ଭୁବନେଶ୍ବର: ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ କୃଷକ ନିଧି ଯୋଜନା ବାଟବଣା କରିଥିବା ଅଭଯୋଗ କରିଛି ବିଜେପି । ଏହାକୁ ନେଇ ରବିବାର ଏକ ସାମ୍ବାଦିକ ସମ୍ମିଳନୀ କରିଛି ବିଜେପି ।
ଭାରତର 70 ଭାଗ ଲୋକ ଚାଷ କାର୍ଯ୍ୟ କରି ନିଜ ଗୁଜୁରାଣ ମେଣ୍ଟାନ୍ତି । ଦେଶର ଅର୍ଥନୀତିକୁ ସୁଦୃଢ଼ କରିବାରେ ଏହି ଚାଷୀଙ୍କ ଅନେକ ଅବଦାନ ରହିଛି । ଏହି ଗରିବ ଚାଷୀଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ଼ ଓ ସଶକ୍ତ କରିବା ପାଇଁ କେନ୍ଦ୍ର ସରକାର ଅନେକ ଯୋଜନା କରୁଛନ୍ତି ।
ଏହି ସବୁ ଯୋଜନା ମାଧ୍ୟମରେ କେନ୍ଦ୍ର ସରକାର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି । ତା ସହିତ ଚାଷୀଙ୍କ ଉତ୍ପାଦର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ହେବ ସେନେଇ ଯୋଜନା ପ୍ରସ୍ତୁତ ହୋଇ MSP ବଢା ଯାଉଛି । ଖାଦ୍ୟ ପଦାର୍ଥ ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଉଛି, କିଷାନ କ୍ରେଡିଟ କାର୍ଡଠୁ ଆରମ୍ଭ କରି ଅନେକ ଯୋଜନା କରାଯାଉଛି, ପ୍ରଧାନମନ୍ତ୍ରୀ କୃଷକ ନିଧି ଯୋଜନା ଦଶଟି କିସ୍ତିରେ ୧୧.୭୮ କୋଟି ଚାଷୀଙ୍କ ପାଇଁ 1.82 ଲକ୍ଷ କୋଟି ଟଙ୍କା ଦେଇଛନ୍ତି । ଆଜି କୃଷି ବଜେଟ ବୃଦ୍ଧି ପାଇଁ 1 ଲକ୍ଷ 23 ହଜାର 960 କୋଟି ଟଙ୍କା ଦିଆଯଇଛି । କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କୃଷକ ନିଧି ଯୋଜନା ପାଇଁ ତାଲିକା ମାଗିଥିବାବେଳେ ରାଜ୍ୟ ସରକାର ମାତ୍ର 9 ଲକ୍ଷ ଚାଷୀଙ୍କ ତାଲିକା କେନ୍ଦ୍ରକୁ ପଠାଇଛନ୍ତି ।
ନିର୍ବାଚନ ପୂର୍ବରୁ 75 ଲକ୍ଷ ଚାଷୀ ଉପକୃତ ହେବାନେଇ ବିଜେଡି ବିଜ୍ଞାପନ କରିଥିଲା । ବିଧାନସଭାରେ ପ୍ରଶ୍ନ ପରେ 22 ଲକ୍ଷ ଚାଷୀଙ୍କୁ ସହାୟତା ଦିଆଯାଇଥିବା କଥା କହିଥିଲେ ମନ୍ତ୍ରୀ । କେନ୍ଦ୍ରୀୟ ଯୋଜନା ପାଇଁ ରାଜ୍ୟ ସରକାର ଚାଷୀଙ୍କ ଅଲଗା ଅଲଗା ତାଲିକା ଦେଉଥିବା ରାଜ୍ୟ ବିଜେପି ଅଭିଯୋଗ କରିଛି । ଯଦି ଚାଷୀ ଉପକୃତ ହେବେ ତେବେ ଅସୁବିଧା କେଉଁଠି, ବୋଲି ପ୍ରଶ୍ନ କରିଛନ୍ତି ବିଜେପି ନେତା ବିଭୁ ପ୍ରସାଦ ତରାଇ ।
ଖାଲି ସେତିକି ନୁହେଁ, ନିକଟରେ ଶେଷ ହୋଇଥିବା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଘୋଷଣା କଲେ ଚାଷୀଙ୍କୁ ଦୁଇଟି ପର୍ଯ୍ୟାୟରେ 10ହଜାର ଟଙ୍କା ଦିଆଯିବ । ରାଜ୍ୟସରକାର ପ୍ରଧାନମନ୍ତ୍ରୀ କୃଷକ ନିଧି ଯୋଜନାରେ ଥିବା ଟଙ୍କାକୁ ନିଜ ଟଙ୍କା କହି ବାଣ୍ଟୁଥିବା ଅଭିଯୋଗ କରିଛି ବିଜେପି । ରାଜ୍ୟ ସରକାରଙ୍କ ଜରିଆରେ ଓଡ଼ିଶାର ଅଧିକ ଚାଷୀଙ୍କୁ କେନ୍ଦ୍ର ସରକାର ସାହାଯ୍ୟ କରିବାକୁ ଚେଷ୍ଟା କରୁଥିବାବେଳେ ରାଜ୍ୟ ସରକାର ଚାଷୀଙ୍କୁ ଗୋଲକ ଧନ୍ଦାରେ ପକାଉଥିବା ବିଜେପି ଅଭିଯୋଗ କରିଛି ।
ରାଜ୍ୟରେ 22 ବର୍ଷ ଶାସନରେ 35 ପ୍ରତିଶତ ଜମିକୁ ଜଳସେଚନ କରାଇପାରି ନାହାନ୍ତି ରାଜ୍ୟ ସରକାର । ଚାଷୀଙ୍କ ଉତ୍ପାଦନ ପାଇଁ ରାଜ୍ୟରେ ଶୀତଳ ଭଣ୍ଡାର ନାହିଁ । ଏଥିପାଇଁ ଆମେ ସବୁବେଳେ ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ । ଏଭଳି ସ୍ଥିତିରେ ଚାଷୀଙ୍କୁ ସ୍ୱାବଲମ୍ବୀ କରିବା ପରିବର୍ତ୍ତେ କିଭଳି ନିର୍ବାଚନ ହାତେଇବେ ସେନେଇ ଏ ରାଜ୍ୟ ସରକାର କାମ କରୁଥିବା ଅଭିଯୋଗ ହୋଇଛି ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ