁ ଉର୍ଦ୍ଧ୍ୱ ଅଧିକାରୀ ଏବଂ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।
ପୋଲିସ ମହା ନିର୍ଦ୍ଦେଶକ ଡଃ ଅଭୟ କୁମାର କହିଛନ୍ତି ଯେ, ସ୍ୱର୍ଗତଃ ଦେବାଶିଷ ପାଣିଗ୍ରାହୀ ଉଭୟ ବୃତ୍ତିଗତ ଏବଂ ସୃଜନାତ୍ମକ କ୍ଷେତ୍ରରେ ଏକ ଉଚ୍ଚକୋଟିର ବ୍ୟକ୍ତିତ୍ୱ ଥିଲେ । ପୋଲିସ ବିଭାଗରେ ତାଙ୍କୁ ସମସ୍ତେ ଏକ ସୁଦକ୍ଷ ଅଧିକାରୀଭାବେ ଜାଣିଥିଲେ । ତାଙ୍କର ସୃଜନାତ୍ମକ ପ୍ରତିଭା ହେତୁ ତାଙ୍କୁ ସାହିତ୍ୟ ଏକାଡେମୀ ସମ୍ମାନରେ ବିଭୁଷିତ କରାଯାଇଥିଲା । ତେବେ ଗତ ବର୍ଷ ଡ୍ୟୁଟିରେ ଥିବା ସମୟରେ କୋରୋନାରେ ଆକ୍ରାନ୍ତ ହୋଇ ଦେବାଶିଷ ପାଣିଗ୍ରାହୀଙ୍କ ଦେହାନ୍ତ ହୋଇଥିଲା। ଯାହାକୁ ଆଧାରକରି ତଥା ତାଙ୍କର ସ୍ମୃତି ଓ ନିଷ୍ଠାପରତାକୁ ମନେରଖିବାକୁ ଏହି ଅଡିଟୋରିୟମ ଉଦଘାଟିତ ହୋଇଛି । ଏହି ଅବସରରେ ଭିଜିଲାନ୍ସ ନିର୍ଦ୍ଦେଶକ ଆପିଏସ ଯଶୋବନ୍ତ ଯେଠଓ୍ବା ସମେତ ପୋଲିସ ଡିଜି ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ସମ୍ମିଳନୀଟି ସମୁଦାୟ ୩ଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଛି । ଉଦ୍ଘାଟନୀ ପର୍ଯ୍ୟାୟ ପରେ ପରେ ବିଶେଷଜ୍ଞମାନେ ‘ପରବର୍ତ୍ତିତ ସମୟରେ ମୁଖ୍ୟ ଭିଜିଲାନ୍ସ ସେବାର ରୂପରେଖ’, ‘ସତର୍କତା ହୁଇସିଲ-ବାଦନ ସଂସ୍କୃତିର ପ୍ରସାରରେ ଭିଜିଲାନ୍ସ ଅଧିକାରୀମାନଙ୍କ ଭୁମିକା’ ଏବଂ ‘ଦୁର୍ନୀତି ନିବାରଣରେ ଆଧୁନିକ ସୂଚନା-ପ୍ରଯୁକ୍ତିବିଦ୍ୟା ବୈଷୟିକ କୌଶଳ ପ୍ରଯୋଗ’ ଆଦି ବିଷୟରେ ତାଲିମ୍ ଓ ଅନୁପ୍ରେରଣା ଦେଇଛନ୍ତି ।
ଶେଷ ପର୍ଯ୍ୟାୟରେ ବରିଷ୍ଠ ଓ ଅଭିଜ୍ଞ ଅଧିକାରୀ ଏବଂ କନିଷ୍ଠ ଓ ନୂଆ ଭିଜିଲାନ୍ସ ଅଧିକାରୀମାନଙ୍କ ମଧ୍ୟରେ ଅଭିଜ୍ଞତା ଆଦାନ ପ୍ରଦାନ ହୋଇଛି । ୪୧ ଟି ସରକାରୀ ବିଭାଗ, ୮୫ ଟି ବିଭାଗୀୟ ମୁଖ୍ୟ ଦପ୍ତର ଏବଂ ୩୩ ଟି ସାଧାରଣ ଉଦ୍ୟୋଗରେ କାର୍ଯ୍ୟ କରୁଥିବା ମୁଖ୍ୟ ଭିଜିଲାନ୍ସ ଅଧିକାରୀଙ୍କ ସହ ଭିଜିଲାନ୍ସ ବିଭାଗର ବରିଷ୍ଠ ଅଧିକାରୀମାନେ ଏହି ସମ୍ମେଳନରେ ଅଂଶଗ୍ରହଣ କରିଥିଲେ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ