ଭୁବନେଶ୍ବର : ଆସନ୍ତା ଜୁଲାଇ 21 ତାରିଖରୁ ଆରମ୍ଭ ହେବ ଓଡ଼ିଶା ଫୁଡ ପ୍ରୋ-2022 । କାର୍ଯ୍ୟକ୍ରମକୁ ବିଧିବଦ୍ଧ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ଆଜି ଖାରବେଳ ଭବନରେ ସାମ୍ବାଦିକ ସମ୍ମିଳନୀ କରି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ମନ୍ତ୍ରୀ ପ୍ରତାପ କେଶରୀ ଦେବ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ଵରେ ଓଡ଼ିଶା ଦେଶର ସର୍ବଶ୍ରେଷ୍ଠ ଖାଦ୍ୟ ପ୍ରକ୍ରିୟାକରଣ ରାଜ୍ୟ ହୋଇପାରିଛି ।
ରାଜ୍ୟରେ ଖାଦ୍ୟ ପ୍ରକ୍ରିୟାକରଣ ଇକୋସିଷ୍ଟମକୁ ଅଧିକ କ୍ରିୟାଶୀଳ କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ସହଯୋଗରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ପକ୍ଷରୁ ଜୁଲାଇ 21 ତାରିଖରେ ଓଡ଼ିଶା ଫୁଡ୍ ପ୍ରୋ 2022 ଆୟୋଜନ କରାଯିବ । ଏହା ପୁଞ୍ଜି ନିବେଶକ, ଉତ୍ପାଦକ, ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗୀ, ଷ୍ଟାର୍ଟ ଅପ୍ ତଥା ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ର ସହ ଜଡ଼ିତ ଥିବା ବିଭିନ୍ନ ସଂଗଠନ ସାମିଲ ହେବେ ।
ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା କହିଛନ୍ତି ଯେ, ରାଜ୍ୟର ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରକୁ ନୂତନ ବୈଷୟିକ ଜ୍ଞାନ, ଦକ୍ଷତା ଓ ଅଧିକ ପୁଞ୍ଜି ନିବେଶ ଯୋଗାଇବା ତଥା ଖାଦ୍ୟ ପ୍ରକ୍ରିୟାକରଣ ସହିତ ଜଡ଼ିତ ଥିବା ସ୍ୱୟଂସହାୟକ ଗୋଷ୍ଠୀ, ସମବାୟ ସଂସ୍ଥା, କୃଷକ ଉତ୍ପାଦକ ସଂଗଠନ ଓ ଏକକ ଉଦ୍ୟୋଗ ଗୁଡିକୁ ମୁଖ୍ୟସ୍ରୋତରେ ସାମିଲ କରିବା ଏହାର ଲକ୍ଷ୍ୟ । ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ପ୍ରମୁଖ ଶାସନ ସଚିବ ରଞ୍ଜନା ଚୋପ୍ରା ଭବିଷ୍ୟତରେ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ସରକାରଙ୍କ ଆଭିମୁଖ୍ୟ ସମ୍ପର୍କରେ ସମ୍ୟକ ସୂଚନା ଦେଇଛନ୍ତି । ଜାତୀୟ ଓ
ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶାକୁ ଏକ ଆକର୍ଷକ ଖାଦ୍ୟ ପ୍ରକ୍ରିୟାକରଣ ପେଣ୍ଠ ଭାବରେ ଗଢି ତୋଳିବା ପାଇଁ ରାଜ୍ୟସରକାର ପରିବଦ୍ଧ ବୋଲି ସେ କହିଛନ୍ତି ।
ବିଭାଗୀୟ ମନ୍ତ୍ରୀ ଓଡ଼ିଶା ଫୁଡ୍ ପ୍ରୋ 2022ର ଏକ ପ୍ରାକ୍ ସୂଚନା ଭିଡିଓର ଶୁଭାରମ୍ଭ କରିଛନ୍ତି । ଓଡ଼ିଶା ଫୁଡ୍ ପ୍ରୋ 2022 ଭଳି କାର୍ଯ୍ୟକ୍ରମ ଦ୍ୱାରା ବିଭିନ୍ନ ଦିଗରୁ ଅଧିକ ପୁଞ୍ଜିନିବେଶର ଆଗମନ ହୋଇପାରିବ । ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ବୋଲି ବିଭାଗ ଆଶା ରଖିଛି ।
ଏହି ଅବସରରେ ଅଣୁ ଖାଦ୍ୟ ଉଦ୍ୟୋଗ, ପ୍ରତିଷ୍ଠିତ ଶିଳ୍ପ ଉଦ୍ୟୋଗ, ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀ ଇତ୍ୟାଦି ମାନଙ୍କ ପାଇଁ ଏକ ସ୍ଵତନ୍ତ୍ର ଅଧିବେଶନର ଆୟୋଜନ କରାଯାଇଛି । କାର୍ଯ୍ୟକ୍ରମରେ କୃଷି ଉତ୍ପାଦନ କମିଶନର୍ ଓ କୃଷି ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସଂଜୀବ ଚୋପ୍ରା, ଷ୍ଟାର୍ଟ ଅପ୍ ଓଡ଼ିଶାର କାର୍ଯ୍ୟନିର୍ବାହୀ ସଭାପତି, ଶିଳ୍ପ ନିର୍ଦେଶକ ମହମ୍ମଦ ସାଦିକ ଆଲମ, ଇପିକଲ୍ ଏମ୍.ଡ଼ି ଭୂପେନ୍ଦ୍ର ସିଂ ପୁନିଆ ଓ ଏପିକଲ୍ ଏମ୍.ଡ଼ି ଡାଃ ପ୍ରଭାତ କୁମାର ରାଉଳ ପ୍ରମୁଖ ଉପସ୍ଥିତ ଥିଲେ ।
ଇଟିଭି ଭାରତ, ଭୁବନେଶ୍ବର