ଭୁବନେଶ୍ବର: ଚାଉଳ, କ୍ଷୀର, କୁକୁଡା ଜାତୀୟ ଖାଦ୍ୟ, ମାଛ ଯାଆଁଳ ଆଦି କ୍ଷେତ୍ରରେ ରାଜ୍ୟ ଆତ୍ମ- ନିର୍ଭରଶୀଳ ହୋଇପାରିଛି । ବର୍ତ୍ତମାନ ପନିପରିବା ଏବଂ ଫଳ ଉତ୍ପାଦନରେ ଆତ୍ମ - ନିର୍ଭରଶୀଳ ହେବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ଏଥିପାଇଁ ନିର୍ଦ୍ଦିଷ୍ଟ ଲକ୍ଷ୍ୟଭେଦୀ ଏବଂ ସମୟାନୁବନ୍ଧିତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି ।
ଆଜି (ଗୁରୁବାର) କୃଷି ଉତ୍ପାଦ ବୃଦ୍ଧି ସମ୍ବନ୍ଧିତ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟ ଶାସନ ସଚିବ ଏହି ନିର୍ଦ୍ଦେଶ ଦେଇଛନ୍ତି । ଲୋକସେବା ଭବନରୁ ଡିଜିଟାଲ ମୋଡରେ ଅନୁଷ୍ଠିତ ହୋଇଛି ଏହି ବୈଠକ । ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ ରାଜ୍ୟରେ ଫଳ ଓ ପନିପରିବା ଚାଷ ସମ୍ବନ୍ଧିତ ସଦ୍ୟତନ ସ୍ଥିତି ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ । ଫଳ ଓ ପନିପରିବା ଚାଷ ପାଇଁ ଓଡିଶାରେ ବହୁ ସମ୍ଭାବନା ଓ ସମ୍ବଳ ରହିଛି । ବିଭିନ୍ନ ଅଞ୍ଚଳର କୃଷି - ଜଳବାୟୁ ଓ ମୁର୍ତ୍ତିକା ସଂରଚନା ଆଦି ଲକ୍ଷ୍ୟଭେଦୀ କାର୍ଯ୍ୟ ଯୋଜନା ପ୍ରସ୍ତୁତ ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । କାର୍ଯ୍ୟ ଯୋଜନାରେ ଅନ୍ତର୍ଭୁକ୍ତ ଫଳ ଓ ପନିପରିବାର ଆଧୁନିକ ଚାଷ ପ୍ରଣାଳୀ, ବାର୍ଷିକ ଆୟ ଆଦି ବିଷୟରେ କୃଷକମାନଙ୍କୁ ଅନୁପ୍ରେରଣା ଦେବାପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।
ବୈଠକରେ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା ଫୁଲ କୋବି, ବନ୍ଧା କୋବି, ଟମାଟୋ, ଆଳୁ, ପିଆଜ ଆଦି ଜାତୀୟ ପରିବା ଏବଂ କଦଳୀ, ଅମୃତଭଣ୍ଡା, ପିଜୁଳି ଓ ଲେମ୍ବୁ ଆଦି ଫଳ ଉତ୍ପାଦନ ବଢାଇବା ପାଇଁ ପରାମର୍ଶ ଦେଇଛନ୍ତି । ଲକ୍ଷ୍ୟଭେଦୀ କାର୍ଯ୍ୟଯୋଜନା ପ୍ରସ୍ତୁତି ନିମନ୍ତେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା କୃଷି ଉତ୍ପାଦନ କମିଶନ ରାଜ କୁମାର ଶର୍ମାଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି । ବୈଠକରେ ବିଭିନ୍ନ ପ୍ରକାର ଫଳ ଓ ପନିପରିବା ପାଇଁ ବିଶେଷଜ୍ଞ, କୃଷକ, କୃଷି - ଉଦ୍ୟୋଗୀ, ଜଳ ସଂପଦ ଓ କୃଷି ବିଭାଗ ଯନ୍ତ୍ରୀମାନଙ୍କ ଠାରୁ ଆବଶ୍ୟକୀୟ ମତାମତ ଓ ପରାମର୍ଶ ନେଇ ବାସ୍ତବବାଦୀ କାର୍ଯ୍ୟ - ଯୋଜନା ପ୍ରସ୍ତୁତ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ବିଭାଗୀୟ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ କହିଛନ୍ତି ଯେ, ଓଡିଶାରେ ସାଧାରଣତଃ କଦଳୀ, ଆମ୍ବ, ପିଜୁଳି, ଅମୃତଭଣ୍ଡା, ଲେମ୍ବୁ, ସାଫେତା, ସପୁରୀ, ତରଭୁଜ, ଜାମୁ ଆଦି ଫଳ ଉତ୍ପାଦନ ହୁଏ । ଏହା ସହ ବାଇଗଣ, ଭେଣ୍ଡି, ଟମାଟୋ, ଆଳୁ, ପିଆଜ, ପାଣିକଖାରୁ, ଲାଉ, ମୂଳା ଓ କନ୍ଦମୂଳ ଜାତୀୟ ପରିବା, ଫୁଲକୋବି, ବନ୍ଧାକୋବି, ବିନ ଓ ଛୁଇଁ ଆଦି ପନିପରିବା ବେଶି ପରିମାଣରେ ଉତ୍ପାଦିତ ହୁଏ ।
ସେହିପରି ବୈଠକରେ ଉଦ୍ୟାନ ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କା ଜଣାଇଛନ୍ତି ଯେ ଲଗାତାର ପ୍ରୋତ୍ସାହନ ମୂଳକ ପ୍ରଚେଷ୍ଟା ଯୋଗୁ ରାଜ୍ୟ ପନିପରିବା ଓ ଫଳ ଉତ୍ପାଦନରେ ଜାତୀୟସ୍ତର ମାନ୍ୟତା ହାସଲ କରିଛି । ୨୦୧୯ - ୨୦ ବର୍ଷ ଉଦ୍ୟାନ ଚାଷ ବିବରଣୀ ଅନୁସାରେ ଓଡିଶା ମିଠା ଆଳୁ ଉତ୍ପାଦନରେ ଦେଶରେ ପ୍ରଥମ ; ବାଇଗଣ ଉତ୍ପାଦନରେ ଦ୍ବିତୀୟ, ଫୁଲକୋବି, ଭେଣ୍ଡି, ଟମାଟୋରେ ପଞ୍ଚମ ; ଲାଉ ଉତ୍ପାଦନରେ ଷଷ୍ଠ ସ୍ଥାନ ଅଧିକାର କରିଛି । ସେହିଭଳି ରାଜ୍ୟ ମଧ୍ୟ ଯାମୁ ଉତ୍ପାଦନରେ ଦ୍ବିତୀୟ, ଲେମ୍ବୁରେ ପଞ୍ଚମ, ତରଭୁଜରେ ପଞ୍ଚମ, ସଫେତାରେ ସପ୍ତମ, ଆମ୍ବରେ ନବମ, ଏବଂ ପଣସ ଉତ୍ପାଦନରେ ନବମ ସ୍ଥାନ ପାଇଛି । ଦୃତ କାର୍ଯ୍ୟାନ୍ବୟନ ନିମନ୍ତେ ପ୍ରଥମ ପର୍ଯ୍ୟାୟରେ ବିଶେଷ ଚାହିଦା ଥିବା ଏବଂ ଓଡିଶାର ଜଳବାୟୁ ଓ ମୂର୍ତ୍ତିକା ଅନୁକୂଳ ଅଳ୍ପ ସଂଖ୍ୟକ ଫଳ ଓ ପନିପରିବା ନେଇ କାର୍ଯ୍ୟଯୋଜନା ପ୍ରସ୍ତୁତ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।
ବୈଠକରେ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା କୃଷି ଉତ୍ପାଦନ କମିଶନ ରାଜ କୁମାର ଶର୍ମା, ସମବାୟ ବିଭାଗ ପ୍ରମୁଖ ଶାସନ ସଚିବ ବୀର ବିକ୍ରମ ଯାଦବ, ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ, କୃଷି ନିର୍ଦ୍ଦେଶକ ମୁଥୁ କୁମାର, ଉଦ୍ୟାନଚାଷ ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କାଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀ ବୈଠକରେ ଉପସ୍ଥିତ ଥିଲେ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ